ନାଡାଲଙ୍କୁ ଅଲିମ୍ପିକ୍ସରୁ ବିଦା କଲେ ଜୋକଭିଚ୍‌

ପ୍ରଥମ ସେଟକୁ ୬-୧ରେ ଜିତିଥିବା ଜୋକଭିଚ୍‌ଙ୍କୁ ଦ୍ୱିତୀୟ ସେଟରେ ନାଡାଲ କିଛିଟା ଚ୍ୟାଲେଞ୍ଜ ଦେଇଥିଲେ। ହେଲେ ଶେଷରେ ୬-୪ରେ ଜୋକଭିଚ ସେଟ ସହ ମ୍ୟାଚ୍‌କୁ ଜିତି ନେଇଥିଲେ।

ନାଡାଲଙ୍କୁ ଅଲିମ୍ପିକ୍ସରୁ ବିଦା କଲେ ଜୋକଭିଚ୍‌

ବିଶ୍ୱର ୨ନଂ ଖେଳାଳି ନୋଭାକ ଜୋଭିଚ୍‌ ତାଙ୍କର ଚୀରପ୍ରତିଦ୍ୱନ୍ଦ୍ୱୀ ତଥା ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ବିଦା କରିଛନ୍ତି। ଆଜି ପୁରୁଷ ଏକକ ବର୍ଗର ଦ୍ୱିତୀୟ ରାଉଣ୍ଡରେ ଜୋକଭିଚ୍‌ ଖୁବ କମ ସମୟ ମଧ୍ୟରେ ନାଡାଲଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି। ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିବା ନାଡାଲଙ୍କୁ ୧-୬ ଓ ୪-୬ ସେଟରେ ଜୋକଭିଚ ପରାସ୍ତ କରି ଅଲିମ୍ପିକ୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

୨୪ଥରର ଗ୍ରାଣ୍ଡ ସ୍ଲାମ ବିଜେତା ଜୋକଭିଚ୍‌ ଆଜି ଆରମ୍ଭରୁ ହିଁ ନାଡାଲଙ୍କ ଉପରେ ଚାପ ପକାଇଥିଲେ। ସେ ନାଡାଲଙ୍କ ଉପରେ ସଂପୂର୍ଣ୍ଣ ଦବଦବା ଦେଖାଇ ବ୍ରେକ ପଏଣ୍ଟ ହାସଲ କରିଥିଲେ। ଏଥିସହ ମାତ୍ର ୩୯ ମିନିଟ ମଧ୍ୟରେ ପ୍ରଥମ ସେଟକୁ ୬-୧ରେ କବଜା କରିଥିଲେ।

୨୦୨୨ ‍ଫ୍ରେଞ୍ଚ ଓପନରେ ପରସ୍ପରକୁ ଭେଟୁଥିବା ଜୋକଭିଚ୍‌ ଓ ନାଡାଲଙ୍କ ଲଢ଼େଇକୁ ଦେଖିବା ପାଇଁ Philippe-Chatrier କୋର୍ଟରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ମ୍ୟାଚ୍‌ ପୂରା ଏକତରଫା ହୋଇଥିଲା।

ପ୍ରଥମ ସେଟକୁ ୬-୧ରେ ଜିତିଥିବା ଜୋକଭିଚ୍‌ଙ୍କୁ ଦ୍ୱିତୀୟ ସେଟରେ ନାଡାଲ କିଛିଟା ଚ୍ୟାଲେଞ୍ଜ ଦେଇଥିଲେ। ହେଲେ ଶେଷରେ ୬-୪ରେ ଜୋକଭିଚ ସେଟ ସହ ମ୍ୟାଚ୍‌କୁ ଜିତି ନେଇଥିଲେ।

୩୮ ବର୍ଷୀୟ ନାଡାଲ ଆଣ୍ଠୁ ସମସ୍ୟା ସତ୍ତ୍ୱେ ପ୍ୟାରିସ ଅଲିମ୍ପିକ୍ସ ଖେଳିବାକୁ ଆସିଛନ୍ତି। ସେ ପୁରୁଷ ଡବଲ୍ସରେ ବିଶ୍ୱର ୧ନଂ ଖେଳାଳି କାର୍ଲୋସ ଆଲକାରାଜଙ୍କୁ ସାଥୀ କରି ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ଉକ୍ତ ମ୍ୟାଚ୍‌କୁ ମଧ୍ୟ ଦୁଇ ସ୍ପେନ ଷ୍ଟାର ଜିତି ନେଇଥିଲେ।

କିନ୍ତୁ ପୁରୁଷ ଏକକର ଦ୍ୱିତୀୟ ରାଉଣ୍ଡରୁ ନାଡାଲ ବିଦାୟ ନେଇଛନ୍ତି। ଏବେ ସେ କେବଳ ପୁରୁଷ ଡବଲ୍ସରେ ନଜର ଆସିବେ।