ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଲେ କଂଗ୍ରେସ ସାଂସଦ

ପଦ୍ମ ଧରିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ପଞ୍ଜାବ ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅହେତୁକ ଭଲ ପାଇବା ଅଛି ବୋଲି କହିଛନ୍ତି।

ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଲେ କଂଗ୍ରେସ ସାଂସଦ

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳର ଲୁଧିଆନା ସାଂସଦ ରଭନୀତ ସିଂହ ବିଟ୍ଟୁ ଆଜି ଦଳକୁ ବାଏବାଏ କହିଛନ୍ତି। ସେ କଂଗ୍ରେସ ଛାଡ଼ିବା ମାତ୍ରେ ବିଜେପିରେ ମିଶିଛନ୍ତି। ପଦ୍ମ ଧରିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ପଞ୍ଜାବ ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅହେତୁକ ଭଲ ପାଇବା ଅଛି ବୋଲି କହିଛନ୍ତି।

ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛି। ମୁଁ ବିଶ୍ୱାସର ସହ କହି ପାରିବି ଯେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପଞ୍ଜାବକୁ ଅହେତୁକ ଭଲ ପାଇବା ଦେଇଛନ୍ତି। ସେମାନେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି।

ଏପରି ସ୍ଥିତିରେ ପଞ୍ଜାବ କାହିଁକି ପଛରେ ରହିବ? ପଞ୍ଜାବ ସମ୍ପର୍କରେ ଯେତେବେଳେ ବି ମୁଁ ଯାହା କହିଛି, ତାକୁ ମୋଦି ଓ ଶାହ ସକାରାତ୍ମକ ଢଙ୍ଗରେ ନେଇଛନ୍ତି। ଆମେ ପଞ୍ଜାବକୁ ଆଗକୁ ନେବାକୁ ଚାହୁଁଛୁ। ଦେଶ ଫାଇଦା ପାଉଥିବା ବେଳେ ପଞ୍ଜାବ କାହିଁକି ପଛରେ ରହିବ?”

ବିଟ୍ଟୁ ୨୦୧୯ରେ ପଞ୍ଜାବ ଲୁଧିଆନାରେ ଲୋକ ଇନସାଫ ପାର୍ଟିର ସିମରଜୀତ ସିଂହଙ୍କୁ ୭୬,୩୭୨ ଖଣ୍ଡ ଭୋଟରେ ହରାଇଥିଲେ। ସେହିପରି ୨୦୧୪ରେ ସେ ଆପର ହରବିନ୍ଦର ସିଂହ ଫୋଲକାଙ୍କୁ ୧୯,୭୦୯ ଖଣ୍ଡ ଭୋଟରେ ମାତ ଦେଇ ଲୋକସଭାକୁ ଯାଇଥିଲେ।

ଏଥର ମଧ୍ୟ ଲୁଧିଆନାରୁ କଂଗ୍ରେସ ବିଟ୍ଟୁଙ୍କୁ ପ୍ରାର୍ଥୀ କରିବାର ଥିଲା। କିନ୍ତୁ ନାମ ଘୋଷଣା ହେବା ପୂର୍ବରୁ ସେ କଂଗ୍ରେସକୁ ବାଏବାଏ କହିଛନ୍ତି।