ନ୍ୟାୟିକ ସକ୍ରିୟତା
ନାଗରିକଙ୍କ ଦ୍ୱାରା କାର୍ଯ୍ୟକଳାପ କିମ୍ବା ବୈଚାରିକ ସ୍ତରରେ ଦ୍ୱନ୍ଦ୍ୱ, କନ୍ଦଳ, ବିବାଦ, ସଂଘାତ ସୃଷ୍ଟି ହେଲେ ଦେଶର ନୈତିକ ଆଦର୍ଶ ଓ ଭାବମୂର୍ତ୍ତି କ୍ଷୁଣ୍ଣ ହୁଏ ଏବଂ ଆଭ୍ୟନ୍ତରୀଣ ସ୍ଥିିତି ଦୁର୍ବଳ ହୋଇପଡ଼େ। ଏହାକୁ ସୁଯୋଗ ରୂପେ ବ୍ୟବହାର କରିବାରେ ଶତ୍ରୁମାନେ ଅବହେଳା କରନ୍ତି ନାହିଁ। ଗଣମନ୍ତବ୍ୟ ଓ ବ୍ୟାଖ୍ୟାନମାନ ଏଭଳି ଆଦର୍ଶ ହନନ ପାଇଁ ଅଧିକଂଶ ସ୍ତରରେ ଦାୟୀ। ସଂଯମହୀନ ଓ ଅପରିଣାଦର୍ଶୀ ମତ, ମନ୍ତବ୍ୟ, ବିବୃତି କିମ୍ବା ବ୍ୟାଖ୍ୟାନ ଯଦି କୌଣସି ନୀତିନିର୍ଦ୍ଧାରକ ସ୍ତରର […]

ନାଗରିକଙ୍କ ଦ୍ୱାରା କାର୍ଯ୍ୟକଳାପ କିମ୍ବା ବୈଚାରିକ ସ୍ତରରେ ଦ୍ୱନ୍ଦ୍ୱ, କନ୍ଦଳ, ବିବାଦ, ସଂଘାତ ସୃଷ୍ଟି ହେଲେ ଦେଶର ନୈତିକ ଆଦର୍ଶ ଓ ଭାବମୂର୍ତ୍ତି କ୍ଷୁଣ୍ଣ ହୁଏ ଏବଂ ଆଭ୍ୟନ୍ତରୀଣ ସ୍ଥିିତି ଦୁର୍ବଳ ହୋଇପଡ଼େ। ଏହାକୁ ସୁଯୋଗ ରୂପେ ବ୍ୟବହାର କରିବାରେ ଶତ୍ରୁମାନେ ଅବହେଳା କରନ୍ତି ନାହିଁ। ଗଣମନ୍ତବ୍ୟ ଓ ବ୍ୟାଖ୍ୟାନମାନ ଏଭଳି ଆଦର୍ଶ ହନନ ପାଇଁ ଅଧିକଂଶ ସ୍ତରରେ ଦାୟୀ। ସଂଯମହୀନ ଓ ଅପରିଣାଦର୍ଶୀ ମତ, ମନ୍ତବ୍ୟ, ବିବୃତି କିମ୍ବା ବ୍ୟାଖ୍ୟାନ ଯଦି କୌଣସି ନୀତିନିର୍ଦ୍ଧାରକ ସ୍ତରର କିମ୍ବା ରାଷ୍ଟ୍ରୀୟସ୍ତରର ବିଶିଷ୍ଟ ବ୍ୟକ୍ତିଙ୍କ ମୁଖନିସୃତ ହୁଏ କିମ୍ବା ଧର୍ମ ଓ ସାମ୍ପ୍ରଦାୟିକତା ସହିତ ଜଡ଼ିତ ହୋଇଯାଏ ତେବେ ତାହାର ନକାରାତ୍ମକ ପ୍ରଭାବ ସୁଦୂରବିସ୍ତାରୀ ହୋଇଯାଏ। ନିକଟରେ ଏଭଳି ଏକ ଦାୟିତ୍ୱହୀନ ଅଦୂରଦର୍ଶୀ ମନ୍ତବ୍ୟ ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରସଙ୍ଗର ସମ୍ବେଦନଶୀଳତା ଦୃଷ୍ଟିରୁ ନ୍ୟାୟାଳୟ ନିଜ ଆଡ଼ୁ(ସୋ ମୋଟୋ) ଏଥିରେ ହସ୍ତକ୍ଷେପ କରିଛନ୍ତି।
ଏକ ଅଭାବନୀୟ ଘଟଣାକ୍ରମେ ‘ଅପରେରସନ୍ ସିନ୍ଦୂର’ର ସଫଳତାରେ ଅତିମାତ୍ରାରେ ଉତ୍ସାହିିତ ମଧ୍ୟପ୍ରଦେଶର ଅନୁସୂଚିତ ଜନଜାତି ବ୍ୟାପାର ମନ୍ତ୍ରୀ ତଥା ବିଜେପି ନେତା କନ୍ୱର ବିଜୟ ଶାହା ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ଆମେ ‘ପାକିସ୍ତାନର ଆତଙ୍କବାଦୀମାନଙ୍କୁ ତାଙ୍କ ଭଉଣୀଙ୍କ ଜରିଆରେ ଉଚିତ୍ ଶିକ୍ଷା ଦେଇଛୁ।’ ଏଥିରେ ସେ ସିଧାସଳଖ କାହାର ନାଁ ନ ନେଇଥିଲେ ମଧ୍ୟ ତାହା ଯେ ସିଧାସଳଖ କର୍ଣ୍ଣେଲ୍ ସୋଫିଆ କ୍ୟୁରେସିଙ୍କୁ ଇଙ୍ଗିତ କରୁଛି ତାହା ଉଲ୍ଲେଖ ଅନାବଶ୍ୟକ। ଭାରତରେ ଏହାପୂର୍ବରୁ ଯେତେଥର ଜଘନ୍ୟ ଆତଙ୍କବାଦୀ ହତ୍ୟାକାଣ୍ଡମାନ ଘଟିଛି ସେଗୁଡ଼ିକ ଧର୍ମ ଆଧାରିତ ହୋଇନାହିଁ, ଯାହା ପ୍ରଥମ ଥର ପାଇଁ ପହଲ୍ଗାମ୍ରେ ଘଟିଛି। ଏହାର ନିନ୍ଦାସୂଚକ ପ୍ରତିକ୍ରିୟା ଜାତି-ଧମ-ର୍ବର୍ଣ୍ଣ-ଦଳ ନିର୍ବିଶେଷରେ ସାରା ଦେଶରେ ଦେଖିବାକୁ ମିଳିଥିବା ବେଳେ ମୁସଲମାନ୍ ସମ୍ପ୍ରଦାୟର ହଜାର ହଜାର କାଶ୍ମୀରବାସୀ ସାମ୍ପ୍ରଦାୟିକ ସଦ୍ଭାବନା, ଭ୍ରାତୃତ୍ୱ, ଧର୍ମନିରପେକ୍ଷତା ଓ ଭାରତୀୟ ଏକତାର ଅଭୂତପୂର୍ବ ସନ୍ଦେଶ ସାରାବିଶ୍ୱକୁ ଦେଇଛନ୍ତି। ହିନ୍ଦୁ-ମୁସଲିମ୍ ବିଦ୍ୱେଷର ମଞ୍ଜି ବୁଣି ସମ୍ପ୍ରଦାୟ ଆଧାରରେ ଭାରତକୁ ଅଶାନ୍ତ, ଉତ୍ତେଜିତ, ଅସ୍ଥିର ଓ ବିଭାଜିତ କରିବାକୁ ପାକିସ୍ତାନ ଆତଙ୍କବାଦୀଙ୍କ ଜରିଆରେ ଯେଉଁ ମସୁଧା କରିଛି, ତାହାକୁ ଯୋଜନାବଦ୍ଧ ଭାବେ ପ୍ରତିହତ କରିବା ପାଇଁ ଭାରତ ସରକାର ‘ଅପରେସନ୍ ସିନ୍ଦୂର’ର ସବିଶେଷ ସୂଚନା, ବିଶ୍ଲେଷଣ ଓ ସଫଳତା ଗଣମାଧ୍ୟମ ସାମ୍ନାରେ ଉପସ୍ଥାପନା ପାଇଁ ଭାରତୀୟ ସେନାର କର୍ଣ୍ଣେଲ୍ ସୋଫିଆ କ୍ୟୁରେସି(ମୁସଲମାନ ମହିଳା)ଙ୍କୁ ଦାୟିତ୍ୱ ଦେଇଥିଲେ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ବିବିିଧତା ମଧ୍ୟରେ ଭାରତୀୟ ଏକତା, ଅଖଣ୍ଡତା ଓ ସଂପ୍ରୀତିର ସନ୍ଦେଶ ପାକିସ୍ତାନ ସମେତ ସାରାବିଶ୍ୱକୁ ଦେବା ଥିଲା ଏହାର ମୁଖ୍ୟ ଲକ୍ଷ୍ୟ।
ମନ୍ତ୍ରୀ ଶ୍ରୀଶାହା ଏଭଳି ଏକ ଅରୁଚିକର ଓ ଅବାଞ୍ଛିତ ଟିପ୍ପଣୀ ଦେଇ ପାକିସ୍ତାନ ବଦଳରେ ସିଧାସଳଖ ମୁସ୍ଲିମ୍ ଧର୍ମାବଲମ୍ବୀଙ୍କୁ ଆକ୍ଷେପ କରିଛନ୍ତି ଏବଂ ଭାରତୀୟ ସେନାର ଜଣେ ଦାୟିତ୍ୱବାନ ସେନାଧିକାରୀଙ୍କୁ ଏହି ଆଳରେ ଆତଙ୍କବାଦୀଙ୍କ ଭଉଣୀ ହିସାବରେ ଚିତ୍ରିତ କରିଥିବା ତାଙ୍କ ଭାଷଣର ତର୍ଜମାରୁ ଆପାତତଃ ପ୍ରମାଣିତ ହେଉଛି। ଭାରତ ସରକାରଙ୍କ ମହତ୍ ଲକ୍ଷ୍ୟକୁ ସେ କେବଳ ଭଣ୍ଡୁର କରିନାହାନ୍ତି, ବରଂ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ହାତକୁ ଧର୍ମବିଦ୍ୱେଷୀ ଅସ୍ତ୍ରଟିଏ ବଢ଼଼ାଇ ଦେଇଛନ୍ତି। ବହୁଳ ପ୍ରଚଳିତ ଓଡ଼ିଆ ଲୋକକଥା ଅନୁସାରେ ଭାରତ ସରକାରଙ୍କ ବାର ବର୍ଷର ତପସ୍ୟାକୁ ଶ୍ରୀଶାହା ଶୁଖୁଆ ପୋଡ଼ାରେ ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ମନ୍ତବ୍ୟ ସ୍ୱାଭାବିକ ଭାବେ ଜାତୀୟସ୍ତରରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି। ଉଭୟ ମଧ୍ୟପ୍ରଦେଶ ଓ କେନ୍ଦ୍ରରେ ବିଜେପି ଶାସନ ଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ୁଛି। ତାଙ୍କ ବିରୋଧରେ ଦଳ କି କାର୍ଯ୍ୟାନୁଷ୍ଠାନ ନେବ ସେ ବିଷୟରେ ଆମେ କୌଣସି ମନ୍ତବ୍ୟ ଦେବାକୁ ଉଚିତ ମନେ କରୁନାହୁଁ। କିନ୍ତୁ ଏହି ଘଟଣାରେ ଏକ ଉଲ୍ଲେଖନୀୟ, ସ୍ୱାଗତଯୋଗ୍ୟ ଓ ସର୍ବାଦୌ ପ୍ରଶଂସାଯୋଗ୍ୟ ବିଷୟକୁ ଦୃଷ୍ଟି ଆଣିବାକୁ ଉଚିତ ମନେ କରୁଛୁ। ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ଏହି ଘଟଣାରେ ମାମଲା ରୁଜୁ କରି ଶ୍ରୀଶାହାଙ୍କ ବିରୋଧରେ ଚାରିଘଣ୍ଟା ମଧ୍ୟରେ ମାମଲା ରୁଜୁ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଚାର ବିଭାଗର ଏହି ନ୍ୟାୟିକ ସକ୍ରିୟତା ଯେ ଠିକ୍ ସମୟରେ ଉଚିତ ପଦକ୍ଷେପ ଏହା ଅନସ୍ୱୀକାର୍ଯ୍ୟ। ଏହାଦ୍ୱାରା ବିଚାର ବିଭାଗ ଉପରେ ଭାରତୀୟ ଗଣତନ୍ତ୍ରର ନିଷ୍ଠା ଓ ଆସ୍ଥା ଆହୁରି ସୁଦୃଢ଼ ହୋଇଛି। ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ କର୍ତ୍ତବ୍ୟ ବା ସକ୍ରିୟତା ଏତିକିରେ ଶେଷ ହୋଇଯାଇନାହିଁ। ଏ ପର୍ଯ୍ୟନ୍ତ ମାମଲା ଓ ତଦନ୍ତର ଅଗ୍ରଗତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆମ ରାଜନୈତିକ ବ୍ୟବସ୍ଥାଚକ୍ରରେ ପ୍ରତିପତ୍ତିଶାଳୀମାନଙ୍କ ବିରୋଧରେ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଳମ୍ବିତ ଓ କୁଣ୍ଠିତ ଏହା ସର୍ବଜନବିଦିତ, ଯାହା ଶ୍ରୀଶାହାଙ୍କ ମାମଲାରେ ମଧ୍ୟ ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ପୁଲିସ୍ ପ୍ରସ୍ତୁତ କରିଥିବା ଏଫ୍ଆଇଆରରେ ଆଇନର ଛକାପଞ୍ଝା ଖେଳରେ ଶ୍ରୀଶାହାଙ୍କ ପାଇଁ ଖସିଯିବାର ଗଳାବାଟଟିଏ ତିଆରି ହୋଇସାରିଛି। ପୁଲିସ୍ ପ୍ରଶାସନର ଏହି ତୋଷଣନୀତିକୁ ଠଉରାଇ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ତଦନ୍ତର ଅଗ୍ରଗତି ତଦାରଖ କରିବାର ନିଷ୍ପତ୍ତି ନେଇଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଶ୍ରାଶାହାଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟକୁ ଭର୍ତ୍ସନା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦପଦବୀରେ ଥିବା ଜଣେ ବ୍ୟକ୍ତିଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଶୋଭନୀୟ ଓ ଗ୍ରହଣୀୟ ନୁହେଁ ବୋଲି ପ୍ରଧାନ ବିଚାରପତି ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ନ୍ୟାୟାଳଙ୍କ ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି। ଏଫ୍ଆଇଆର ଆଧାରରେ ସମ୍ଭାବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଏଡ଼ାଇବା ପାଇଁ ଶ୍ରୀଶାହା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଖଣ୍ଡପୀଠ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଆମ ସମ୍ବିଧାନିକ ବିଧିବ୍ୟବସ୍ଥା ରାଷ୍ଟ୍ର ଓ ଦେଶର ଜନତାଙ୍କ ବୃହତ୍ତର ସ୍ୱାର୍ଥ ପାଇଁ କେତେକ ବିଶେଷ କ୍ଷେତ୍ରରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ପାଇଁ ନ୍ୟାୟପାଳିକାକୁ ଅଧିକାର ଦେଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ନିଜ ଆଡ଼ୁ ମାମଲା(ସୋ ମୋଟୋ)’ ରୁଜୁ କରିବାର କ୍ଷମତା ବା ଅଧିକାର। ଆମ ବିଚାର ବ୍ୟବସ୍ଥାର ଏହି ତତ୍ପରତା ଓ ବିଶେଷ ଅଧିକାର ବଳରେ ବୃହତ୍ତର ଜନସ୍ୱାର୍ଥ ସମ୍ବଳିତ ଅନେକ ସ୍ପର୍ଶକାତର ମାମଲାରେ ଉପଯୁକ୍ତ ଓ ସମୟୋପଯୋଗୀ ତର୍ଜମା ହୋଇ ଉଚିତ ନ୍ୟାୟ ମିଳିପାରିଛି। ଶ୍ରୀଶାହାଙ୍କ ମାମଲାରେ ମଧ୍ୟ ଦେଶବାସୀ ନ୍ୟାୟପାଳିକାଠାରୁ ଏଭଳି ତ୍ୱରିତ ନ୍ୟାୟ ଆଶା କରୁଛନ୍ତି।