ନୀତୀଶ କୁମାରଙ୍କୁ କୋର୍ଟ ଝଟକା ପରେ ଏମିତି କହିଲେ ତେଜସ୍ୱୀ ଯାଦବ

ତେଜସ୍ୱୀ ଯାଦବ ଗଣମାଧ୍ୟମ ଜରିଆରେ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି।

ନୀତୀଶ କୁମାରଙ୍କୁ କୋର୍ଟ ଝଟକା ପରେ ଏମିତି କହିଲେ ତେଜସ୍ୱୀ ଯାଦବ

ପଛୁଆ ବର୍ଗଙ୍କ ପାଇଁ ବିହାର ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ବୃଦ୍ଧି ନିଷ୍ପତ୍ତିକୁ ଆଜି ପାଟନା ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କୋର୍ଟରୁ ଜୋରଦାର ଝଟକା ଲାଗିଛି। ଝଟକା ପରେ ମଧ୍ୟ ନୀତୀଶ କୁମାର ନୀରବତା ଅବଲମ୍ବନ କରୁଥିବାରୁ ଆରଜେଡି ନେତା ତେଜସ୍ୱୀ ଯାଦବ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।

ତେଜସ୍ୱୀ ଯାଦବ ଗଣମାଧ୍ୟମ ଜରିଆରେ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି। ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହି ସମ୍ବିଧାନର ୯ମ ସେଡ୍ୟୁଲରେ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ। ଏଥିରେ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ଏକାଧିକ ଆଇନ ରହିଛି, ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ ବୋଲି ତେଜସ୍ୱୀ କହିଛନ୍ତି।

ତେଜସ୍ୱୀ କହିଛନ୍ତି, “ସେ(ନୀତୀଶ କୁମାର) ଅନେକ ଥର ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ପଡ଼ିଛନ୍ତି। ମୁଁ ତାଙ୍କୁ(ନୀତୀଶ କୁମାର) ଆଉ ଗୋଟିଏ ଥର ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ପଡ଼ି ସମ୍ବିଧାନର ୯ମ ସେଡ୍ୟୁଲରେ ସଂରକ୍ଷଣ ବ୍ୟବସ୍ଥା ସାମିଲ କରିବାକୁ କୁହନ୍ତୁ ବୋଲି କହୁଛି। 

ଆମେ ଆଘାତପ୍ରାପ୍ତ। ଆମେ ଆଗରୁ ମଧ୍ୟ ଆଶଙ୍କା କରିଥିଲୁ ଯେ ବିଜେପି ସଂରକ୍ଷଣ ବ୍ୟବସ୍ଥାକୁ ରୋକିବା ପାଇଁ ଚେଷ୍ଟା କରିବ। ଆମେ ଏକଥା ନିର୍ବାଚନ ପ୍ରଚାର ବେଳେ ମଧ୍ୟ କହିଥିଲୁ। ବିଜେପିର ଲୋକମାନେ ସଂରକ୍ଷଣ ବିରୋଧୀ।

ଆମେ ଯେତେବେଳେ ବିହାରରେ ଜାତି ଭିତ୍ତିକ ଜନଗଣନା କରିଥିଲୁ, ସେତେବେଳେ ବିଜେପିର ଲୋକମାନେ ଏହାକୁ ବନ୍ଦ କରିବା ପାଇଁ ପିଆଇଏଲ ଦାଖଲ କରିଥିଲେ। କିନ୍ତୁ ଶେଷରେ ଆମେ ଜିତିଥିଲୁ। ମୁଁ ବୁଝିପାରୁ ନାହିଁ ଯେ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଚୁପ କାହିଁକି ରହିଛନ୍ତି?”

ପାଟନା ହାଇକୋର୍ଟ ଖାରଜ କରିଥିବା ସରକାରୀ ନିଷ୍ପତ୍ତିକୁ ଆରଜେଡି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ମଧ୍ୟ ତେଜସ୍ୱୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବେ, ତା’ହେଲେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆରଜେଡି ସୁପ୍ରିମକୋର୍ଟ ଯିବ।”