ନିର୍ବାଚନ ମାହୋଲରେ ମହଙ୍ଗା ମାଡ, ଖାଇବା ତେଲ ଓ ଡାଲି ଉପରମୁହାଁ

ଭୁବନେଶ୍ୱର ୦୯/୦୪: ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନୀ ମାହୋଲରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ନାହିଁ । ମହଙ୍ଗା ହୋଇଚାଲିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ । ଖାଇବା ତେଲ, ଡାଲି ଉପରମୁହାଁ । ଚିନି, ଚାଉଳ, ଅଟା ଦର ବି ଉଚ୍ଚରେ ରହିଛି । ଅଧିକାଂଶ ପରିବା ଏବେ ବି ଚଢ଼ା ଦରରେ ବିକ୍ରି ହେଉଛି । ନିକଟରେ ଖାଇବା ତେଲ, ଡାଲି ଏବଂ ଚିନି ଦର ପ୍ରାୟ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି । ଦୈନଦିନ ଜୀବନରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଦର ଉଚ୍ଚ ରହିଛି । ଶେଷ ହେଉନି ଖାଉଟିଙ୍କ ଚିନ୍ତା  । ନୂଆ ସରକାର ଆସିଲେ ଦରଦାମ ଚାପ ଲାଘବ ହେବା ଆଶାରେ ଅଛନ୍ତି ଖାଉଟି ।ବଜାର ସୂଚନା ମୁତାବକ, ବିରି ଓ ହରଡ଼ ଡାଲି କୁଇଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବଢ଼ିଛି । ପାଇକାରୀ ବଜାରରେ ହରଡ଼ ଡାଲି କିଲୋ ପିଛା ୧୫୩ ଟଙ୍କାରେ ପହଞ୍ଚିଛି । ଖୁଚୁରା ବଜାରରେ ଏହା ରହିଛି ୧୬୦ ଟଙ୍କା । ରାଜ୍ୟ ବାର୍ଷିକ ୯.୩୦ ଲକ୍ଷ ମେଟ୍ରିକ ଟନ୍‌ ଡାଲି ଆବଶ୍ୟକ କରୁଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୭୦ରୁ ୮୦ ହଜାର ଟନ୍‌ । ଏଥିଲାଗି ଓଡ଼ିଶାକୁ ରାଜ୍ୟ ବାହାର ତଥା ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି । ବାହାରେ ସ୍ଥିତି ସାମାନ୍ୟ ପ୍ରଭାବିତ ହେଲେ ଖାଉଟିଙ୍କ ଉପରେ ଏହାର ତ୍ୱରିତ ପ୍ରଭାବ ଦେଖାଯାଉଛି । ସେହିଭଳି ଚିନି କିଲୋ ପିଛା ପ୍ରାୟ ୫ ଟଙ୍କା ଏବଂ ପାମୋଲିନ ତେଲ ପ୍ରାୟ ୬ରୁ ୭ ଟଙ୍କା ଯାଏ ମହଙ୍ଗା ହୋଇଛି । ୮୫୦ ଗ୍ରାମ ପ୍ୟାକେଟ ପିଛା ପାମୋଲିନ ତେଲର ଖୁ

ନିର୍ବାଚନ ମାହୋଲରେ ମହଙ୍ଗା ମାଡ, ଖାଇବା ତେଲ ଓ ଡାଲି ଉପରମୁହାଁ

ଭୁବନେଶ୍ୱର ୦୯/୦୪: ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନୀ ମାହୋଲରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ନାହିଁ । ମହଙ୍ଗା ହୋଇଚାଲିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ । ଖାଇବା ତେଲ, ଡାଲି ଉପରମୁହାଁ । ଚିନି, ଚାଉଳ, ଅଟା ଦର ବି ଉଚ୍ଚରେ ରହିଛି । ଅଧିକାଂଶ ପରିବା ଏବେ ବି ଚଢ଼ା ଦରରେ ବିକ୍ରି ହେଉଛି । 

ନିକଟରେ ଖାଇବା ତେଲ, ଡାଲି ଏବଂ ଚିନି ଦର ପ୍ରାୟ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି । ଦୈନଦିନ ଜୀବନରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଦର ଉଚ୍ଚ ରହିଛି । ଶେଷ ହେଉନି ଖାଉଟିଙ୍କ ଚିନ୍ତା  । ନୂଆ ସରକାର ଆସିଲେ ଦରଦାମ ଚାପ ଲାଘବ ହେବା ଆଶାରେ ଅଛନ୍ତି ଖାଉଟି ।

ବଜାର ସୂଚନା ମୁତାବକ, ବିରି ଓ ହରଡ଼ ଡାଲି କୁଇଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବଢ଼ିଛି । ପାଇକାରୀ ବଜାରରେ ହରଡ଼ ଡାଲି କିଲୋ ପିଛା ୧୫୩ ଟଙ୍କାରେ ପହଞ୍ଚିଛି । ଖୁଚୁରା ବଜାରରେ ଏହା ରହିଛି ୧୬୦ ଟଙ୍କା । ରାଜ୍ୟ ବାର୍ଷିକ ୯.୩୦ ଲକ୍ଷ ମେଟ୍ରିକ ଟନ୍‌ ଡାଲି ଆବଶ୍ୟକ କରୁଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୭୦ରୁ ୮୦ ହଜାର ଟନ୍‌ । 

ଏଥିଲାଗି ଓଡ଼ିଶାକୁ ରାଜ୍ୟ ବାହାର ତଥା ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି । ବାହାରେ ସ୍ଥିତି ସାମାନ୍ୟ ପ୍ରଭାବିତ ହେଲେ ଖାଉଟିଙ୍କ ଉପରେ ଏହାର ତ୍ୱରିତ ପ୍ରଭାବ ଦେଖାଯାଉଛି । ସେହିଭଳି ଚିନି କିଲୋ ପିଛା ପ୍ରାୟ ୫ ଟଙ୍କା ଏବଂ ପାମୋଲିନ ତେଲ ପ୍ରାୟ ୬ରୁ ୭ ଟଙ୍କା ଯାଏ ମହଙ୍ଗା ହୋଇଛି । 

୮୫୦ ଗ୍ରାମ ପ୍ୟାକେଟ ପିଛା ପାମୋଲିନ ତେଲର ଖୁଚୁରା ଦର ୯୬ ଟଙ୍କାକୁ ବୃଦ୍ଧି ହୋଇଛି । ସେହିଭଳି ସନ୍‌ଫ୍ଲାୱାର ତେଲ ଲିଟର ପିଛା ୧୧୫ ଟଙ୍କାକୁ ବୃଦ୍ଧି ହୋଇଛି । ଚିନି କିଲୋ ପିଛା ୪୫ ଟଙ୍କା ମହଙ୍ଗା ହୋଇଛି । ଏପଟେ ଗହମ ଜାତୀୟ ସାମଗ୍ରୀ ଓ ଚାଉଳ ଦର ଅଣାୟତ୍ତ ହେବା ଯୋଗୁ ଏହାର ରପ୍ତାନି ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି । ପିଆଜ ରପ୍ତାନି ଉପରେ ମଧ୍ୟ କଟକଣା ଲଗାଯାଇଛି ।

କିଛି ମାସ ତଳେ ଟମାଟୋ ସହ ଅନ୍ୟ ପରିବା ଦର ମଧ୍ୟ ଖାଉଟିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । 

ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପରିବା ଦର ନିୟନ୍ତ୍ରଣକୁ ଆସିନାହିଁ । ଆଳୁ କିଲୋ ପିଛା ଦର ପ୍ରାୟ ୫ ଟଙ୍କା ବଢ଼ିଛି । ସେହିଭଳି ପିଆଜ ଦର ମଧ୍ୟ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଛି । ଅମଳ ସମୟରେ ବି ଖାଉଟିଙ୍କୁ ମିଳୁନି ଆଶ୍ୱସ୍ତି । ସେହିଭଳି ରସୁଣ କିଲୋ ପିଛା ଖୁଚୁରା ଦର ୩୦୦ ଟଙ୍କା ସ୍ତରରେ ରହିଛି । 

ରାଜଧାନୀସ୍ଥିତ ରସୁଲଗଡର ବାସିନ୍ଦା ସରୋଜ ବେହେରା କହିଛନ୍ତି, ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧି ଚିନ୍ତାଜନକ । ଚାଉଳ, ଚିନି, ଅଟା, ଗ୍ୟାସ, ଖାଇବା ତେଲଠାରୁ ପେଟ୍ରୋଲ ଡିଜେଲ ଯାଏ ସବୁ ମହଙ୍ଗା । ଏଥିରୁ ଆଶ୍ୱସ୍ତି ନାହିଁ । ସାଧାରଣ ଖାଉଟିଙ୍କ ପାଇଁ ଘର ଚଳାଇବା କଷ୍ଟକର ହେଉଛି । ସରକାର ଏଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ । 

ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ବର୍ତ୍ତମାନ ଖାଇବା ତେଲ ସହ ଡାଲି ଓ ଚିନିର ଦର ବଢ଼ିଛି । କରୋନା ପରଠାରୁ ଦରଦାମ ସ୍ଥିତି ଉପରମୁହାଁ ରହିଛି । କର୍ପୋରେଟ ଗୁଡିକର ମନମୁଖୀ ନୀତି ଯୋଗୁ ସାଧାରଣ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି । ସରକାର ସାଧାରଣ ଖାଉଟିଙ୍କ କଷ୍ଟ ଲାଘବ କରିବାରେ ଦୀର୍ଘମିଆଦୀ ନୀତି ଆଣିବାର ଆବଶ୍ୟକତା ରହିଛି । 

କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ରିଟେଲ ପଏଣ୍ଟଗୁଡିକରେ ଦର ନିୟନ୍ତ୍ରଣ ଲାଗି ସେଭଳି କୌଣସି ବ୍ୟବସ୍ଥା ନାହିଁ । ଫଳରେ ପାଇକାରୀ ପଏଣ୍ଟରେ ସାମଗ୍ରୀ ଦର କମ୍‌ ରହିଲେ ମଧ୍ୟ ରିଟେଲ ପଏଣ୍ଟରେ ଦର ଅଧିକ ରହୁଛି । ସେହିଭଳି ଉତ୍ପାଦନ କମ୍‌ ରହୁଥିବାରୁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ସେଠାରେ କିଛି ସମସ୍ୟା ଉପୁଜିଲେ ସାଧାରଣ ଖାଉଟିଙ୍କ ଉପରେ ଏବେ ଚାପ ପଡୁଛି । 

ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ରାଜନୈତିକ ଦଳ, କର୍ପୋରେଟ ଏବଂ ବ୍ୟବସାୟୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ ଦେଶର ୧୪୦ କୋଟି ଖାଉଟି ନାହିଁ ନ ଥିବା ସମସ୍ୟାର ସାମ୍ନା କରୁଛନ୍ତି । କୃତ୍ରିମ ଅଭାବ ସୃଷ୍ଟି କରି ଖାଉଟିଙ୍କୁ  ଲୁଟ୍‌ କରାଯାଉଛି । ଏହାର ଦୃଢ଼ ବିରୋଧ ହେବା ଆବଶ୍ୟକ ।