ନବ ଦାସଙ୍କ ପତ୍ନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଦେଲେ ଭରସା

ଭୁବନେଶ୍ୱର, ୧୯।୩: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମର୍ମରେ ଭରସା ଦେଇଛନ୍ତି। ସ୍ୱର୍ଗତ ଦାସଙ୍କ ପତ୍ନୀ ମୀନତି ଦାସ ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ କନ୍ୟା […] The post ନବ ଦାସଙ୍କ ପତ୍ନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଦେଲେ ଭରସା appeared first on Dharitri Odia News.

ନବ ଦାସଙ୍କ ପତ୍ନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଦେଲେ ଭରସା

ଭୁବନେଶ୍ୱର, ୧୯।୩: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମର୍ମରେ ଭରସା ଦେଇଛନ୍ତି।

ସ୍ୱର୍ଗତ ଦାସଙ୍କ ପତ୍ନୀ ମୀନତି ଦାସ ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ କନ୍ୟା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ। ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ ।

ଶ୍ରୀମତୀ ଦାସଙ୍କୁ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେ କୌଣସି ସମୟରେ ତାଙ୍କୁ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଅବଗତ କରାଇପାରିବେ। ସେ ନିଜେ ଓ ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେବେ ବ୍ୟକ୍ତିଗତ ଭାବେ ଭେଟି ଏହି ଆଲୋଚନା କରିଥିବାରୁ ଏବଂ ନ୍ୟାୟ ମିଳିବାର ଭରସା ଦେଇଥିବାରୁ ଶ୍ରୀମତୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

The post ନବ ଦାସଙ୍କ ପତ୍ନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଦେଲେ ଭରସା appeared first on Dharitri Odia News.