ପଞ୍ଚୁ ପାଣ୍ଡବ ପୂଜା କରୁଥିଲେ ଏହି ଆଠଟି ଲିଙ୍ଗକୁ, ରହିଛି ଅନେକ କିମ୍ବଦନ୍ତୀ
କିମ୍ବଦନ୍ତୀ କୁହେ ଦ୍ଵାପର ଯୁଗରେ ପଞ୍ଚୁ ପାଣ୍ଡବ ଯୁଧିଷ୍ଠିର, ଭୀମ,ଅର୍ଜୁନ ,ନକୁଳ ,ସହଦେଵ ଓ ସେମାନଙ୍କ ସହିତ କୁନ୍ତୀ, ଦୌର୍ପଦୀ ଓ ସୁଭଦ୍ରା ମହାଭାରତ ଯୁଦ୍ଧ ପରେ ଶହେ ଭାଇଙ୍କୁ ହତ୍ୟା କରିଥିବାରୁ ତାଙ୍କୁ ଭାତୃହତ୍ୟା ଦୋଷ ଲାଗିଥିଲା । ଏହି ହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ଶିବଙ୍କୁ ଆରାଧନା କରିବାକୁ ହେବ ବୋଲି କହିଥିଲେ ଶ୍ରୀକୃଷ୍ଣ । ସେହି ସମୟରେ ପଞ୍ଚୁପାଣ୍ଡବ ପରିବାର ସହ ଶ୍ରୀକ୍ଷେତ୍ରକୁ ଯିବା ପାଇଁ ଦେବୀ ନଦୀର ଅର୍ଜୁନି ଘାଟ […] The post ପଞ୍ଚୁ ପାଣ୍ଡବ ପୂଜା କରୁଥିଲେ ଏହି ଆଠଟି ଲିଙ୍ଗକୁ, ରହିଛି ଅନେକ କିମ୍ବଦନ୍ତୀ appeared first on KNews Odisha.

କିମ୍ବଦନ୍ତୀ କୁହେ ଦ୍ଵାପର ଯୁଗରେ ପଞ୍ଚୁ ପାଣ୍ଡବ ଯୁଧିଷ୍ଠିର, ଭୀମ,ଅର୍ଜୁନ ,ନକୁଳ ,ସହଦେଵ ଓ ସେମାନଙ୍କ ସହିତ କୁନ୍ତୀ, ଦୌର୍ପଦୀ ଓ ସୁଭଦ୍ରା ମହାଭାରତ ଯୁଦ୍ଧ ପରେ ଶହେ ଭାଇଙ୍କୁ ହତ୍ୟା କରିଥିବାରୁ ତାଙ୍କୁ ଭାତୃହତ୍ୟା ଦୋଷ ଲାଗିଥିଲା । ଏହି ହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ଶିବଙ୍କୁ ଆରାଧନା କରିବାକୁ ହେବ ବୋଲି କହିଥିଲେ ଶ୍ରୀକୃଷ୍ଣ । ସେହି ସମୟରେ ପଞ୍ଚୁପାଣ୍ଡବ ପରିବାର ସହ ଶ୍ରୀକ୍ଷେତ୍ରକୁ ଯିବା ପାଇଁ ଦେବୀ ନଦୀର ଅର୍ଜୁନି ଘାଟ ପାରି ହେବା ପାଇଁ ବସିଥିଲେ । ପାଖରେ ଶିବମନ୍ଦିର ଖୋଜି ଖୋଜି ବିଲୁଆଖାଇ ନଦୀ କୂଳରେ ଥିବା ଏକ କଦମ୍ବ ଗଛ ମୂଳରେ କଦମ୍ବେଶ୍ୱର ପାତାଳ ଫୁଟା ମହାଦେବଙ୍କ ସନ୍ଧାନ ପାଇଥିଲେ ଏବଂ ସେଠାରେ ଆଠଟି ଲିଙ୍ଗ ସ୍ଥାପନ କରି ପାଣ୍ଡବ ପାଞ୍ଚଭାଇ ଓ କୁନ୍ତୀ ,ଦୌର୍ପଦୀ ,ସୁଭଦ୍ରା ସମସ୍ତେ ଗୋଟେ ଗୋଟେ ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ।
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶୈବ ପୀଠମାନଙ୍କ ମଧ୍ୟରେ ବିରିଡି ବ୍ଲକ ଅଧିନ ହାଜିପୁର ଗ୍ରାମପଞ୍ଚାୟତର ଚାନ୍ଦପୁର ରାଜସ୍ୱ ଗ୍ରାମରେ ଅବସ୍ଥିତ ଅଷ୍ଟ ଶମ୍ବୁ ମହାଦେବଙ୍କ ଶୈବପୀଠ ଅନ୍ୟତମ । ଦେବୀ ନଦୀର ଶାଖାନଦୀ ବିଲୁଆ ଖାଇ ନଦୀ କୂଳରେ ଓ ମାଛଗାଁ କେନାଲ ପାର୍ଶ୍ୱରେ ଅବସ୍ଥିତ ଏହି ପ୍ରସିଦ୍ଧ ଶୈବପୀଠ । ଅନତିଦୂରରେ ପଞ୍ଚ ଶଖାଙ୍କ ଧ୍ୟାନକୁଦ ପୀଠ ଅବସ୍ଥିତ । ପୀଠକୁ ଯିବା ପାଇଁ ହେଲେ କନ୍ଦରପୁର ଜଗତସିଂହପୁର ମୁଖ୍ୟରାସ୍ତାର ହାଜିପୁରଠାରୁ ଡାହାଣ ପାର୍ଶ୍ୱକୁ ଯିବାକୁ ପଡ଼ିବ ।
କାଳକ୍ରମେ ନଦୀର ପଥ ପରିବର୍ତ୍ତନ ଓ ପ୍ରଖର ସ୍ରୋତରେ ମନ୍ଦିର କ୍ଷତିଗ୍ରସ୍ତ ହୋଇଥିଲା । ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ଏବଂ ଇଂରେଜମାନେ ମାଛଗାଁ କେନାଲ ତିଆରି କଲେ । ସେହି କେନାଲ ଖୋଳା ସମୟରେ ମନ୍ଦିରର ଭଗ୍ନାବଶେଷ ଓ ଆଠଟି ଲିଙ୍ଗ ସେ ସ୍ଥାନରୁ ବାହାରିଥିଲା । ସେହି ଦିନ ଠାରୁ ସ୍ଥାନୀୟ ଗ୍ରାମବାସୀମାନଙ୍କ ଦ୍ଵାରା ନୂତନ ମନ୍ଦିର ତିଆରି କରାଯାଇ କଦମ୍ବେଶ୍ୱର ମହାଦେବଙ୍କ ସହିତ ଅଷ୍ଟଶମ୍ଭୁ ନାମରେ ପୂଜା ପାଇ ଆସୁଛନ୍ତି ଏହି ଆଠଟି ଲିଙ୍ଗ । ଲୋକକଥା ଅନୁସାରେ ଏହି ଆଠଟି ଲିଙ୍ଗକୁ ପଞ୍ଚୁ ପାଣ୍ଡବ ପୂଜା କରୁଥିଲେ ।
ଠାକୁରଙ୍କ ମୁଖ୍ୟ ପର୍ବପର୍ବାଣି ମଧ୍ୟରେ ଜାଗର ଯାତ୍ରା, ଶିବବିବାହ, କାର୍ତ୍ତିକ ପୂର୍ଣ୍ଣିମା ବଡ଼ ଓଷା, ଶ୍ରାବଣମାସ ସୋମବାର, ବାରଟା ସଂକ୍ରାନ୍ତି ଓ ବାରଟା ପୂର୍ଣ୍ଣିମା ପାଳନ କରାଯିବା ସହ ଏଠାରେ ବହୁ ଜନ ସମାଗମ ହୋଇଥାଏ । ଏହା ବ୍ୟତୀତ ମନ୍ଦିର ବେଢାରେ ଛିନ୍ନମସ୍ତା କାଳୀ, ନବଗ୍ରହ, ମହାବୀର, ଗଣେଶ, କାର୍ତ୍ତିକ, ପାର୍ବତୀ, ବୃଷଭ ଓ ଚଣ୍ଡୀ ଚାମଣ୍ଡାଙ୍କ ପୂଜା କରାଯାଏ । ସକାଳୁ ପହୁଡ଼ ଖୋଲା ନୀତି, ବାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପ ରୀତିନୀତିରେ କରାଯାଇଥାଏ । ମନ୍ଦିର ପରିସରରେ ପୁରୁଣା ମୂର୍ତ୍ତି, ପଥର, ମନ୍ଦିରର ଭଗ୍ନାବଶେଷ ମଧ୍ୟ ରହିଛି ।
ଅଷ୍ଟଶମ୍ଭୁଙ୍କ ଅଲୌକିକ ମହିମା ଯୋଗୁ ବହୁ ଭକ୍ତ ଉପକୃତ ହେବା ସାଧାରଣରେ ନଜିର ରହିଛି । ଦୈନଦିନ ପ୍ରଭୁଙ୍କ ପ୍ରଥମ ପାଦୁକାକୁ ଚାଷୀ ନିଜ ଫସଲରେ ପକେଇଲେ ବହୁ ପରିମାଣରେ ଫସଲ ଅମଳ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।
କାହିଁ ଦୂର ଦୂରାନ୍ତରରୁ ଭକ୍ତମାନେ ଏଠାକୁ ଆସି ଶ୍ରାବଣ ମାସରେ ଜଳଲାଗି ସହିତ ଏହି ପୀଠରୁ ବହୁସ୍ଥାନକୁ ଜଳ ନେଇ ଯାତ୍ରା କରିଥାନ୍ତି । ଅବହେଳିତ ଅବସ୍ଥାରେ ରହି ଆସିଥିବା ଏହି ଦ୍ଵାପର ଯୁଗର ଶୈବପୀଠର ସରକାରୀ ସ୍ତରରେ ଉନ୍ନତିକରଣ କରାଗଲେ ଭକ୍ତମାନେ ଉପକୃତ ହେବେ । ଭବିଷ୍ୟତରେ ଓଡ଼ିଶାର ଏକ ପ୍ରମୁଖ ଶୈବପୀଠ ହିସାବରେ ଏହା ପରିଣତ ହେବ ବୋଲି ବିଶ୍ୱାସ ରଖିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।
Also Read: ମା’ ମଙ୍ଗଳାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପରମ୍ପରା, ନେତ୍ର ଉତ୍ସବକୁ ଧୁମଧାମରେ ପାଳନ କଲେ ଭକ୍ତ
The post ପଞ୍ଚୁ ପାଣ୍ଡବ ପୂଜା କରୁଥିଲେ ଏହି ଆଠଟି ଲିଙ୍ଗକୁ, ରହିଛି ଅନେକ କିମ୍ବଦନ୍ତୀ appeared first on KNews Odisha.