ପଡ଼ୋଶୀ ସହିତ ନକର କଳି
ଘରେ ଫୁଟଣ ଫୁଟିଲେ ପଡ଼ୋଶୀଙ୍କୁ ବାସେ। ଏହାର ଅର୍ଥ ଆମ ଘରେ ଯାହା ସବୁ ଘଟେ ପ୍ରଥମେ ପଡ଼ୋଶୀ ହିଁ ଜାଣିଥା’ନ୍ତି। ସେମାନେ ଆମ ଆତ୍ମୀୟଙ୍କ ଠାରୁ ବଳି। ଦୁଃଖ-ସୁଖର ସାଥୀ। ପୁନେଇପରବରେ ପିଠାପଣାଠାରୁ ଆରମ୍ଭ କରି କନିଅାଁ ଓ ବର ଦେଖାରେ ପଡ଼ୋଶୀ ଯାଇଥା’ନ୍ତି ଏବଂ ବିବାହ ଉତ୍ସବରେ ନିଜକୁ ଅନ୍ତରର ସହିତ ସାମିଲ୍ କରିଥା’ନ୍ତି। ବିବାହ ଦିନ ଧାର୍ଯ୍ୟ ହେବା ପରେ ପୁଅ ଓ ଝିଅଙ୍କୁ ନିଜ ଘରକୁ ଡାକି ମନଲାଖÒ ଖାଦ୍ୟରେ ଆପ୍ୟାୟିତ […]

ଘରେ ଫୁଟଣ ଫୁଟିଲେ ପଡ଼ୋଶୀଙ୍କୁ ବାସେ। ଏହାର ଅର୍ଥ ଆମ ଘରେ ଯାହା ସବୁ ଘଟେ ପ୍ରଥମେ ପଡ଼ୋଶୀ ହିଁ ଜାଣିଥା’ନ୍ତି। ସେମାନେ ଆମ ଆତ୍ମୀୟଙ୍କ ଠାରୁ ବଳି। ଦୁଃଖ-ସୁଖର ସାଥୀ। ପୁନେଇପରବରେ ପିଠାପଣାଠାରୁ ଆରମ୍ଭ କରି କନିଅାଁ ଓ ବର ଦେଖାରେ ପଡ଼ୋଶୀ ଯାଇଥା’ନ୍ତି ଏବଂ ବିବାହ ଉତ୍ସବରେ ନିଜକୁ ଅନ୍ତରର ସହିତ ସାମିଲ୍ କରିଥା’ନ୍ତି। ବିବାହ ଦିନ ଧାର୍ଯ୍ୟ ହେବା ପରେ ପୁଅ ଓ ଝିଅଙ୍କୁ ନିଜ ଘରକୁ ଡାକି ମନଲାଖÒ ଖାଦ୍ୟରେ ଆପ୍ୟାୟିତ କରିଥା’ନ୍ତି। ଘରେ ଯାହା ରୋଷେଇ ହୁଏ ପରିବାର ଖାଇବା ପୂର୍ବରୁ ଗିନାରେ ଯାଏ ପଡ଼ିଶା ଘରକୁ। ଖାଲି ଗିନା ଫେରେନା, ତାଙ୍କ ଘର ରୋଷେଇ ସେହି ଗିନାରେ ଆସେ। ଏହି ସମ୍ପର୍କ ଯୁଗଯୁଗରୁ ଯୋଡ଼ି ହୋଇଆସିଛି।
ପଡ଼ୋଶୀମାନେ ଆମର ଉପଦେଷ୍ଟା, ଆଜ୍ଞାବହନକାରୀ। ବିପଦରେ ଶକ୍ତି ଓ ସାହସ ଦିଅନ୍ତି। ବାହାର ଲୋକ କି’ଏ ଆମ ସହିତ କଳି କଲେ, ପଡ଼ୋଶୀ ତା’କୁ ସମାଧାନ କରିଦିଅନ୍ତି। ଆମ ବନ୍ଧୁ କ’ଣ ଏତେ ଶୀଘ୍ର ଆମ ବିପଦରେ ପହଞ୍ଚି ପାରନ୍ତି? ପିଲାଟି ବେଳୁ ଅର୍ଦ୍ଧେକ ସମୟ କଟେ ପଡ଼ୋଶୀଙ୍କ କାଖରେ। ସେଥିପାଇଁ ବଂଶାନୁକ୍ରମରେ ଛୋଟ ବେଳୁ ପଡ଼ୋଶୀଙ୍କ ପ୍ରତି ଏକ ସ୍ୱର୍ଗୀୟ ଆକର୍ଷଣ, ସ୍ନେହ, ମମତା ଓ ଆନୁଗତ୍ୟ ଭରି ରହିଥାଏ। ଚାଉଳ, ତେଲ, ଲୁଣ, ପିଆଜ, ରସୁଣ ଏପରିକି ଟଙ୍କା ସରିଯାଇଥିଲେ ପଡ଼ୋଶୀଙ୍କ ଘରୁ ଧାର ସୂତ୍ରରେ ଆସିଥାଏ। ପଡ଼ୋଶୀ ପିଲା ଭଲ ନମ୍ବର ରଖି ପାସ୍ କଲେ, ଚାକିରି କଲେ, ପୁରସ୍କାର ପାଇଲେ ତିନି ଗାଁରେ ସେ କଥା ପ୍ରଚାର କରନ୍ତି ପଡ଼ୋଶୀ। ମହିଳାଙ୍କ ହାତକୁ ସାହାଯ୍ୟ ହୁଅନ୍ତି।
ଏବେ କିନ୍ତୁ ବସ୍ତୁବାଦୀ ମଣିଷର ଆଚାର ବ୍ୟବହାର ବଦଳିଯାଇଛି। ଅନେକ ବର୍ତ୍ତମାନ କହୁଛନ୍ତି, ‘ପଡ଼ୋଶୀ ଆମର ବଡ଼ ଶତ୍ରୁ।’ ପଡ଼ୋଶୀ ସହିତ ପୂର୍ବପରି ଘନିଷ୍ଠ ସମ୍ପର୍କ ଆଉ ନାହିଁ। ପ୍ରତି କଥାରେ ପଡ଼ୋଶୀ ସହିତ ପ୍ରତିଯୋଗିତା। କ୍ରମଶଃ ଏହା ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହୁଏ। ପ୍ରତିଦ୍ୱନ୍ଦ୍ବିତାରୁ ହିଂସା, କ୍ରୋଧ, ପରଶ୍ରୀକାତରତା ବଢ଼େ। ଦୁଇ/ଚାରି ଆଙ୍ଗୁଳି ଜାଗାକୁ ନେଇ କଳି, ମାଡ଼ଗୋଳ ହୋଇ କଥା ଥାନା ଓ କଚେରିକୁ ଯାଉଛି। ଆମେ ନିଜ ହାତରେ ସମ୍ପର୍କର ଡୋରି କାଟୁଛୁ। କେହି କାହାର ଶିରି ଦେଖି ପାରୁନାହାନ୍ତି। ସହରରେ ଆମ ଆପାର୍ଟମେଣ୍ଟରେ ଦେଶର କୁଖ୍ୟାତ ଅପରାଧୀ ଓ ଚୋରା ନିଶା କାରବାର ଚାଲିବା ଆମେ ଜାଣିପାରୁନା। ପୁଲିସ୍ ଗିରଫ କଲେ ଆମେ ଜାଣୁ। ପଡ଼ୋଶୀ-ପଡ଼ୋଶୀ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଓ ମନୋମାଳିନ୍ୟ ଆମ ମାନସିକ ସମସ୍ୟାର ଏକ ବଡ଼ କାରଣ ବୋଲି କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟ ଓ କେତେକ ମନୋବିଜ୍ଞାନୀ ପ୍ରକାଶ କରିଛନ୍ତି। ଅଫିସ୍ କାମ ହେଉ ଅବା ଯେକୌଣସି କାମରେ ବାହାରେ ଥିଲେ ମୋବାଇଲ୍ରେ ପଡ଼ୋଶୀଙ୍କ ଉତ୍ପାତ ଖବର ପହଞ୍ଚେ। ଏହି ଖବର ପାଇଲେ କାମରେ ବାଧା ସୃଷ୍ଟି ହୁଏ। ଦୁଶ୍ଚିନ୍ତା ମାଡ଼ି ଆସେ।
ନିଜେ ନିରବୀ ଗଲେ ବି କେତେକ ଉଦ୍ଭ୍ରାନ୍ତ ପଡ଼ୋଶୀ ଶାନ୍ତ ପଡ଼ନ୍ତିନି। ଆମେ ଯଦି ତାଙ୍କ ଗଡ଼଼ିଆରେ ଗୋଡ଼ ପୂରାଉ, ଗୋଡ଼ ପଙ୍କିଳ ହୋଇଯାଏ। କିଛିଜଣ ବାରମ୍ୱାର ପଡ଼ୋଶୀର କ୍ଷତି ଚିନ୍ତା କରନ୍ତି। ହଇରାଣ ହରକତ କରିବାକୁ ଲାଗିପଡ଼ନ୍ତି। ସେଥିରେ ସମୟତକ ନଷ୍ଟ ହୁଏ। ଭଲ କାମରେ ବାଧା ଉପୁଜେ। କଳହ ବେଳେ ବେଳେ ରକ୍ତପାତ ଘଟାଏ। ଯେହେତୁ ସେମାନେ ଆମ ପାଖ ଘରେ ରହନ୍ତି ଅଧିକାଂଶ ସମୟରେ ସେମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ୁ। ମନରେ ପ୍ରତିଶୋଧ ଜାଗେ, ତାଙ୍କୁ ପାନେ ଦେବାକୁ ଖରାପ ଚିନ୍ତା କରୁ। କୌଣସି କାମରେ ପରିବାର ବାହାରକୁ ଗଲେ ଘରେ ତାଲା ଦେଇ ଗଲେ ମଧ୍ୟ ମନ ସନ୍ଦେହରେ ଆଉଟୁପାଉଟୁ ହୁଏ। ଆମେ ଯଦି ଘର ଭଡ଼ାରେ ଥିବା ତେବେ ଯେତେ କଷ୍ଟ ହେଉ ଅନ୍ୟ ଘର ଦେଖି ଚାଲିଯିବା। ଯାହାର ନିଜ ଘର ସେ କ’ଣ ସେ ଘରକୁ ବିକ୍ରି କରିଦେବା ସମ୍ଭବ?
ପୂର୍ବରୁ କେହି ବିଷାଦଗ୍ରସ୍ତ ହେଲେ ସୁଧାରିବା॥ରେ ପରିବାରଠାରୁ ପଡ଼ୋଶୀଙ୍କ ଭୂମିକା ଥାଏ ଅଧିକ। ନିଜର ମନକଥା ଖୋଲି କହିହୁଏ ପଡ଼ୋଶୀ ପାଖରେ। ପଡ଼ୋଶୀ ତୁରନ୍ତ ଏହାର ସମାଧାନ କରିଦିଅନ୍ତି। ଅବାଟରେ ଥିବା ପଡ଼ୋଶୀଙ୍କୁ ଠିକ୍ ବାଟକୁ ଆଣିବା ଶ୍ରେଷ୍ଠତ୍ୱର ପରିଚାୟକ। ତାଙ୍କ ସହିତ ମନ ମିଳାଇ ଚଳିବାକୁ ପଡ଼ିବ। ଆମକୁ ଚିନ୍ତା କରିବାକୁ ପଡ଼ିବ ଅବାଟରେ ଥିବା ପଡ଼ୋଶୀ ଜଣକ ଆମେ ନୁହଁ ତ ? ଯାହାଙ୍କ ଗହଣରେ ଆମେ ଅଛେ, ତାଙ୍କ ଦାୟାଦଙ୍କ ସହିତ ଆମ ଦାୟାଦ ଚଳିବେ। ମନସ୍ଥିର କଲେ ଅଡ଼ୁଆ ସୂତାର ଗଣ୍ଠି ସହଜରେ ଖୋଲିଯାଏ। ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼଼ ମହାନଦୀ ପାଣି ଅଟକାଇ ଓ ଆନ୍ଧ୍ର କୋଟିଆକୁ ନିଜର କହି ଓଡ଼ିଶାର ମାନସିକ ସ୍ଥିତି ଦୋହଲାଇ ଦେଉଛନ୍ତି। ପାକିସ୍ତାନ, ଚୀନ୍ ଓ ବାଂଲାଦେଶ ପଡ଼ୋଶୀ ରାଷ୍ଟ୍ର ହୋଇ ଅମାନିଆ ପଡ଼ୋଶୀର ଭୂମିକା ନେଉଛନ୍ତି। ଆମକୁ ତ ତାଙ୍କୁ ନେଇ ଚଳିବାକୁ ହେବ।
ପଟ୍ଟାମୁଣ୍ଡାଇ, ମୋ: ୯୫୫୬୫୮୬୦୩୦
ସନ୍ଧ୍ୟାରାଣୀ ଧଳ