ନୂଆବର୍ଷରୁ ନୂଆ ବ୍ୟବସ୍ଥା; ବାରିକେଡରେ ଯାଇ ଦର୍ଶନ କରିବେ ଶ୍ରଦ୍ଧାଳୁ

ଓବିସିସି ଦ୍ୱାରା ଡାଇଗ୍ରାମ କରାଯାଇଥିବା ରାଂପ୍‌ ବ୍ୟବସ୍ଥା ନୂଆବର୍ଷ ପୂର୍ବରୁ ନିର୍ମାଣ ଶେଷ କରାଯିବ। ଯଦିଓ ନୂଆ ଦର୍ଶନ ବ୍ୟବସ୍ଥାର ପୂର୍ଣ୍ଣ ଚିତ୍ର ଆସିନାହିଁ, ତେବେ ସୂଚନା ଅନୁସାରେ ୬ ଲେନ୍‌ ବିଶିଷ୍ଟ ବ୍ୟାରିକେଡ୍‌ ନିର୍ମାଣ ହେବ।

ନୂଆବର୍ଷରୁ ନୂଆ ବ୍ୟବସ୍ଥା; ବାରିକେଡରେ ଯାଇ ଦର୍ଶନ କରିବେ ଶ୍ରଦ୍ଧାଳୁ

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା। ଜାନୁଆରୀ ପହିଲାରୁ ଲାଗୁ ହେବ ନାଟମଣ୍ଡପରେ ବ୍ୟାରିକେଡ ଓ ରାଂପ୍‌ ସିଷ୍ଟମ। ସ୍ୱତନ୍ତ୍ର ବାରିକେଡ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଦିବ୍ୟାଙ୍ଗ, ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ପୁରୁଷ ଭକ୍ତଙ୍କ ପାଇଁ ରହିବ ଅଲଗା ଅଲଗା ଲାଇନ। ତେବେ କେମିତି ଓ କେଉଁଠୁ ଆରମ୍ଭ ହେବ ବ୍ୟାରିକେଡ୍? ଏ ନେଇ ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କୁ ଅବଗତ କରାଯିବା ସହ ଆଇନ୍‌ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଓବିସିସି କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ସବିଶେଷ ଆଲୋଚନା ସରିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶାନିଯୋଗରର ପରାମର୍ଶ ଆଧାରରେ ଅସ୍ଥାୟୀ ବ୍ୟାରିକେଡ ବ୍ୟବସ୍ଥା ନିର୍ମାଣ ଦ୍ୱାରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଚାଲିବ। ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ମଧ୍ୟ ଉଦ୍ୟମ ଚାଲିଛି।

ଓବିସିସି ଦ୍ୱାରା ଡାଇଗ୍ରାମ କରାଯାଇଥିବା ରାଂପ୍‌ ବ୍ୟବସ୍ଥା ନୂଆବର୍ଷ ପୂର୍ବରୁ ନିର୍ମାଣ ଶେଷ କରାଯିବ। ଯଦିଓ ନୂଆ ଦର୍ଶନ ବ୍ୟବସ୍ଥାର ପୂର୍ଣ୍ଣ ଚିତ୍ର ଆସିନାହିଁ, ତେବେ ସୂଚନା ଅନୁସାରେ ୬ ଲେନ୍‌ ବିଶିଷ୍ଟ ବ୍ୟାରିକେଡ୍‌ ନିର୍ମାଣ ହେବ। କାଠରେ ବ୍ୟାରିକେଡ୍‌ ଓ ରାଂପ୍‌ ତିଆରି ହେବ। ପ୍ରଥଣ ଲେନରେ ଦିବ୍ୟାଙ୍ଗମାନେ ଯିବେ। ଦ୍ୱିତୀୟ ଲେନରେ ଶିଶୁ ଓ ମହିଳାମାନେ ଯିବେ। ଏହା ପର ଲେନରେ ବରିଷ୍ଠ ନାଗରିକମାନଙ୍କୁ ଛଡ଼ାଯିବ। ବଳକା ତିନି ଲେନରେ ପୁରୁଷମାନେ ଯିବେ। ତା’ସହିତ ଯେଉଁ ମହିଳାମାନେ ଚାହିଁବେ ସେମାନେ ମଧ୍ୟ ଏହି ତିନି ଲେନରେ ଯାଇପାରିବେ।

ଅନ୍ୟପକ୍ଷରେ ଗରୁଡ଼ ସ୍ତମ୍ଭ ପଛ ପାଖରେ ଯେଉଁମାନେ ଦର୍ଶନ କରିବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ରାଂପ ନିର୍ମାଣ କରାଯାଉଛି। ଅନ୍ୟପକ୍ଷରେ ରାଂପ୍‌ ଓ ବ୍ୟାରିକେଡ୍‌ ବ୍ୟବସ୍ଥାର ରୂପରେଖ କିଭଳି ରହିବ, ଉଚ୍ଚତା କେତେ ଫୁଟ୍ ରହିବ, କିଭଳି ଏହାକୁ ତୁରନ୍ତ କଢା ଯାଇପାରିବ ଏବଂ ଭୋଗମଣ୍ଡପ କରାଯିବ ତା’ ଉପରେ ବିସ୍ତୃତ ଆଲୋଚନା କରାଯିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ।

ସେହିପରି ଏଏସଆଇର ପକ୍ଷରୁ ଚାଲିଥିବା ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି, NGRI ରିପୋର୍ଟ ଆଧାରରେ ଭଣ୍ଡାର ଘର ମରାମତି କାମ ଚାଲିଛି। ଯେଉଁମାନେ ମରାମତି ସମୟରେ ଉପସ୍ଥିତ ଅଛନ୍ତି, ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଏଏସଆଇ ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ। ସେମିତି ଆନନ୍ଦବଜାରରେ ଶୃଙ୍ଖଳା ପାଇଁ ଏକ କମିଟି ଗଠନ ହୋଇଛି। ଆନନ୍ଦବଜାରରେ ଶୃଙ୍ଖଳା ପାଇଁ ସେନା ନିବୃତ କର୍ମଚାରୀଙ୍କୁ ନେଇ ଟିମ ଗଠନ କରାଯାଇଥିବାରୁ ସେଠି ଅଧିକ ଶୃଙ୍ଖଳା ଆସିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।