ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ: ଝାରସୁଗୁଡ଼ାରେ ପୁଣି ଥରେ ହେବ ଇଭିଏମ୍‌ ଯାଞ୍ଚ

ନିଜ ହାରକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଦୀପାଳି ଦାସ ପୁଣି ଥରେ ଇଭିଏମ୍‌ ଯାଞ୍ଚ ପାଇଁ ଆବେଦନ କରିଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର।

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ: ଝାରସୁଗୁଡ଼ାରେ ପୁଣି ଥରେ ହେବ ଇଭିଏମ୍‌ ଯାଞ୍ଚ

ଚଳିତ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ହାରର ସମ୍ମୁଖୀନ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ମାତ୍ର ନିଜ ହାରକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଦୀପାଳି ଦାସ ପୁଣି ଥରେ ଇଭିଏମ୍‌ ଯାଞ୍ଚ ପାଇଁ ଆବେଦନ କରିଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର। ଏଥିନିମନ୍ତେ ନିର୍ବାଚନ କମିଶନର ସହମତି ପ୍ରକାଶ କରିଥିବା ବେଳେ ଆସନ୍ତା ଜୁଲାଇ ୧୯ ପରେ ତାରିଖ ନିର୍ଦ୍ଧାରିତ ହେବ ବୋଲି ଜଣାଯାଇଛି।

ନିୟମ ମୁତାବକ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ଆଧାରରେ ୫ ପ୍ରତିଶତ ଇଭିଏମର ପୁନଃ ଗଣତି କରାଯିବ। ଏନେଇ ଦୀପାଳି ଦାସ ନିର୍ବାଚନ କମିଶନରଙ୍କ ନିକଟରେ ଆବେଦନ କରିଥିଲେ। ଯାହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର।

ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ ଉପସ୍ଥିତିରେ ୧୩ଟି ବୁଥ୍‌ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ।

ଏନେଇ ଦୀପାଳି ଦାସ କହିଛନ୍ତି, ଭାରତର ନାଗରିକ ହିସାବରେ ମୁଁ ମୋ’ ଅଧିକାର ପାଇଁ ଲଢ଼ୁଛି। ଏଥିନିମନ୍ତେ ନିର୍ବାଚନ କମିଶନରଙ୍କ ନିକଟରୁ ପତ୍ର ପାଇ ସାରିଛି। ଜୁଲାଇ ୧୯ ତାରିଖ ପରେ ଏଥିନିମନ୍ତେ ତାରିଖ ନିର୍ଦ୍ଧାରିତ ହେବ । ଏଥିରେ କାହାକୁ କୌଣସି ଅସୁବିଧା ହେବା ଉଚିତ ନୁହେଁ, କାରଣ ମୁଁ ମୋ’ ଅଧିକାର ପାଇଁ ଲଢ଼ୁଛି।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, କିଛି ଲୋକ ଶାସନ ବ୍ୟବସ୍ଥାକୁ ନିଜ ପରିବାରର ଜାଗିରଦାରୀ ଭାବନ୍ତି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ସେମାନେ ଭୁଲି ଯାଉଛନ୍ତି। ଏଠାରେ ଜନାଦେଶକୁ ସମ୍ମାନ ଦେବା ପ୍ରତି ନିର୍ବାଚିତ ଓ ପରାଜିତ ପ୍ରାର୍ଥୀଙ୍କ ଦାୟିତ୍ୱ। ମାତ୍ର କିଛି ପ୍ରାର୍ଥୀ ଜନାଦେଶକୁ ଗ୍ରହଣ କରି ପାରନ୍ତି ନାହିଁ। ଜନାଦେଶକୁ ଗ୍ରହଣ କରିବା ଶିଖନ୍ତୁ, କାରଣ ଏଠାରେ ପରିବାର ରାଜନୀତିର ସମାପ୍ତ ହୋଇଛି।

ମାତ୍ର ସେମାନେ ସେ ମାନସିକତାରୁ ବାହାରି ପାରୁ ନାହାନ୍ତି। ନିର୍ବାଚନ କମିଶନରଙ୍କ ନଜରରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ଗଣତି ହୋଇଥିବା ବେଳେ ସିସିଟିଭିରେ ଏହା କଏଦ ହୋଇଛି। ଏଥିସହ ତାଙ୍କ ଏଜେଣ୍ଟ ସବୁ ଡକ୍ୟୁମେଣ୍ଟଣେ ଦସ୍ତଖତ ମଧ୍ୟ କରିଛନ୍ତି। ଏବେ ସେ ପୁଣି ଥରେ ଇଭିଏମ୍‌ ଯାଞ୍ଚ ପାଇଁ ଆବେଦନ କରିଥିବାରୁ ତାହା ସ୍ୱାଗତଯୋଗ୍ୟ ।