ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା, ଝାଡ଼ୁ ଛାଡି ହାତ ଧରିଲେ ଦୁଇ ପୂର୍ବତନ ବିଧାୟକ

ଆମ୍‌ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ଆସିମ ଅହମଦ ଖାନ୍‌ ଓ ଦେବେନ୍ଦ୍ର ସହରାବତ କଂଗ୍ରେସରେ ସାମିଲ ହୋଇଛନ୍ତି।

ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା, ଝାଡ଼ୁ ଛାଡି ହାତ ଧରିଲେ ଦୁଇ ପୂର୍ବତନ ବିଧାୟକ

ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ଏଥିପାଇଁ ଜୋରସୋର୍‌ରେ ଚାଲିଛି ପ୍ରସ୍ତିତୁ। ଦିଲ୍ଲୀ କବ୍‌ଜା କରିବାକୁ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ। ପୂର୍ବରୁ ଶାସନ ଗାଦିରେ ବସିଥିବା ଆମ ଆଦମୀ ପାର୍ଟି ତା’ର ସତ୍ତା ବଜାୟ ରଖିବାକୁ ପ୍ରାଣପଣେ ଚେଷ୍ଟା ଜାରି ରଖିଛି। ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆପ୍‌କୁ ଲାଗିଛି ଝଟ୍‌କା। ଦୁଇ ପୂର୍ବତନ ବିଧାୟକ ଝାଡୁ ଛାଡି ହାତ ଧରିଛନ୍ତି।

ଆମ୍‌ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ଆସିମ ଅହମଦ ଖାନ୍‌ ଓ ଦେବେନ୍ଦ୍ର ସହରାବତ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମନିଫେଷ୍ଟୋ ପ୍ରସ୍ତୁତ କରିବାକୁ କଂଗ୍ରେସର ଦିଲ୍ଲୀ ୟୁନିଟ୍ ସୋମବାର ଏକ ବୈଠକ କରିଥିଲା। ଏହି ବୈଠକରେ ପରେ ଆପ୍‌ର ଏହି ଦୁଇ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି।

କଂଗ୍ରେସର ଦିଲ୍ଲୀ ୟୁନିଟର ମୁଖ୍ୟ ଦେବେନ୍ଦ୍ର ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ‘କଂଗ୍ରେସ ଦଳ ଆଦର୍ଶ ଓ ରୀତିନୀତିରେ ଅନୁପ୍ରାଣିତ ହୋଇ ଉଭୟ ନେତା ଦାଳରେ ସାମିଲ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ପରିବାରକୁ ଉଭୟଙ୍କୁ ସ୍ୱାଗତ। ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଦଳ ନୂତନ ଶକ୍ତି ପାଇବ।’