ପକ୍ଷୀଙ୍କ ଦେଶାଟନ ଓ ଗଣନାକୌଶଳ

ପ୍ରଶ୍ନ ଉଠେ ପକ୍ଷୀମାନେ ମାଇଲ ମାଇଲ ଦୂରରୁ କାହିଁକି ଆସନ୍ତି? ଯେମିତି ମଣିଷ ଖାଦ୍ୟ ପାଇଁ ଦୂରଦୂରାନ୍ତ ସ୍ଥାନକୁ ସ୍ଥାନସ୍ତାରିତ ବା ଦେଶାନ୍ତରିତ ହୁଅନ୍ତି, ସେହିପରି ପକ୍ଷୀମାନେ ଯେଉଁ ମୁଖ୍ୟତଃ ଦୁଇଟି କାରଣ ପାଇଁ ଉତ୍ତର ମେରୁରୁ ଦକ୍ଷିଣ ମେରୁକୁ ଯାତ୍ରା କରନ୍ତି ତାହା ହେଉଛି ଖାଦ୍ୟ ଓ ବାସସ୍ଥାନ। ଶୀତ ଯେତିକି ପାଖେଇ ଆସେ ଏବଂ କୀଟପତଙ୍ଗ ଓ ଖାଦ୍ୟ ଉପଲବ୍ଧତା ହ୍ରାସ ପାଏ, ପକ୍ଷୀମାନେ ଦକ୍ଷିଣକୁ ଗତି କରିବା ଆରମ୍ଭ କରିଦିଅନ୍ତି। ଶୀତରୁ ରକ୍ଷା […]

ପକ୍ଷୀଙ୍କ ଦେଶାଟନ ଓ ଗଣନାକୌଶଳ
sakala article

ପ୍ରଶ୍ନ ଉଠେ ପକ୍ଷୀମାନେ ମାଇଲ ମାଇଲ ଦୂରରୁ କାହିଁକି ଆସନ୍ତି? ଯେମିତି ମଣିଷ ଖାଦ୍ୟ ପାଇଁ ଦୂରଦୂରାନ୍ତ ସ୍ଥାନକୁ ସ୍ଥାନସ୍ତାରିତ ବା ଦେଶାନ୍ତରିତ ହୁଅନ୍ତି, ସେହିପରି ପକ୍ଷୀମାନେ ଯେଉଁ ମୁଖ୍ୟତଃ ଦୁଇଟି କାରଣ ପାଇଁ ଉତ୍ତର ମେରୁରୁ ଦକ୍ଷିଣ ମେରୁକୁ ଯାତ୍ରା କରନ୍ତି ତାହା ହେଉଛି ଖାଦ୍ୟ ଓ ବାସସ୍ଥାନ। ଶୀତ ଯେତିକି ପାଖେଇ ଆସେ ଏବଂ କୀଟପତଙ୍ଗ ଓ ଖାଦ୍ୟ ଉପଲବ୍ଧତା ହ୍ରାସ ପାଏ, ପକ୍ଷୀମାନେ ଦକ୍ଷିଣକୁ ଗତି କରିବା ଆରମ୍ଭ କରିଦିଅନ୍ତି। ଶୀତରୁ ରକ୍ଷା ପାଇବା ମଧ୍ୟ ଏହାପଛର ଆଉ ଏକ କାରଣ। ଯାଯାବର ପକ୍ଷୀମାନେ ସେମାନଙ୍କର ବାର୍ଷିକ ଭ୍ରମଣରେ ହଜାରହଜାର କିଲୋମିଟର ଅତିକ୍ରମ କରିପାରନ୍ତି ଏବଂ ବର୍ଷକୁ ବର୍ଷ ସମାନ ପଥ ଅନୁସରଣ କରନ୍ତି।

ପ୍ରଥମ ଥର ପାଇଁ ପକ୍ଷୀମାନେ ପ୍ରାୟତଃ ନିଜେ ବିନା ଅନୁସରଣ କରି ସ୍ଥାନାନ୍ତରଣ କରିଥା’ନ୍ତି। କୌଣସି ପ୍ରକାରେ ସେମାନେ ସେମାନଙ୍କର ଗନ୍ତବ୍ୟସ୍ଥଳ ପାଇଯା’ନ୍ତି ଏବଂ ପର ବର୍ଷ ମଧ୍ୟ ସେହି ସମାନ ସ୍ଥାନକୁ ଅକ୍ଳେଶରେ ପହଞ୍ଚି ପାରନ୍ତି। ସେମାନଙ୍କର ଚମତ୍କାର ଦିଗବାରେଣୀ କୌଶଳର ରହସ୍ୟ ସମ୍ପୂର୍ଣ୍ଣ ରୂପେ ବୁଝାପଡ଼ି ନାହିଁ ଆଜି ଯାଏଁ। କେତେକ ଗବେଷକଙ୍କ ମତରେ ପକ୍ଷୀମାନେ ବିଭିନ୍ନ ପ୍ରକାରର ଇନ୍ଦ୍ରିୟଗୁଡ଼ିକୁ ଏକତ୍ର କରି ଅନୁସରଣ କରିବା ଏକ କାରଣ ହୋଇପାରେ। ପକ୍ଷୀମାନେ ସୂର୍ଯ୍ୟ, ତାରା ଓ ପୃଥିବୀର ଚୁମ୍ୱକୀୟ କ୍ଷେତ୍ରକୁ ଅନୁଭବ କରି ଦିଗ ସୂଚନା ପାଇପାରନ୍ତି। ସେମାନେ ସୂର୍ଯ୍ୟ ଅସ୍ତ ହେବାର ସ୍ଥିତି ଏବଂ ଦିନରେ ଦେଖାଯାଇଥିବା ଭୂସ୍ଥିତି ଓ ଚିହ୍ନରୁ ମଧ୍ୟ ସୂଚନା ପାଆନ୍ତି। ଥରେ ଗୋଟିଏ ପକ୍ଷୀ ଏହାର ପ୍ରଥମ ବାର୍ଷିକ ସ୍ଥାନାନ୍ତରଣଚକ୍ରକୁ ସଫଳତାର ସହିତ ସମାପ୍ତ କଲା ପରେ ପ୍ରାୟତଃ ଜୀବନସାରା ସମାନ ଢାଞ୍ଚାକୁ ପୁନରାବୃତ୍ତି କରନ୍ତି। ସ୍ଥାନାନ୍ତରିତ ପକ୍ଷୀମାନେ ମୁଖ୍ୟତଃ ଉତ୍ତର ୟୁରେସିଆର ହିମାଳୟର ପାର୍ଶ୍ବରୁ, କାସପିଆନ୍‌‌ ଅଞ୍ଚଳ, ସାଇବେରିଆ, କାଜାଖସ୍ତାନ, ବାଇକାଲ୍‌‌ ହ୍ରଦ ଓ ରୁଷର ଦୂରବର୍ତ୍ତୀ ଅଞ୍ଚଳମାନଙ୍କରୁ ଓଡ଼ିଶାର ଚିଲିକା ହ୍ରଦ ସମେତ ଅନ୍ୟ ଜଳଭଣ୍ଡାରକୁ ଆସିଥା’ନ୍ତି ଏବଂ ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ନିଜସ୍ଥାନକୁ ଫେରି ଯାଆନ୍ତି।

ଜଙ୍ଗଲ ବିଭାଗର ‘ୱାଇଲ୍ଡ ଲାଇଫ ୱିଙ୍ଗ’ ଗତ ଜାନୁଆରୀ ୧୮ ତାରିଖରେ ଓଡ଼ିଶାରେ ବାର୍ଷିକ ପକ୍ଷୀଗଣନା କରିଥିଲେ। ସାଧାରଣତଃ ଜଳଭଣ୍ଡାର ଓ ଆଦ୍ରଭୂମିରେ ଦେଖାଯାଉଥିବା ସମସ୍ତ ପ୍ରଜାତିର ଦେଶୀୟ ଓ ବହିରାଗତ ପକ୍ଷୀମାନଙ୍କ ପ୍ରଜାତି ଓ ସଂଖ୍ୟା ଆକଳନ ଏହି ପକ୍ଷୀଗଣନାର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟ ପାଇଁ ପକ୍ଷୀ ବିଶାରଦ, ପକ୍ଷୀ ଫଟୋଗ୍ରାଫର, ବନ କର୍ମଚାରୀ, ବିଏନ୍‌‌ଏଚ୍‌‌ଏସ୍‌‌ର ଅଧିକାରୀ, ଓୟୁଏଟିର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦିଆଯାଇ ନିୟୋଜିତ କରାଯାଇଥାଏ। ପ୍ରତ୍ୟେକ ପକ୍ଷୀ ଗଣନା ଗୋଷ୍ଠୀରେ ପାଞ୍ଚରୁ ଛଅ ଜଣ ସଦସ୍ୟ ବିଭିନ୍ନ ବିଭାଗରୁ ଭାଗ ନେଇଥା’ନ୍ତି।

ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ କେବଳ ପକ୍ଷୀ ଓ ପକ୍ଷୀମାନଙ୍କ ବାସସ୍ଥାନ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବାରେ ସାହାଯ୍ୟ କରି ନ ଥାଏ, ବରଂ ବିଲୁପ୍ତ ପ୍ରଜାତିର ପକ୍ଷୀମାନଙ୍କ ସଂରକ୍ଷଣ ଏବଂ ସେମାନଙ୍କ ବାସସ୍ଥାନକୁ ଚିହ୍ନଟ କରିବାରେ ମଧ୍ୟ ସହାୟକ ହୋଇଥାଏ। ଅହେତୁକ ଭାବରେ ପକ୍ଷୀ ସଂଖ୍ୟା ହ୍ରାସ ଓ ବୃଦ୍ଧି ମଧ୍ୟ ଜୈବବିବିଧତାର ସାମ୍ପ୍ରତିକ ସ୍ଥିତି ବିଷୟରେ ସୂଚନା ଦେଇଥାଏ। ପକ୍ଷୀମାନେ ପରାଗ ସଂଗମ, ମଞ୍ଜି ବିକ୍ଷେପଣ ଓ କୀଟ ନିୟନ୍ତ୍ରଣ କରି ଜୈବ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥା’ନ୍ତି। ପକ୍ଷୀମାନେ ପରିବେଶ ପରିବର୍ତ୍ତନ ପ୍ରତି ସମ୍ୱେଦନଶୀଳ ଏବଂ ଗ୍ରହର ଅବସ୍ଥାକୁ ସୂଚିତ କରିପାରନ୍ତି। ଏମିତି ଅନେକ ତଥ୍ୟସବୁ ବାର୍ଷିକ ପକ୍ଷୀଗଣନା ସମୟରେ ପକ୍ଷୀ ବିଶାରଦମାନେ ଆଲୋଚନା କରିବା ଦ୍ୱାରା ପକ୍ଷୀ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିବାକୁ ମିଳିଥାଏ। ଉଦାହରଣ ସ୍ୱରୂପ ବାର୍‌‌-ହେଡେଡ ଗୁଜ ବା ଅନ୍ସର ଇଣ୍ଡିକସ ହେଉଛି ଭାରତରେ ସର୍ବୋଚ୍ଚସ୍ତରରେ ଉଡ଼ୁଥିବା ଗୋଟିଏ ପକ୍ଷୀ। ଓଡ଼ିଶାକୁ ଆସୁଥିବା ବିଦେଶୀ ହଂସଙ୍କ ମଧ୍ୟରୁ ଏହା ପ୍ରାୟ ସବୁଠାରୁ ବୃହତ ଆକାରର। ଏହା ଭୂପୃଷ୍ଠରୁ ୨୮, ୦୦୦ ରୁ ୩୦, ୦୦୦ ଫୁଟ ଉଚ୍ଚତାରେ ଉଡ଼ିପାରେ। ଏହି ପ୍ରଜାତି ତିବ୍ଦତ, ମୋଙ୍ଗୋଲିଆ, ରୁଷ ଓ କାଜାଖସ୍ତାନର ପାର୍ବତ୍ୟ ଅଞ୍ଚଳରୁ ହିମାଳୟ ଦେଇ ଶୀତଦିନେ ଭାରତୀୟ ଉପମହାଦେଶକୁ ଆସିଥା’ନ୍ତି। ସେହିପରି ‘ବାର-ଟେଲ୍ଡ-ଗଡ଼଼ୱିଟ୍‌‌’ ନାମକ ଆଉ ଏକ ପ୍ରଜାତିର ପକ୍ଷୀ ବିନା ବିଶ୍ରାମରେ ରେକର୍ଡ ୧୧, ୦୦୦ କିଲୋମିଟର ପର୍ଯ୍ୟନ୍ତ ବା ଲଗାତାର ଆଠ ଦିନ ପର୍ଯ୍ୟନ୍ତ ଉଡ଼ିପାରନ୍ତି। ପୁରୁଣା ଘର ବା ପୁରୁଣା ମନ୍ଦିର ଗୁମ୍ଫା ଓ ତାଳ ଗଛରେ ବସା ବାନ୍ଧୁଥିବା ‘କମନ ସ୍ୱିଫ୍ଟ’ ନାମକ ଆଉ ଏକ ପ୍ରଜାତିର ପକ୍ଷୀ ଆଶ୍ଚର୍ଯ୍ୟଜନକ ଭାବରେ ବିନା ଅବତରଣରେ ନିରନ୍ତର ଦଶ ମାସ ପର୍ଯ୍ୟନ୍ତ ଉଡ଼ିପାରନ୍ତି। ସେମାନେ ଉଡୁଥିବା ସମୟରେ ହିଁ ଖାଦ୍ୟ ସଂଗ୍ରହ କରିଥା’ନ୍ତି। ଏହିଭଳି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଓ କୌତୁହଳ ବିଜଡ଼ିତ ତଥ୍ୟ ପକ୍ଷୀଗଣନାରୁ ମିଳିପାରେ।

ଅନେକଙ୍କ ମନରେ କୌତୁହଳ ଜାତ ହୁଏ ଯେ ପକ୍ଷୀମାନକୁ କେମିତି ଗଣାଯାଏ? ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପ୍ରତିବର୍ଷ ଆସୁଥିବା ପକ୍ଷୀମାନକୁ ଗୋଟି ଗୋଟି କରି ଗଣିବା ସମ୍ଭବ ନୁହେଁ। ୨୦୨୪ ମସିହାର ଆକଳନ ଅନୁସାରେ ଓଡ଼ିଶାରେ ଦେଖାଯାଇଥିଲା ୧୮୭ ପ୍ରଜାତିର ପକ୍ଷୀ ଏବଂ ସେମାନଙ୍କ ମୋଟ ସଂଖ୍ୟା ଥିଲା ୧୧, ୩୭, ୭୫୯। ସେହିଭଳି ଚଳିତ ବର୍ଷ ଆକଳନ ଅନୁସାରେ ସମୁଦାୟ ୨୦୦ ପ୍ରଜାତିର ପକ୍ଷୀ ନଜରକୁ ଆସିଛନ୍ତି ଏବଂ ସେମାନଙ୍କର ମୋଟ ସଂଖ୍ୟା ହେଉଛି ୧୬, ୬୫, ୦୦୦। ସାରା ରାଜ୍ୟରେ ଗୋଟିଏ ଦିନରେ ଏକା ସମୟରେ ଗଣନା ଯୋଗୁଁଁ ଏହି ତଥ୍ୟ ସାମନାକୁ ଆସିଛି। ଗୋଟିଏ ସ୍ଥାନରେ ଲଗାତାର ଗଣନା କାର୍ଯ୍ୟ ଜାରି ରହିଲେ ତଥ୍ୟରେ ତ୍ରୁଟି ଦେଖାଯାଇପାରେ। ଉଦାହରଣସ୍ୱରୂପ ଯଦି ଚିଲିକା ହ୍ରଦରେ ଲଗାତାର ପାଞ୍ଚଦିନ ଧରି ଗଣନା କାର୍ଯ୍ୟ ଜାରି ରୁହେ ତେବେ ପ୍ରତିଦିନ ପକ୍ଷୀ ସଂଖ୍ୟାରେ ପ୍ରାୟ ଏକଲକ୍ଷରୁ ଦୁଇଲକ୍ଷର ଫରକର ସମ୍ଭାବନା ଥାଏ। କାରଣ ପକ୍ଷୀମାନଙ୍କୁ ଗୋଟିଗୋଟି କରି ଗଣିବା ସମ୍ଭବ ହୋଇ ନ ଥାଏ। ଗଣନା ପ୍ରକ୍ରିୟା ଏକ ଆନୁମାନିକ ଆକଳନ ମାତ୍ର।

ପକ୍ଷୀମାନଙ୍କୁ ପ୍ରଜାତି ଅନୁସାରେ ଚିହ୍ନିବା ଓ ଗଣିବା ପାଇଁ ଦୂରବୀକ୍ଷଣଯନ୍ତ୍ର ‌, ଡାଟା ସିଟ୍‌‌ ଏବଂ କିଛି ଫୋଟୋଗ୍ରାଫରଙ୍କ ଟେଲିଫୋଟୋ ଲେନ୍ସ ବ୍ୟବହୃତ ହୁଏ। ପକ୍ଷୀ ବିଶାରଦ(ଅର୍ନିଥୋଲୋଜିଷ୍ଟ) ଓ ପକ୍ଷୀ ପର୍ଯ୍ୟବେକ୍ଷକମାନେ ଦୂରବୀକ୍ଷଣଯନ୍ତ୍ର ଓ କ୍ୟାମେରା ବ୍ୟବହାର କରି ପକ୍ଷୀ ଗଣନା ପାଇଁ ନିୟୋଜିତ ହୋଇଥା’ନ୍ତି। ଯେଉଁ ଫୋଟୋଗ୍ରାଫରମାନେ ଦଳେ ପକ୍ଷୀଙ୍କ ଫଟୋ ଆଣି ଗୋଟି ଗୋଟି କରି ଗଣିବାରେ ସକ୍ଷମ ହୁଅନ୍ତି, ସେମାନଙ୍କର ଆକଳନ ଅନ୍ୟମାନଙ୍କ ଆକଳନଠାରୁ ଯଥେଷ୍ଟ ସଠିକ ବୋଲି ଧରାଯାଏ। କିନ୍ତୁ ଦଳେ ପକ୍ଷୀଙ୍କୁ ଦୂରବୀକ୍ଷଣଯନ୍ତ୍ରରେ ଦେଖି ତତ୍‌କ୍ଷଣାତ ଆନୁମାନିକ ଆକଳନ କରିବା ହୁଏତ ଏତେଟା ସଠିକ ହୋଇ ନ ଥାଏ। ଓଡ଼ିଶାରେ ବାର୍ଷିକ ପକ୍ଷୀଗଣନା ବିଭିନ୍ନ ପଦ୍ଧତି ବ୍ୟବହାର କରି, ଯଥା- ‘ଲାଇନ ଟ୍ରାନ୍ସେକ୍ଟ’, ‘ପଏଣ୍ଟ ଟ୍ରାନ୍ସେକ୍ଟ’, ‘ଡାଇରେକ୍ଟ ଅବଜର୍ଭେସନ’ ଆଦି ଦ୍ୱାରା ପରିଚାଳିତ ହୋଇଥାଏ। ‘ଲାଇନ ଟ୍ରାନ୍ସେକ୍ଟ’ ପଦ୍ଧତିରେ ପର୍ଯ୍ୟବେକ୍ଷକମାନେ ପୂର୍ବ ନିର୍ଦ୍ଧାରିତ ମାର୍ଗରେ ଧୀରେ ଧୀରେ ଗତି କରନ୍ତି ଏବଂ ସେହି ମାର୍ଗର ଉଭୟ ପାର୍ଶ୍ବରେ ଦେଖୁଥିବା ସମସ୍ତ ପକ୍ଷୀଙ୍କ ସଂଖ୍ୟାକୁ ଲିପିବଦ୍ଧ କରିଥା’ନ୍ତି। ଏହି ପଦ୍ଧତି ପ୍ରାୟତଃ ବଡ଼, ଖୋଲା ଅଞ୍ଚଳରେ ବ୍ୟବହୃତ ହୋଇଥାଏ। ସେହିଭଳି ‘ପଏଣ୍ଟ ଟ୍ରାନ୍ସେକ୍ଟ’ ପଦ୍ଧତି ହେଉଛି ଏକ ପକ୍ଷୀ ସର୍ବେକ୍ଷଣ କୌଶଳ, ଯାହାକି ଏକ ନିର୍ଦ୍ଦିଷ୍ଟ ବିନ୍ଦୁରୁ ପକ୍ଷୀ ଗଣନାକୁ ଅନ୍ତର୍ଭୁକ୍ତ କରେ। ପକ୍ଷୀସଂଖ୍ୟା ଉପରେ ନଜର ରଖିବା ପାଇଁ ଏହା ଏକ ସାଧାରଣ ପଦ୍ଧତି ଏବଂ ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ ବ୍ୟବହୃତ ହୁଏ। ‘ଡାଇରେକ୍ଟ ଅବଜର୍ଭେସନ’ ପଦ୍ଧତିରେ ପର୍ଯ୍ୟବେକ୍ଷକମାନେ ନିଜେ ଦେଖୁଥିବା ପକ୍ଷୀମାନଙ୍କୁ ରେକର୍ଡ କରନ୍ତି ଏବଂ ପକ୍ଷୀମାନଙ୍କୁ ଭିଜୁଆଲ୍‌‌ କିମ୍ୱା ସେମାନଙ୍କ ରାବ ଦ୍ୱାରା ଚିହ୍ନଟ କରନ୍ତି।

ବହୁତ ବଡ଼ ଦଳରେ ପକ୍ଷୀମାନଙ୍କ ସଂଖ୍ୟା ସାଧାରଣତଃ ଗଣନା କରିବା ସହଜ ହୋଇ ନ ଥାଏ। ତେଣୁ ମାନସିକ ସ୍ତରରେ ପକ୍ଷୀମାନଙ୍କ ଦଳର ଆକାରକୁ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ କରି ସେଥିରୁ ଗୋଟିଏ ଛୋଟ ଗୋଷ୍ଠୀର ପକ୍ଷୀକୁ ଆକଳନ କରାଯାଏ, ଯାହା ଦଳର ଆକାର ଉପରେ ନିର୍ଭର କରି ପାଞ୍ଚରୁ ଏକ ହଜାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ହୋଇପାରେ। ଗୋଟିଏ ଗୋଷ୍ଠୀର ପକ୍ଷୀସଂଖ୍ୟା ଗଣନା ପରେ ସମୁଦାୟ ଦଳର ଆକାରକୁ ଯେତିକି ଛୋଟ ଗୋଷ୍ଠୀରେ ବିଭକ୍ତ କରାଯାଇଥାଏ, ସେଥିରେ ସେତିକି ସଂଖ୍ୟା ଗୁଣନ କରି ବଡ଼ ଦଳର ସଂଖ୍ୟା ନିରୂପଣ କରାଯାଏ। ଯଦି ଲଗାତାର ପାଞ୍ଚ ଦିନ ଧରି ଏହି ପ୍ରକାର ଗଣନା କରାଯାଏ ତେବେ ମଧ୍ୟ ପ୍ରତି ଥର ଭିନ୍ନ ଭିନ୍ନ ସଂଖ୍ୟା ଆକଳନ ହୋଇଥାଏ। ତେଣୁ ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ପକ୍ଷୀ ସଂଖ୍ୟାରେ ଯଦି ତିନି-ଚାରି ଲକ୍ଷ ଯାଏଁ ଅନ୍ତର ହୁଏ, ତେବେ ମଧ୍ୟ ପରିବେଶ ଉପରେ ବହୁତ କିଛି ପ୍ରଭାବ ପଡ଼ିଛି ବୋଲି ଧାରଣା ସୃଷ୍ଟି ହେବା ଉଚିତ ନୁହେଁ।

ପ୍ରମୋଦ ଧଳ
ଭୁବନେଶ୍ୱର, ମୋ: ୭୦୦୮୮୧୦୧୧୨