ନିଜକୁ ନାବାଳକ କହିଲା ବାବା ସିଦ୍ଦିକି ହତ୍ୟାକାଣ୍ଡର ଅଭିଯୁକ୍ତ, ହାଡ଼ ପରୀକ୍ଷା ପାଇଁ କହିଲେ କୋର୍ଟ

ବୋନ ଓସିଫିକେସନ ଟେଷ୍ଟ ବା ହାଡ଼ ପରୀକ୍ଷା ଦ୍ୱାରା ଏକ୍ସ ରେ ମାଧ୍ୟମରେ ଜଣଙ୍କ ପ୍ରକୃତ ବୟସ ଜଣାପଡ଼ିଥାଏ। କୋର୍ଟ କଶ୍ୟପର ପ୍ରକୃତ ବୟସ ଜାଣିବା ପାଇଁ ହାଡ଼ର ପରୀକ୍ଷା କରିବାକୁ କହିଛନ୍ତି।

ନିଜକୁ ନାବାଳକ କହିଲା ବାବା ସିଦ୍ଦିକି ହତ୍ୟାକାଣ୍ଡର ଅଭିଯୁକ୍ତ, ହାଡ଼ ପରୀକ୍ଷା ପାଇଁ କହିଲେ କୋର୍ଟ

ଏନସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରିବା ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୨ ଜଣଙ୍କୁ ଚିହ୍ନଟ କରିଛି।

ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ବିଭିନ୍ନ ମହଲରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପୁଲିସ୍‌ ଗୁଳି ମାଡ଼ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହିଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଦାବି କରିଛି।

ଦୁଇ ଜଣଙ୍କୁ ଗିରଫ କରିବା ପରେ ପୁଲିସ ସେମାନଙ୍କୁ ଆଜି ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଇଥିଲା। ୨୩ ବର୍ଷୀୟ ଗୁରମାଳି ବଲଜିତ ସିଂହଙ୍କୁ କୋର୍ଟ ଅକ୍ଟୋବର ୨୧ ଯାଏ ପୁଲିସ୍‌ ରିମାଣ୍ଡରେ ପଠାଇ ଦେଇଛନ୍ତି।

ତେବେ ଦ୍ୱିତୀୟ ଅଭିଯୁକ୍ତ ଧର୍ମରାଜ ରାଜେଶ କଶ୍ୟପ ନିଜକୁ ନାବଳକ କହିବାରୁ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। କଶ୍ୟପ ନିଜର ବୟସ ୧୭ କହିବାରୁ କୋର୍ଟ ତା’ର ହାଡ଼ ପରୀକ୍ଷା କରିବାକୁ କହିଛନ୍ତି।

ବୋନ ଓସିଫିକେସନ ଟେଷ୍ଟ ବା ହାଡ଼ ପରୀକ୍ଷା ଦ୍ୱାରା ଏକ୍ସ ରେ ମାଧ୍ୟମରେ ଜଣଙ୍କ ପ୍ରକୃତ ବୟସ ଜଣାପଡ଼ିଥାଏ। କୋର୍ଟ କଶ୍ୟପର ପ୍ରକୃତ ବୟସ ଜାଣିବା ପାଇଁ ହାଡ଼ର ପରୀକ୍ଷା କରିବାକୁ କହିଛନ୍ତି।

ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ମୁହଁ ଘୋଡ଼ାଇ ମାଜିଷ୍ଟ୍ରେଟ ଏସସି ତାୟଡେଙ୍କ ଆଗରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ ଉଭୟଙ୍କୁ ସେମାନଙ୍କର ନାଁ ଓ ବୟସ ପଚାରିଥିଲେ। ଏହି ସମୟରେ କଶ୍ୟପ ନିଜର ବୟସ ୧୭ ବୋଲି କହିଥିଲା।

ଏହାକୁ ସରକାରୀ ଓକିଲ ଗୌତମ ଗାଏକ୍ୱାଡ ଜୋରଦାର ବିରୋଧ କରିଥିଲେ। ଶନିବାର ଗୁଳିକାଣ୍ଡ ଘଟିଥିବା ସ୍ଥାନରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ କଶ୍ୟପର ଜନ୍ମ ତାରିଖ ୨୦୦୩ ମାର୍ଚ୍ଚ ୧ ରହିଛି।

ଏକଥା ଶୁଣିବା ପରେ ମାଜିଷ୍ଟେଟ ଅଭିଯୁକ୍ତର ଆଧାର କାର୍ଡ ମାଗିଥିଲେ। ଏଥିରେ କଶ୍ୟପର ଫଟୋ ରହିଛି। କିନ୍ତୁ ନାଁ ରଞ୍ଜନ କୁମାର ଗୁପ୍ତା ବୋଲି ଲେଖାଯାଇଛି।

ଆଧାର କାର୍ଡ ପ୍ରକୃତରେ କଶ୍ୟପଙ୍କର କି ନୁହେଁ, ସେକଥା ଜାଣିବା ପାଇଁ କୋର୍ଟ ଟିପ ଚିହ୍ନର ପରୀକ୍ଷା କରିଥିଲେ। ଏହାପରେ କଶ୍ୟପର ପ୍ରକୃତ ବୟସ ଜାଣିବା ପାଇଁ ହାଡ଼ ଟେଷ୍ଟର ନିର୍ଦ୍ଦେଶ ଦେଇଥିଲେ।