ପଦକ ଜିତିବା ପରେ ଦେଶବାସୀଙ୍କୁ କ୍ଷମା ମାଗିଲେ ହକି ଟିମର ଅଧିନାୟକ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ ହକି ଟିମକୁ ପ୍ରଶଂସା କରିବାରେ ଲାଗିଛନ୍ତି।

ପଦକ ଜିତିବା ପରେ ଦେଶବାସୀଙ୍କୁ କ୍ଷମା ମାଗିଲେ ହକି ଟିମର ଅଧିନାୟକ

ଭାରତୀୟ ହକି ଟିମ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସକୁ ଦୋହରାଇଛି। ୫୨ ବର୍ଷ ମଧ୍ୟରେ ପ୍ରଥମଥର ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ବ୍ୟାକ ଟୁ ବ୍ୟାକ ପଦକ ଜିତିଛି। ଆଜି ଦଳ ବ୍ରୋଞ୍ଜ ପଦକ ଲଢ଼େଇରେ ସ୍ପେନକୁ ୨-୧ ଗୋଲରେ ହରାଇ କମାଲ କରିଦେଇଛି।

ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତିବାରୁ ଦଳ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ ହକି ଟିମକୁ ପ୍ରଶଂସା କରିବାରେ ଲାଗିଛନ୍ତି। ସମସ୍ତେ ଭାରତୀୟ ଟିମକୁ ବ୍ରୋଞ୍ଜ ପଦକ ପାଇଁ ଶୁଭେଚ୍ଛା ଜଣାଉଛନ୍ତି।

ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ମଧ୍ୟ ୪କୁ ବୃଦ୍ଧି ପାଇଛି। ପୂର୍ବରୁ ଦଳ ଶୁଟିଂରେ ୩ଟି ଯାକ ପଦକ ଜିତିଥିଲା। ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ମନୁ ଭାକର, ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର ଓ ସରବଜୋତ ସିଂହ ଓ ୫୦ ମିଟର ଏୟାରରାଇଫ ୩ ପ୍ରୋଜିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ସ୍ୱପ୍ନିଲ କୁଶାଲେ।

ଆଜି ଭାରତୀୟ ହକି ଟିମ ଦେଶ ପାଇଁ ଆଉ ଏକ ବ୍ରୋଞ୍ଜ ଜିତିଛି। କିନ୍ତୁ ବ୍ରୋଞ୍ଜ ପଦକ ମ୍ୟାଚ୍‌ର ହିରୋ ତଥା ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ହରମନପ୍ରୀତ ସିଂହ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ଆଜିର ମ୍ୟାଚ୍‌ରେ ହରମନପ୍ରୀତ ହିଁ ଦେଶ ପାଇଁ ଦୁଇଟି ଗୋଲ ସ୍କୋର କରିଛନ୍ତି।

ଚଳିତ ଅଲିମ୍ପିକ୍ସରେ ତାଙ୍କ ଗୋଲ ସଂଖ୍ୟା ୧୧ ରହିଛି। ହେଲେ ମ୍ୟାଚ ପରେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ହକି ଟିମ ଦେଶ ପାଇଁ ସ୍ୱର୍ଣ୍ଣ ଜିତିବାକୁ ଚାହୁଁଥିଲା। ଆମେ ଏହାର ଅତି ନିକଟରେ ପହଞ୍ଚି ଯାଇଥିଲୁ। କିନ୍ତୁ ସ୍ୱର୍ଣ୍ଣ ଜିତିବା ଆମ ଭାଗ୍ୟରେ ନଥିଲା।

ଆମେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇ ନଥିବାରୁ ଦେଶବାସୀଙ୍କୁ କ୍ଷମା ମାଗୁଛି। ତେବେ ଭାରତୀୟ ହକି ଏବେ ଉପରକୁ ଉଠିବା ଆରମ୍ଭ କରିଛି ବୋଲି ହରମନପ୍ରୀତ କହିଛନ୍ତି।