ପଦ୍ମ ପୁରସ୍କାର ବିଜେତାଙ୍କୁ ଆର୍ଥିକ ସମ୍ମାନ ରାଶି ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିଲା: ବିଜେଡି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ପଦ୍ମ ପୁରସ୍କାର ବିଜେତା ମାନଙ୍କୁ ମାସିକ ୩୦,୦୦୦ ଟଙ୍କା ଆର୍ଥିକ ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ଗତକାଲି କରାଯାଇଥିବା ଘୋଷଣାରେ କିଛି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ସମୟରେ ଘୋଷିତ ହୋଇଥିଲା ବୋଲି ବିଜୁ ଜନତା ଦଳ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି। ଡ଼ଃ ମହାନ୍ତି କହିଥିଲେ, ୧୩ ମାର୍ଚ୍ଚ […]

ପଦ୍ମ ପୁରସ୍କାର ବିଜେତାଙ୍କୁ ଆର୍ଥିକ ସମ୍ମାନ ରାଶି ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିଲା: ବିଜେଡି
BJD leader Lenin Mohanty holds press meet targets BJP

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ପଦ୍ମ ପୁରସ୍କାର ବିଜେତା ମାନଙ୍କୁ ମାସିକ ୩୦,୦୦୦ ଟଙ୍କା ଆର୍ଥିକ ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ଗତକାଲି କରାଯାଇଥିବା ଘୋଷଣାରେ କିଛି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ସମୟରେ ଘୋଷିତ ହୋଇଥିଲା ବୋଲି ବିଜୁ ଜନତା ଦଳ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି।

ଡ଼ଃ ମହାନ୍ତି କହିଥିଲେ, ୧୩ ମାର୍ଚ୍ଚ ୨୦୨୪ରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜାରି ହୋଇଥିବା ବିବୃତିରେ କୁହା ଯାଇଥିଲା ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ଵିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ୟ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି ।

ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ୱରୂପ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ଘୋଷଣା ହୋଇଥିଲା। ଚଳିତ ବର୍ଷ ଅପ୍ରେଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ବିବୃତିରେ କୁହାଯାଇଥିଲା।

ଆଜି ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଘୋଷଣା କେବଳ ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ପରିମାଣରେ ୫,୦୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ଘୋଷଣା କରିବା ସମୟରେ ପୂର୍ବ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଜାଣିଶୁଣି ଉଲ୍ଲେଖ କରାଯାଇନାହିଁ, ଯାହା ଏକ ଚଞ୍ଚକତା ଠାରୁ କମ ନୁହେଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ସରକାର ବାହାଦୁରି ନେବା ପାଇଁ ବହୁତ ବ୍ୟଗ୍ର ଅଛନ୍ତି। ତେଣୁ, ପୂର୍ବ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ନିଜର କହି ବାହାଦୁରି ନେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଥିଲେ। ନିଜେ ନିଷ୍ପତ୍ତି ନେଇ ବାହାଦୁରି ନେବାରେ କିଛି ଅସୁବିଧା ନାହିଁ କିନ୍ତୁ, ପୂର୍ଵ ସରକାରଙ୍କ କାମକୁ ନିଜର କହି ବାହାଦୁରି ନେବା ରାଜ୍ୟବାସୀଙ୍କୁ ଭଣ୍ଡାଇବା ସଦୃଶ୍ୟ।

ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବର୍ତ୍ତମାନର ସରକାର କେବଳ ଏହି ପ୍ରସଙ୍ଗରେ ନୁହେଁ, ବରଂ ଏଭଳି ଅନେକ ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ନିଷ୍ପତ୍ତିକୁ ପୁଣି ଥରେ ଘୋଷଣା କରୁଛନ୍ତି। ନିକଟରେ ମହିଳା କର୍ମଚାରୀ ମାନଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ହୋଇଥିବା ବର୍ଷକୁ ୧୦ ଦିନର ବିଶେଷ ଛୁଟିକୁ ବର୍ତ୍ତମାନର ସରକାର ବର୍ଷକୁ ବାର ଦିନ ଛୁଟିର ଘୋଷଣା କରିଛନ୍ତି। ସେହିପରି, ୩୪ଟି ନୂତନ ଏନଏସି ଓ ୫ଟି ଏନଏସି କୁ ମୁନିସିପାଲିଟି କରିବା ପାଇଁ ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିଲା। ନିକଟରେ ପୁଣି ଥରେ ସମାନ ଘୋଷଣା ନୂତନ ଭାବେ କରାଯାଇଛି ବୋଲି ଡ଼ଃ ମହାନ୍ତି କହିଥିଲେ।