ନାରୀ ନିର୍ଯାତନା ଓ କଠୋର ଦଣ୍ଡବିଧାନ
୨୦୧୨ ମସିହାରେ ଆଲୋଡ଼ନ ସୃଷ୍ଟି କରିଥିଲା ନୂଆଦିଲ୍ଲୀ ରାଜରାସ୍ତାରେ ଚଳନ୍ତା ବସରେ ଘଟିଥିବା ନାରକୀୟ କାଣ୍ଡ। ସାଧାରଣ ଜନତା ଏପରି ଅମାନବୀୟ କାଣ୍ଡରେ ଲିପ୍ତ ଦୋଷୀକୁ କଠୋର ଦଣ୍ଡବିଧାନ ପାଇଁ ଦାବି କରିଥିଲେ। ୧୨ ବର୍ଷ ଅନ୍ତରରେ କଲିକତାର ଏକ ଡାକ୍ତରଖାନାରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଏଭଳି ନାରକୀୟ କାଣ୍ଡର ସାମ୍ନା କରିବାକୁ ପଡ଼ିଛି। ଏହି ୧୨ ବର୍ଷ ମଧ୍ୟରେ କେତେ ଯେ ମହିଳା ଏଭଳି ନିର୍ଯାତନାର ଶିକାର ହୋଇଥିବେ ଏବଂ ସେହି ଘଟଣା ଫାଇଲ ତଳେ […]

୨୦୧୨ ମସିହାରେ ଆଲୋଡ଼ନ ସୃଷ୍ଟି କରିଥିଲା ନୂଆଦିଲ୍ଲୀ ରାଜରାସ୍ତାରେ ଚଳନ୍ତା ବସରେ ଘଟିଥିବା ନାରକୀୟ କାଣ୍ଡ। ସାଧାରଣ ଜନତା ଏପରି ଅମାନବୀୟ କାଣ୍ଡରେ ଲିପ୍ତ ଦୋଷୀକୁ କଠୋର ଦଣ୍ଡବିଧାନ ପାଇଁ ଦାବି କରିଥିଲେ। ୧୨ ବର୍ଷ ଅନ୍ତରରେ କଲିକତାର ଏକ ଡାକ୍ତରଖାନାରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଏଭଳି ନାରକୀୟ କାଣ୍ଡର ସାମ୍ନା କରିବାକୁ ପଡ଼ିଛି। ଏହି ୧୨ ବର୍ଷ ମଧ୍ୟରେ କେତେ ଯେ ମହିଳା ଏଭଳି ନିର୍ଯାତନାର ଶିକାର ହୋଇଥିବେ ଏବଂ ସେହି ଘଟଣା ଫାଇଲ ତଳେ ଚାପି ହୋଇଯାଇଥିବ, ତାହାର ହିସାବ ନାହିଁ। ଅପରପକ୍ଷରେ ସେହିସବୁ ଅପରାଧରେ ଜଡ଼ିତ ଅପରାଧୀ ବା ଅସଂଖ୍ୟ ମାନବ ରୂପୀ ପିଶାଚ ଖୋଲା ଆକାଶତଳେ ନିର୍ଭୟରେ ବିଚରଣ କରୁଛନ୍ତି।
ପଶ୍ଚିମବଙ୍ଗରେ ସୁଶ୍ରୀ ମମତା ବାନାର୍ଜୀଙ୍କ ଭଳି ଜଣେ ଶକ୍ତିଶାଳୀ ମହିଳା ମୁଖ୍ୟମନ୍ତ୍ରୀଙ୍କ ଶାସନ ୨୦୧୧ ମସିହାରୁ ଜାରି ରହିଛି। ତାଙ୍କର ନିଷ୍ଠା, ଦୃଢ଼ତା, ଶାଣିତ ସ୍ୱର, ପରାକାଷ୍ଠା ସହିତ ଭାରତବାସୀ ପରିଚିତ। ଦୁର୍ଭାଗ୍ୟବଶତଃ ସେହି ରାଜ୍ୟରେ ମହିଳାଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟର ଅନୁସନ୍ଧାନ କରିବା ପାଇଁ ଅଦାଲତଙ୍କ ହସ୍ତକ୍ଷେପ ଆବଶ୍ୟକ ପଡ଼ିଲା। ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଏହି ଘଟଣାରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ସମ୍ୱିଧାନ ନାଗରିକଙ୍କୁ ସମାନତା ପ୍ରଦାନ କରୁଥିବା ବେଳେ ଯଦି ମହିଳା ନାଗରିକ ନିଜ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷିତ ନୁହନ୍ତି ତେବେ ସେପରି ସମାନତା ମୂଲ୍ୟହୀନ।
ସାମଗ୍ରିକ ଭାବେ ଦେଖିବାକୁ ଗଲେ ଭାରତରେ ନାରୀ ଆଜି ଅତ୍ୟନ୍ତ ଅସୁରକ୍ଷିତ ଏବଂ ଧର୍ମକୁ ଆଖି ଠାର ଦେଇ ନାରୀ ସଶକ୍ତୀକରଣ ନାରା ଦିଆଯାଉଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋରୁ ଜଣାଯାଏ ଯେ ୨୦୨୨ ମସିହାରେ ଭାରତରେ ୩୧, ୫୧୬ ଟି ଦୁଷ୍କର୍ମ ଘଟଣା ଘଟିଥିଲା, ଯାହା ୨୦୨୧ ମସିହାଠାରୁ ପ୍ରାୟ ୨୦ ପ୍ରତିଶତ ଅଧିକ। ପଞ୍ଜିକୃତ ଘଟଣାଠାରୁ ବାସ୍ତବ ଘଟଣା ଆହୁରି ଅଧିକ ହୋଇପାରେ। ନାରୀ ସୁରକ୍ଷା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ଉଦ୍ୟମ କରିଆସୁଥିବା ବେଳେ ମହିଳା ପୁଲିସ୍ ବାହିନୀ ମଧ୍ୟ ଗଠନ ହୋଇଛି। କନେଷ୍ଟବଳ ପଦବୀଠାରୁ ଆରମ୍ଭ କରି ଉଚ୍ଚ ପଦବୀରେ ମହିଳା ଅଧିକାରୀମାନଙ୍କ ଉପସ୍ଥିତି ରହିଛି। ତଥାପି ମହିଳାମାନେ ଅସୁରକ୍ଷିତ। ଏପରିକି ପୁଲିସ୍ ବିଭାଗରେ କାର୍ଯ୍ୟରତ ମହିଳାମାନେ ମଧ୍ୟ ଅସାମାଜିକ କାର୍ଯ୍ୟକଳାପର ଶିକାର ହେଉଥିବା ଦେଖାଯାଉଛି।
ଭାରତ ନିଜର ସଂସ୍କୃତି, ପରମ୍ପରା ଓ ରକ୍ଷଣଶୀଳତା ପାଇଁ ବିଶ୍ୱବିଦିତ। ଏହାଛଡ଼ା ବିଭିନ୍ନ ଶିକ୍ଷାନୁଷ୍ଠାନରେ ନୀତିଶାସ୍ତ୍ର ଓ ନୈତିକ ମୂଲ୍ୟବୋଧ ଶିକ୍ଷାକୁ ବେଶ କିଛି ବର୍ଷ ହେବ ବାଧ୍ୟତାମୂଳକ କରାଯାଇଛି। ତଥାପି ଆଶାନୁରୂପ ମାନସିକ ପରିବର୍ତ୍ତନ ସମାଜରେ ପରିଲକ୍ଷିତ ହେଉଥିବା ଦେଖାଯାଉନାହିଁ। କାର୍ଯ୍ୟସ୍ଥଳରୁ ଆରମ୍ଭ କରି ବଜାର ଘାଟ, ପ୍ରେକ୍ଷାଳୟ, ଶିକ୍ଷାନୁଷ୍ଠାନ, ମନ୍ଦିର, ପାର୍କ ଅଥବା ତୀର୍ଥ ବା ଭ୍ରମଣସ୍ଥଳ ଆଦି କୌଣସି ସ୍ଥାନ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ଦିନଦିପହରରେ ମଧ୍ୟ ଯେକୌଣସି ବୟସର ମହିଳାଙ୍କ ଏକୁଟିଆ ଯିବା ସମ୍ପୂର୍ଣ୍ଣ ନିରାପଦ ନୁହେଁ। ସବୁପ୍ରକାର ନିର୍ଯାତନାକୁ ମହିଳମାନେ ମୁଣ୍ଡପାତି ସହ୍ୟ କରିବାକୁ ବାଧ୍ୟ ହେଉଛନ୍ତି।
ଏହି ସମସ୍ୟାର ଏକମାତ୍ର ସମାଧାନ ହେଲା ନିରନ୍ତର କଠିନ ଦଣ୍ଡବିଧାନ। ଦୁଷ୍କର୍ମ ପରି ଘଟଣା ସାଧାରଣତଃ ନିକାଞ୍ଚନ ସ୍ଥାନରେ ଘଟୁ ଥିବାରୁ ସାକ୍ଷ୍ୟପ୍ରମାଣ କମ ମିଳିଥାଏ। ତେଣୁ ଏକମାତ୍ର ଦୃଢ଼ ସାକ୍ଷ୍ୟ ଭାବେ ପୀଡ଼ିତାକୁ ହତ୍ୟା କରିଦେଲେ ପ୍ରମାଣ ନିଶ୍ଚିହ୍ନ ହୋଇଯିବା ଉଦ୍ଦେଶ୍ୟରେ ହତ୍ୟା ଭଳି ବର୍ବରତା ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୬୪, ୬୫(୧) ଅନୁଯାୟୀ ଦୁଷ୍କର୍ମକାରୀକୁ ୧୦ କିମ୍ୱା ୨୦ ବର୍ଷ ଅଥବା ଆଜୀବନ କାରାଦଣ୍ଡ କିମ୍ୱା ବିରଳ ପରିସ୍ଥିତିରେ ମୃତ୍ୟୁଦଣ୍ଡ ବିଧାନ କରାଯାଇଛି। ଏତଦ୍ବ୍ୟତୀତ ପୀଡ଼ିତାଙ୍କର ଚିକିତ୍ସା ତଥା ଥଇଥାନ ଖର୍ଚ୍ଚ ମଧ୍ୟ ଜୋରିମାନା ଆକାରରେ ଦୋଷୀଠାରୁ ଆଦାୟ କରାଯିବାର ପ୍ରାବଧାନ ରହିଛି। ଯୌନ ନିର୍ଯାତନା ମାମଲାଗୁଡ଼ିକର ତ୍ୱରିତ ଫଇସଲା ହେବା ନିତାନ୍ତ ଆବଶ୍ୟକ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ‘ଅପରାଜିତା’ ବିଧେୟକ ରାଜ୍ୟ ବିଧାନସଭାରେ ପାରିତ କରାଇ ଦୁଷ୍କର୍ମକାରୀ କିମ୍ୱା ନାରୀକୁ ଅସମ୍ମାନ କରୁଥିବା ଅପରାଧୀମାନଙ୍କୁ କଠୋର ଦଣ୍ଡବିଧାନ ପ୍ରଣୟନ ପାଇଁ ଉଦ୍ୟମ କରିଛନ୍ତି। କିନ୍ତୁ ତାହାର କାର୍ଯ୍ୟକାରିତା ଓ ପ୍ରଭାବ ସନ୍ଦେହ ଘେରକୁ ଆସୁଛି। ବିଚିହୋତ୍ରି ମହାନ୍ତି ମାମଲାରେ ଯଦି ଘଟଣାର ଦଶ ଦିନ ମଧ୍ୟରେ ରାଜସ୍ଥାନ ଅଦାଲତ ତ୍ୱରିତ ଫଇସଲା ଶୁଣାଇଲେ ତାହା ଅନ୍ୟ ସ୍ଥାନରେ ସମ୍ଭବ ନ ହେବ କାହିଁକି?
ବର୍ତ୍ତମାନର ମାନବୀୟ ଚେତନାରେ ଏପରି ଜଘନ୍ୟ ଘଟଣା ପ୍ରତି ଭୟ ଜାଗରଣ ଉଦେଶ୍ୟରେ ମୁସଲିମ ଦେଶ ସମୂହ ବ୍ୟବହାର କରୁଥିବା ଦୃଢ଼ ବିଚାର ବିଭାଗୀୟ ‘ଯେସା କୁ ତେସା’ ଦଣ୍ଡବିଧାନ ଓ କଠୋର ଉପାୟ ଆପଣେଇଲେ ଯାଇ ସମାଜକୁ ପଥଭ୍ରଷ୍ଟ ହେବାରୁ ରକ୍ଷା କରାଯାଇପାରିବ। ମହିଳାମାନେ ମଧ୍ୟ ସ୍ୱଚ୍ଛନ୍ଦରେ ଚଳିପାରିବେ। କୌଣସି ପୁରୁଷ ମହିଳାଙ୍କୁ ନିର୍ଯାତନା ଦେବା ପାଇଁ ସାହସ କରିପାରିବ ନାହିଁ। ଏଥିପାଇଁ କିନ୍ତୁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି।
ଡ. ମାନସ ରଞ୍ଜନ ଶତପଥି
ନୟାଗଡ଼଼, ମୋ: ୯୪୩୭୪୭୯୦୪୫
(ଅଧ୍ୟକ୍ଷ, ମଡେଲ ଡିଗ୍ରୀ କଲେଜ)