ନବୀନ ଏବେବି ‘ସଖି କଣ୍ଢେଇ’: କେହି ବ୍ଲାକମେଲ୍ ଓ ଷଡ଼ଯନ୍ତ୍ର କରୁଛି କି?

୨୦୨୪ ଜୁଲାଇ ୭ ତାରିଖରେ ଦଳର ସମସ୍ତ ରାଜ୍ୟ ସ୍ତରୀୟ ପଦାଧିକାରୀ କମିଟିକୁ ଭାଙ୍ଗିବାକୁ ନିର୍ଦ୍ଦେଶନାମା ଜାରି କରିଥିବା ନବୀନ ଏବେ ୨୦୨୫ ଜାନୁୟାରୀ ୨୬ ତାରିଖରେ ପୁଣି ଥରେ କାହିଁକି ଏଭଳି ନିର୍ଦ୍ଦେଶନାମା ଜାରି କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ କ’ଣ ଦଳର ଏହିସବୁ ରାଜ୍ୟସ୍ତରୀୟ ଛାମୁଆ ୟୁନିଟ୍ ପଦାଧିକାରୀଙ୍କୁ ବରଖାସ୍ତ କରାଯାଇନଥିଲା କି?

ନବୀନ ଏବେବି ‘ସଖି କଣ୍ଢେଇ’: କେହି ବ୍ଲାକମେଲ୍ ଓ ଷଡ଼ଯନ୍ତ୍ର କରୁଛି କି?

ବିଜେଡିର ୨୪ ବର୍ଷର ଶାସନର ଅନ୍ତ କାହିଁକି ଘଟିଲା? ଏହି ବିପର୍ଯ୍ୟୟର ସମୀକ୍ଷା ପାଇଁ କିଏ କାହିଁକି ବାଟ ଓଗାଳିଛି? ଦଳ ଏବେ ମୁରବୀବିହୀନ ଓ ଦିଶାହୀନ ଭଳି କାହିଁକି ପ୍ରତୀତ ହେଉଛି? ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆକ୍ସନମୋଡକୁ ନଆସି କାହିଁକି ସ୍ଥାଣୁ ପାଲଟିଛନ୍ତି? ଏତେ ବିପର୍ଯ୍ୟୟ ପରେ ବି ନବୀନ କ’ଣ ସତରେ ‘ସଖିକଣ୍ଢେଇ’ ସାଜିଛନ୍ତି? ନା ତାଙ୍କୁ ବ୍ଲାକମେଲ୍ କରି ବିଜେଡିର ବିଶାଳ ସଂଗଠନକୁ ତାଙ୍କଠୁ ଛଡ଼ାଇ ନେବାର ରଣନୀତିକୁ କେହି କାର୍ଯ୍ୟକାରୀ କରୁଛି? ଏସବୁ ପ୍ରଶ୍ନ ଏବେ ବିଜେଡିର ଲକ୍ଷଲକ୍ଷ କର୍ମୀ ଓ ନେତାଙ୍କ ମନକୁ ଆନ୍ଦୋଳିତ କରିବା ସହିତ ସାଧାରଣରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଜେଡି ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବା ସତ୍ତ୍ୱେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ସାଂଗଠନିକ କାର୍ଯ୍ୟ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଯଦିଓ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଚାପରେ ପଡ଼ି ଅତି ବେଶୀରେ ଗୋଟିଏ ମାସ ଦଳର ନେତା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଲେ। ମାତ୍ର ତା’ ପରେ ନବୀନ ପୁଣି ଥରେ ନିଜ ପୁରୁଣା ଫର୍ମକୁ ଫେରି ସମସ୍ତଙ୍କଠୁ ଦୂରତ୍ୱ ବଜାୟ ରଖିବା ଆରମ୍ଭ କରିଦେଇଛନ୍ତି। ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଗୋଟିଏ ରାଜନୀତିକ ଦଳ ନିଜକୁ ପୁନର୍ବାର ସକ୍ରିୟ ଓ ସଂଗଠିତ କରିବା ପାଇଁ ଯେଭଳି ରଣନୀତି ଓ ତ୍ୱରିତ ପଦକ୍ଷେପ ନେବା କଥା ତାହା ନବୀନଙ୍କ ପାଖରେ ଦେଖିବାକୁ ମିଳୁନି। ସେ ନା ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ନା ଦଳର ନେତା ଓ କର୍ମୀଙ୍କୁ ଭେଟୁଛନ୍ତି। ଏପରିକି ଦଳ ପରିଚାଳନା ପାଇଁ ଗତ ୫ ମାସ ତଳେ ନିଜେ ଯେଉଁ ଉପଦେଷ୍ଟା କମିଟି (୧୭ ଜଣ ବରିଷ୍ଠ ନେତାଙ୍କୁ ନେଇ) ଗଢ଼ିଥିଲେ ତା’ର ସଦସ୍ୟମାନଙ୍କୁ ମାତ୍ର ଥରୁଟିଏ ଭେଟିବାର ସୁଯୋଗ ଦେଇ ଦ୍ୱାର ବନ୍ଦ କରିଦେଇଛନ୍ତି।

ଅସ୍ଥାୟୀ ସାଂଗଠନିକ ମୁଖିଆ ଭାବେ ଦେବୀପ୍ରସାଦ ମିଶ୍ର (ସମନ୍ୱୟ କମିଟି ଅଧ୍ୟକ୍ଷ)ଙ୍କୁ ୭ ମାସ ତଳୁ ନିଯୁକ୍ତି ଦେଇଥିଲେ ମଧ୍ୟ ସଂଗଠନ ପରିଚାଳନାକୁ ନେଇ ତାଙ୍କ ସହ ଆଲୋଚନା କରିବାକୁ ବି ଆଗ୍ରହ ଦେଖାଉନାହାନ୍ତି। ଏହି ନେତାମାନଙ୍କ ସହ ନିୟମିତ ବିଚାରବିମର୍ଶ ତ ଦୂରର କଥା ସେମାନେ ଭେଟିବାକୁ ଚାହିଁଲେ ବି ସୁଯୋଗ ମିଳୁନି। ଓଲଟା ତାଙ୍କର ବ୍ୟକ୍ତିଗତ ସଚିବ (ଜଣେ ବରିଷ୍ଠ ଓଏଏସ୍ ଅଫିସର) ନିଜେ ନିଜ ସ୍ତରରେ ନେତାମାନଙ୍କ ସ୍କ୍ରିନିଂ କରିବାକୁ ପଛାଉ ନାହାନ୍ତି, ତା’ପୁଣି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ। ନବୀନଙ୍କୁ ଭେଟିବାକୁ ଚାହୁଁଥିବା ଦଳୀୟ ନେତାମାନଙ୍କୁ କେଉଁ କାରଣ ପାଇଁ ଭେଟିବେ,ସେକଥା ଛଡ଼ା ଅନ୍ୟ କିଛି ଯେଭଳି ଆଲୋଚନା ନକରିବେ ତାହା ସୁନିଶ୍ଚିତ ହେବା ପରେ ହିଁ କାଁଭାଁ ଦଳର କିଛି ଆଗଧାଡ଼ିର ନେତାଙ୍କୁ ଭେଟିବାର ସୁଯୋଗ ମିଳୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନବୀନଙ୍କ ଏଭଳି ବିଲକ୍ଷଣକୁ ନେଇ ଦଳ ଭିତରେ ଅସନ୍ତୋଷ ଓ ଆକ୍ରୋଶ ଚରମ ସୀମାରେ ପହଂଚିଲାଣି। ନବୀନଙ୍କ ଏଭଳି ଅନାଗ୍ରହ ଭିତରେ ଦଳରେ ସାଂଗଠନିକ ନିଷ୍ପତ୍ତି କିଏ ନେଉଛି ତାହା ବି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ନିର୍ଦ୍ଦେଶନାମା ରବିବାର ଜାରି ହୋଇଛି, ଯେଉଁଥିରେ ଦଳର ସାଗଂଠନିକ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଛାମୁଆ ସଂଗଠନ ଯଥା- ମହିଳା, ଯୁବ, ଛାତ୍ର, ବିଜୁ ଶ୍ରମିକ ସାମ୍ମୁଖ୍ୟ, ବିଜୁ ଲିଗାଲ ସେଲ୍ ଓ ଅପ୍ରବାସୀ ସେଲକୁ ତତ୍କାଳ ପ୍ରଭାବରୁ ଭାଙ୍ଗି ଦିଆଗଲା ବୋଲି ଉଲ୍ଲେଖ ରହିଛି। ଏଭଳି ଏକ ଆଦେଶ ସେହି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ୭ ମାସ ତଳେ ଜାରି ହୋଇଥିଲା।

୨୦୨୪ ଜୁଲାଇ ୭ ତାରିଖରେ ଦଳର ସମସ୍ତ ରାଜ୍ୟ ସ୍ତରୀୟ ପଦାଧିକାରୀ କମିଟିକୁ ଭାଙ୍ଗିବାକୁ ନିର୍ଦ୍ଦେଶନାମା ଜାରି କରିଥିବା ନବୀନ ଏବେ ୨୦୨୫ ଜାନୁୟାରୀ ୨୬ ତାରିଖରେ ପୁଣି ଥରେ କାହିଁକି ଏଭଳି ନିର୍ଦ୍ଦେଶନାମା ଜାରି କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ କ’ଣ ଦଳର ଏହିସବୁ ରାଜ୍ୟସ୍ତରୀୟ ଛାମୁଆ ୟୁନିଟ୍ ପଦାଧିକାରୀଙ୍କୁ ବରଖାସ୍ତ କରାଯାଇନଥିଲା କି? ଏବେ ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବାବେଳେ ଦଳର ଏହି ଛାମୁଆ ୟୁନିଟଗୁଡ଼ିକୁ ଭାଙ୍ଗିବାକୁ କିଏ ନିଷ୍ପତ୍ତି ନେଲେ? ଗତ ୨୦୨୦ ସାଂଗଠନିକ ନିର୍ବାଚନବେଳେ ବିଜେଡି ନିଜର ସଦସ୍ୟ ସଂଖ୍ୟା ଏକ କୋଟି ଛୁଇଁଲାଣି ବୋଲି ଦାବି କରିଥିଲା। ମାତ୍ର ଚଳିତ ଥର ଏହି ସଦସ୍ୟ ସଂଗ୍ରହ ଅଭିଯାନ ଏପର୍ଯ୍ୟନ୍ତ ୨୦ ଲକ୍ଷ ବି ଛୁଇଁ ନଥିବା ଜଣାପଡ଼ିଛି। ତା’ଛଡ଼ା ସାଂଗଠନିକ ନିର୍ବାଚନ ପାଇଁ ଦଳର ଛାମୁଆ ୟୁନିଟଗୁଡ଼ିକୁ ଭଙ୍ଗାଯିବା ବିଜେଡି ଇତିହାସରେ କେବେ ପୂର୍ବରୁ ହୋଇନଥିଲା। ସାଂଗଠନିକ ନିର୍ବାଚନ ସରିବା ପରେ ଦଳ ତା’ର ସୁବିଧା ଅନୁସାରେ ଏସବୁ ଛାମୁଆ ୟୁନିଟର ପୁନର୍ଗଠନ କରିଥାଏ। ଏଭଳି ସ୍ଥିତିରେ ତୃଣମୂଳ ସ୍ତରରେ ଦଳର ସଦସ୍ୟ ସଂଗ୍ରହ ଅଭିଯାନ ଠପ୍ ହେବା ନିଶ୍ଚିତ। ତା’ଛଡ଼ା ଏହି ଛାମୁଆ ୟୁନିଟକୁ ଭାଙ୍ଗିବା ପୂର୍ବରୁ ଦଳର ଉପଦେଷ୍ଟା କମିଟି ଓ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ ମଧ୍ୟ କରାଯାଇନଥିବା ଜଣାପଡ଼ିଛି।

ସେପଟେ ବିଗତ ୬-୭ ମାସ ଧରି ଦଳର ପରାଜିତ ବିଧାୟକ ଓ ନେତାମାନେ ବିଭିନ୍ନ ସ୍ଥାନରେ ମେଳି କରୁଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଜେଡି ମୁରବୀବିହୀନ ଓ ମୁଖିଆଙ୍କ ନିୟନ୍ତ୍ରଣ ବାହାରକୁ ସଂଗଠନ ପଳାଉଥିବାର ସନ୍ଦେଶ ଯିବାରେ ଲାଗିଛି। ଜାନୁୟାରୀ ୨୩ ତାରିଖରେ କଟକରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ଦଳର ୧୫-୨୦ ଜଣ ପୂର୍ବତନ ବିଧାୟକ ଓ ଆଗଧାଡ଼ିର ନେତା ମେଳି କରିବା ପରେ ନବୀନ ଏମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ଫୋନ୍ କରି ନିଜର ବିରକ୍ତି ଭାବ ପ୍ରକାଶ କରିଛନ୍ତି। ଦେବାଶିଷଙ୍କ ସମେତ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ସୁନୀଲ ମହାନ୍ତି, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ ପ୍ରମୁଖଙ୍କୁ ନବୀନ ନିଜେ ଫୋନ୍ କରି ଏଭଳି ମେଳି ନକରିବାକୁ ତାଗିଦ୍ କରିଛନ୍ତି। ଯଦିଓ ନବୀନ ବିରକ୍ତ ହେବା ପରେ ବି ବିଧାୟକ ଦେବୀ ତ୍ରିପାଠୀ ରବିବାର ଏକ ବନ୍ଧୁମିଳନ କରିବାକୁ ପଛାଇନାହାନ୍ତି।

ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ଏହି ଫୋନ୍ ଯିବା ମଧ୍ୟ ଏକ ବଡ଼ଧରଣର ଷଡ଼ଯନ୍ତ୍ରର ଅଂଶବିଶେଷ। ନବୀନ ନିବାସରେ ପାଣ୍ଡିଆନ ନିଜେ ବସି ଏହି ନେତାମାନଙ୍କ ନିକଟକୁ ନବୀନଙ୍କ ଦ୍ୱାରା ଫୋନ୍ କରାଇଛନ୍ତି। ପାଣ୍ଡିଆନ ନିଜର ଖାସ୍ ଅନୁଗତ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଚାପରେ ନବୀନଙ୍କ ଦ୍ୱାରା ଏହି ଫୋନ୍ କଲ କରାଇଥିବା ଓ ରାଜ୍ୟର ସମସ୍ତ ଛାମୁଆ ୟୁନିଟକୁ ପୁଣି ଥରେ ନିରସ୍ତ୍ର କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ପରସ୍ପରର ଦୁର୍ବଳତାକୁ ସାଇତି ରଖିଥିବା ପାଣ୍ଡିଆନ ଓ ବବି ଏବେ ନବୀନଙ୍କୁ ମାତ୍ରାଧିକ ଆଶଙ୍କାଗ୍ରସ୍ତ କରାଇ ବିଜେଡି ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଏଭଳି ଅସ୍ଥିରତା ଓ ଅଚଳାବସ୍ଥା ସୃଷ୍ଟି କରୁଥିବା ମଧ୍ୟ ଦଳୀୟ ମହଲରେ ଆଲୋଚନା ହେଉଛି। ବିଭିନ୍ନ ସ୍ଥାନରେ ଯେଉଁ ନେତାମାନେ ମେଳି କରୁଛନ୍ତି ସେମାନେ ପ୍ରାୟତଃ ସମସ୍ତେ ବବିଙ୍କ ଖାସ୍ ଭାବେ ପରିଚିତ। ଦଳର ପରାଜୟ ପରେ କର୍ମୀ ଓ ନେତାମାନଙ୍କ ଚାପରେ ବବିଙ୍କୁ ସାଂଗଠନିକ କାର୍ଯ୍ୟରୁ ଏକପ୍ରକାରର ଦୂରେଇ ରଖାଯାଇଥିବାରୁ ବବି ପୁଣିଥରେ ନିଜର ହାକିମାତି ଦେଖାଇବାକୁ ଚାହୁଁଛନ୍ତି। ଆଉ ନିଜେ ଡାହାଣୀ ଭଳି ଲାଗି ଗୁଣିଆ ହୋଇ ଝାଡ଼ିବା ଭୂମିକା ତୁଲାଉଛନ୍ତି। ବବିଙ୍କ ବିନା ସହଯୋଗରେ ବିଜେଡି ସଂଗଠନକୁ ନିୟନ୍ତ୍ରଣରେ ରଖିବା ସମ୍ଭବପର ନୁହେଁ ବୋଲି ପାଣ୍ଡିଆନ ହୃଦବୋଧ କରିଛନ୍ତି। ତେଣୁ ପରସ୍ପର ଏବେ ନିଜର ସ୍ୱାର୍ଥ ପାଇଁ ନବୀନଙ୍କୁ ସଖିକଣ୍ଢେଇ ସଜାଇ ବିଜେଡି ଭଳି ଏକ ବୃହତ ଆଞ୍ଚଳିକ ରାଜନୀତିକ ଦଳକୁ ତଳିତଳାନ୍ତ କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି। ନବୀନ ନିଜେ ଘୋଷଣା କରିବା ସତ୍ତ୍ୱେ ତାଙ୍କୁ ସବୁ ଜିଲ୍ଲା ନବୁଲାଇବା ପଛରେ ପାଣ୍ଡିଆନଙ୍କ ଉଦ୍ଭଟ ମସ୍ତିଷ୍କ କାମ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଦଳର ସଦସ୍ୟ ସଂଗ୍ରହ ଅଭିଯାନ ପାଇଁ ଗତମାସରେ ବିଧାୟକମାନଙ୍କୁ ନବୀନ ଭେଟିବାବେଳେ ତାଙ୍କର ଅସହାୟତା ପ୍ରକାଶ କରିବାକୁ ପଛାଇ ନଥିଲେ। ‘ଅଗର ଆପ୍ ଲୋଗ୍ ମେମ୍ବର୍ସ ନେହି ବନାଓଗେ ତୋ ମେଁ ଫିର୍ ପ୍ରେସିଡେଣ୍ଟ କୈସେ ବନୁଙ୍ଗା’ ବୋଲି ନବୀନ କହିଥିବା ଜଣାପଡ଼ିଛି। ଦେଶର ଏକ ସଫଳ ଆଂଚଳିକ ଦଳର ସୁପ୍ରିମୋ ତଥା କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ରହିଥିବା ନବୀନଙ୍କ ଏଭଳି ଅସହାୟତା ବୟାସଧିକ୍ୟ ଯୋଗୁ ନା ତାଙ୍କୁ କେହି ନିୟମିତ ଭାବେ ଆଶଙ୍କାଗ୍ରସ୍ତ କରାଉଥିବାର ପ୍ରତିଫଳନ ତାହା ଏବେ ଚର୍ଚ୍ଚାର ବିଷୟ।