ନାବାଳିକା କଲେ ସନ୍ତାନ ପ୍ରସବ; ହଷ୍ଟେଲ ୱାର୍ଡେନ ହେଲେ ନିଲମ୍ବିତ

ଏହି ମାମଲାରେ ହଷ୍ଟେଲ ୱାର୍ଡେନଙ୍କୁ ସସ୍‌ପେଣ୍ଡ କରାଯାଇଛି। ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରି ପସ୍କୋ ଆକ୍ଟରେ ମାମଲା ରୁଜୁ କରିଛି।

ନାବାଳିକା କଲେ ସନ୍ତାନ ପ୍ରସବ; ହଷ୍ଟେଲ ୱାର୍ଡେନ ହେଲେ ନିଲମ୍ବିତ

ନବମ ଶ୍ରେଣୀ ଛାତ୍ରୀ ହେଲେ ମା’ । କିଛି ଦିନ ପୂର୍ବେ କଲେ ସନ୍ତାନ ପ୍ରସବ । ଏପରି ଏକ ଚାଞ୍ଚଲ୍ୟକର ଘଟଣା କର୍ଣ୍ଣାଟକାର ଚିକ୍କାବାଲାପୁରର ଏକ ହଷ୍ଟେଲରେ ଘଟିଛି। ଏହି ମାମଲାରେ ହଷ୍ଟେଲ ୱାର୍ଡେନଙ୍କୁ ସସ୍‌ପେଣ୍ଡ କରାଯାଇଛି। ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରି ପସ୍କୋ ଆକ୍ଟରେ ମାମଲା ରୁଜୁ କରିଛି।

ନାବାଳିକାଜଣକ ଗତବର୍ଷ ସାମାଜିକ ମଙ୍ଗଳ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ଥିବା ଏକ ହଷ୍ଟେଲକୁ ଆସିଥିଲେ। ସେତେବେଳେ ସେ ଅଷ୍ଠମ ଶ୍ରେଣୀ ଛାତ୍ରୀ ଥିଲେ । ଏହାପରେ ସେ ବାରମ୍ବାର ହଷ୍ଟେଲରୁ ଗାଏବ ହୋଇ ଯାଉଥିଲେ। ଦୀର୍ଘ ଦିନ ଅନୁପସ୍ଥିତ ରହିବା ପରେ ହଷ୍ଟେଲକୁ ଫେରୁଥିଲେ।

ଇତି ମଧ୍ୟରେ ଗତ ବର୍ଷ ଅଗଷ୍ଟରେ ତାଙ୍କର ମେଡିକାଲ ଟେଷ୍ଟ ହୋଇଥିବା ବେଳେ ସେ ଗର୍ଭବତୀ ଥିବା ଜଣା ପଡ଼ି ନ ଥିଲା। କିଛି ଦିନ ପୂର୍ବେ ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ ସେ ଗର୍ଭବତୀ ଥିବା ଜଣା ପଡ଼ିଥିଲା। ଏହାପରେ ସେ ସିଟି ହସ୍ପିଟାଲରେ ସନ୍ତାନ ପ୍ରସବ କରିଥିବା ଜଣାଯାଇଛି।

ମିଳିଥିବା ସୂଚନାରୁ ଜଣାଯାଇଛି, ନାବାଳିକାଙ୍କର ଉକ୍ତ ହଷ୍ଟେଲରେ ରହୁଥିବା ଜଣେ ଦଶମ ଛାତ୍ରଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ଛାତ୍ରଜଣ ଦଶମ ପରେ କର୍ଣ୍ଣାଟକା ଚାଲି ଯାଇଥିଲେ। ତେଣୁ ନାବାଳିକାଜଣକ ବି ତାଙ୍କୁ ସାକ୍ଷାତ କରିବାକୁ ବାରମ୍ବାର ହଷ୍ଟେଲରୁ ଗାଏବ ହେଉଥିବା ଅନୁମାନ କରାଯାଉଛି।

ପୁଲିସ୍‌ ପସ୍ଖୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ଏବେ ସମ୍ପୃକ୍ତ ନାବାଳକଙ୍କ ସନ୍ଧାନ କରୁଥିବା କହିଛି। ଏନେଇ ବିସ୍ତୃତ ଖୋଳତାଡ଼ ହେବା ପରେ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଏପରି ଏକ ସାଂଘାତିକ ଘଟଣା ସମ୍ପର୍କରେ ହଷ୍ଟେଲ ୱାର୍ଡେନ କିପରି କିଛି ସୁରାଗ ପାଇ ପାରିଲେନି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ତେଣୁ ତାଙ୍କୁ ତୁରନ୍ତ ଚାକିରିରୁ ସସ୍‌ପେଣ୍ଡ କରାଯାଇଛି।