ନିଟ ମାମଲା: ମାଷ୍ଟରମାଇଣ୍ତ ଓ ୨ ମେଡିକାଲ ଛାତ୍ରଙ୍କୁ ବାନ୍ଧିଲା ସିବିଆଇ

ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ସହ ଜଡ଼ିତ ୬ଟି ମାମଲାରେ ସିବିଆଇ ଇତି ମଧ୍ୟରେ ୨୧ ଜଣଙ୍କୁ ଗିରଫ କରିସାରିଲାଣି।

ନିଟ ମାମଲା: ମାଷ୍ଟରମାଇଣ୍ତ ଓ ୨ ମେଡିକାଲ ଛାତ୍ରଙ୍କୁ ବାନ୍ଧିଲା ସିବିଆଇ

ନିଟ-ୟୁଜି ପେପର ଲିକ୍‌ ମାମଲାରେ ଆଜି ସିବିଆଇ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ପେପର ଲିକ୍‌ ଘଟଣାର ଅନ୍ୟତମ ମାଷ୍ଟରମାଇଣ୍ଡ କୁହାଯାଉଥିବା ଏନଆଇଟ ଜାମସେଦପୁରରୁ ବିଟେକରେ ଗ୍ରାଜ୍ୟୁଏଟ ହୋଇଥିବା ଜଣେ ଯୁବକ ରହିଛନ୍ତି। ସେହିପରି ଲିକ ପ୍ରଶ୍ନପତ୍ରର ସମାଧାନ କରୁଥିବା ୨ ଜଣ ଏମବିବିଏସ୍‌ ଛାତ୍ର ମଧ୍ୟ ଧରା ପଡ଼ିଛନ୍ତି।

ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ସହ ଜଡ଼ିତ ୬ଟି ମାମଲାରେ ସିବିଆଇ ଇତି ମଧ୍ୟରେ ୨୧ ଜଣଙ୍କୁ ଗିରଫ କରିସାରିଲାଣି।

ସିବିଆଇ ପକ୍ଷରୁ କୁହାଯାଇଛି ଯେ ସଲଭର୍ସ ସାଜିଥିବା ୨ ଏମବିବିଏସ୍‌ ଛାତ୍ର ହେଲେ କୁମାର ମଙ୍ଗଲମ ବିଷ୍ଣୋଇ(ଦ୍ୱିତୀୟ ବର୍ଷ) ଓ ଦୀପେନ୍ଦ୍ର ଶର୍ମା(ପ୍ରଥମ ବର୍ଷ)। ଏମାନେ ରାଜସ୍ଥାନର ଭରତରପୁରରେ ଥିବା ଗୋଟିଏ ମେଡିକାଲ କଲେଜର ଛାତ୍ର। ଉଭୟ ପଙ୍କଜ କୁମାର ନାମକ ଜଣେ ଇଞ୍ଜିନିୟର ଏନଟିଏର ହଜାରିବାଗ ସ୍ଥିତ ଟ୍ରଙ୍କରୁ ଚୋରି କରିଥିବା ପ୍ରଶ୍ନପତ୍ରର ଉତ୍ତର ଲେଖିଥିଲେ।

ମେ’ ମାସରେ ୨ ସଲଭର୍ସ ହଜାରିବାଗରେ ଉପସ୍ଥିତ ରହିଥିଲେ। ସେହି ତାରିଖରେ ପୂରା ଦେଶରେ ନିଟ-ୟୁଜି ପରୀକ୍ଷା ହୋଇଥିଲା। ସୂତ୍ର ଅନୁସାରେ ଏହି ଦୁଇ ଜଣ ସଲଭର୍ସ ମଡ୍ୟୁଲର ଅଂଶବିଶେଷ। ପୂର୍ବରୁ ଏହି ଲିଙ୍କରେ ୫ ଜଣ ଏମବିବିଏସ୍‌ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ଏହି ମଡ୍ୟୁଲର ସଦସ୍ୟମାନେ ପ୍ରଶ୍ନପତ୍ର ପାଇବା ପରେ ଏହାର ସାମାଧାନ କରୁଥିଲେ। ଏହାପରେ ଉତ୍ତରଗୁଡ଼ିକୁ ନିଟ ଆଶାୟୀଙ୍କୁ ଦେଉଥିଲେ।

ଶନିବାର ଗିରଫ ହୋଇଥିବା ତୃତୀୟ ଯୁବକ ଜଣଙ୍କ ହେଲେ ଶଶିକାନ୍ତ ପାଶୱାନ ଓରଫ ଶଶି ଓରଫ ପାସୁ। ସେ ଜାମସେଦପୁର ଏନଆଇଟିର ପୂର୍ବତନ ଛାତ୍ର। କୁମାର ଓ ରକି ଭଳି ଶଶି ପ୍ରଶ୍ନପତ୍ର ଲିକ୍‌ର ଅନ୍ୟତମ ମାଷ୍ଟରମାଇଣ୍ଡ। ସିବିଆଇ କହିଛି ଯେ ଶଶି ହେଉଛି ପେପର ଲିକର ଅନ୍ୟତମ ମାଷ୍ଟରମାଇଣ୍ଡ।

ବିହାର ପୁଲିସ୍‌ ଠାରୁ ପେପର ଲିକ ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ସିବିଆଇ ପୂର୍ବରୁ ହିଁ ପ୍ରଶ୍ନପତ୍ର ଚୋରି କରିଥିବା ପଙ୍କଜ କୁମାର ଓ ଚୋରିରେ ସହାୟତା କରିଥିବା ରାଜୁ ସିଂହଙ୍କୁ ଗିରଫ କରିଥିଲା।

ଅନ୍ୟତମ ମାଷ୍ଟରମାଇଣ୍ଡ ରକି ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଛି। ଗୁରୁବାର ସିବିଆଇ ହଜାରିବାଗରେ ପଙ୍କଜ କୁମାରଙ୍କୁ ସହଯୋଗ କରିଥିବା ସୁରେନ୍ଦ୍ର ଶର୍ମା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା।