ନୟନତାରାଙ୍କ ବିରୋଧରେ ମାମଲା ରୁଜୁ

ଅଭିନେତ୍ରୀ ନୟନତାରାଙ୍କ ସମେତ ୭ ଜଣଙ୍କ ନାଁ ଏଫଆଇଆର ଦିଆଯାଇଥିଲା।

ନୟନତାରାଙ୍କ ବିରୋଧରେ ମାମଲା ରୁଜୁ

ଅଭିନେତ୍ରୀ ନୟନତାରାଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣା’ରେ ଭଗବାନ ରାମଙ୍କୁ ଅସମ୍ମାନ କରାଯାଇଥିବା ଓ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ମଧ୍ୟ ପ୍ରଦେଶର ଜବଲପୁରର ଓମତି ଥାନା ପୁଲିସ୍ ମାମଲା ରୁଜୁ କରିଛି। କେବଳ ନୟନତାରା ନୁହନ୍ତି, ଫିଲ୍ମର ନିର୍ଦ୍ଦେଶକ ନୀଲେଶ କୃଷ୍ଣ, ପ୍ରଯୋଜକ ଯତୀନ ସେଠୀ ଓ ଆର୍‌ ରବୀନ୍ଦ୍ରନ ଏବଂ ନେଟ୍‌ଫ୍ଲିକ୍ସର ଭାରତ କଣ୍ଟେଣ୍ଟ ହେଡ୍ ମୋନିକା ଶେର୍ଗିଲଙ୍କ ବିରୋଧରେ ମାମଲା ରୁଜୁ କରିଛି ଓମତି ଥାନା ପୁଲିସ। 

ମଧ୍ୟ ପ୍ରଦେଶର ଜବଲପୁରର ଏକ ହିନ୍ଦୁ ସଂଗଠନ- ସେବା ପରିଷଦ ‘ଅନ୍ନପୂର୍ଣ୍ଣା’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ନୟନତାରାଙ୍କ ସମେତ ୭ ଜଣଙ୍କ ନାଁରେ ଏଫଆଇଆର ଦେଇଥିଲା। ଏହି ଫିଲ୍ମରେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା, ଭଗବାନ ଶ୍ରୀରାମଙ୍କୁ ଅସମ୍ମାନ କରାଯାଇଥିବା ଓ ଲଭ୍‌ଜିହାଦକୁ ପ୍ରୋତ୍ସାହିତ କରାଯାଇଥିବା ନେଇ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା। 

‘ଅନ୍ନପୂର୍ଣ୍ଣା’ ଏକ ତାମିଲ ଫିଲ୍ମ। ଏହା ଜଣେ ସେଫ୍ ବା ରୋଷେୟାଙ୍କ କାହାଣୀ ଉପରେ ଆଧାରିତ। ଗତ ଡିସେମ୍ବର ୧ ତାରିଖରେ ଏହା ସିନେମା ହଲ୍‌ଗୁଡ଼ିକରେ ରିଲିଜ୍ ହୋଇଥିଲେ। ଡିସେମ୍ବର ୨୯ ତାରିଖରୁ ନେଟ୍‌ଫ୍ଲିକ୍ସରେ ଏହାର ଷ୍ଟ୍ରିମଂ ଆରମ୍ଭ ହୋଇଥିଲା। ତେବେ ଦେଶର ବିଭିନ୍ନ ସ୍ଥାନରେ ଏହି ଫିଲ୍ମକୁ ବିରୋଧ କରି ଏଫ୍‌ଆଇଆର ଦିଆଯିବା ପରେ ଏହାକୁ ଓଟିଟି ପ୍ଲାଟ୍‌ଫର୍ମରୁ ହଟାଇ ଦିଆଯାଇଥିଲା। ମୁମ୍ବାଇରେ ଦୁଇଟି ସଂଗଠନ- ବଜରଙ୍ଗ ଦଳ ଓ ହିନ୍ଦୁ ଆଇଟି ସେଲ୍‌ ମଧ୍ୟ ଏହି ଫିଲ୍ମକୁ ନେଇ ନୟନତାରା ଓ ଅନ୍ୟମାନଙ୍କ ବିରୋଧରେ ଏଫ୍‌ଆଇଆର ଦେଇଥିଲେ।

ଏହି ଫିଲ୍ମରେ ସେଫ୍ ଚରିତ୍ରରେ ଅଭିନୟ କରିଛନ୍ତି ନୟନତାରା। ଏଥିରେ ସେ ଜଣେ ମନ୍ଦିର ପୂଜକଙ୍କ ଝିଅ ହୋଇଥିବା ବେଳେ ବିରିୟାନୀ ପ୍ରସ୍ତୁତ କରିବା ପୂର୍ବରୁ ହିଜାବ ପିନ୍ଧି ନମାଜ ପଢ଼ୁଥିବା ଦେଖିବାକୁ ମିଳିଛି। ଏହାକୁ ବିରୋଧ କରିଛନ୍ତି କିଛି ହିନ୍ଦୁ ସଂଗଠନ। ଆଉ ଗୋଟିଏ ସିନ୍‌ରେ ନୟନତାରାଙ୍କୁ ତାଙ୍କର ଜଣେ ସାଙ୍ଗ ଭଗବାନ ରାମ ଓ ସୀତା ମଧ୍ୟ ମାଂସ ଖାଉଥିଲେ ବୋଲି କହି ମାଂସ କାଟିବା ପାଇଁ ଉସକାଉ ଥିବା ଦେଖିବାକୁ ମିଳିଛି। ଏହିଭଳି କିଛି ସିନ୍‌କୁ ନେଇ ଆପତ୍ତି ଜଣାଇଛନ୍ତି କିଛି ହିନ୍ଦୁ ସଂଗଠନ।

ଏହି ବିବାଦ ଏଭଳି ଏକ ସମୟରେ ଆସିଛି ଯେତେବେଳେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ଆଉ ଅଳ୍ପ ଦିନ ବାକି ଅଛି। ନୟନତାରା ଓ ଫିଲ୍ମର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ତଥା ଅନ୍ୟମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋଶାଲ୍ ମିଡିଆରେ ମଧ୍ୟ ଲୋକେ ଦାବି କରିଛନ୍ତି।