ପର୍ସନାଲ ଲୋନ୍ ପ୍ରତି ମୁହଁ ମୋଡୁଛନ୍ତି ଗ୍ରାହକ, କ୍ରେଡିଟ୍ କାର୍ଡ ଇସ୍ୟୁ ମଧ୍ୟ କମ୍ ହୋଇଛି
ନୂଆଦିଲ୍ଲୀ : ଧିମା ପଡିଲାଣି ଦେଶର ଅର୍ଥନୀତି। କମୁଛି ବଜାର ଚାହିଦା। କାରଣ ଉପଭୋକ୍ତା ବ୍ୟୟରେ ହ୍ରାସ ଜାରି ରହିଛି, ଯାହାର ସଙ୍କେତ ବ୍ୟାଙ୍କ ଋଣ ଅଭିବୃଦ୍ଧି ସମ୍ପର୍କିତ ତଥ୍ୟରୁ ଜଣାପଡୁଛି। ଅକ୍ଟୋବରରେ ବ୍ୟାଙ୍କ ଋଣ ଅଭିବୃଦ୍ଧିରେ ୧.୫% ହ୍ରାସ ଦେଖାଦେଇଛି। ଏହି ମାସରେ ବିଭିନ୍ନ ଶ୍ରେଣୀର ଋଣ ଅଭିବୃଦ୍ଧିରେ ହ୍ରାସ ଘଟିଛି। ପାର୍ବଣ ଋତୁ ସତ୍ତ୍ବେ ଅକ୍ଟୋବରରେ ଗ୍ରାହକମାନେ ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ନେବା ପ୍ରତି କମ୍ ଆଗ୍ରହ ଦେଖାଇଛନ୍ତି। ସେହି ମାସରେ ବ୍ୟକ୍ତିଗତ […]

ନୂଆଦିଲ୍ଲୀ : ଧିମା ପଡିଲାଣି ଦେଶର ଅର୍ଥନୀତି। କମୁଛି ବଜାର ଚାହିଦା। କାରଣ ଉପଭୋକ୍ତା ବ୍ୟୟରେ ହ୍ରାସ ଜାରି ରହିଛି, ଯାହାର ସଙ୍କେତ ବ୍ୟାଙ୍କ ଋଣ ଅଭିବୃଦ୍ଧି ସମ୍ପର୍କିତ ତଥ୍ୟରୁ ଜଣାପଡୁଛି। ଅକ୍ଟୋବରରେ ବ୍ୟାଙ୍କ ଋଣ ଅଭିବୃଦ୍ଧିରେ ୧.୫% ହ୍ରାସ ଦେଖାଦେଇଛି। ଏହି ମାସରେ ବିଭିନ୍ନ ଶ୍ରେଣୀର ଋଣ ଅଭିବୃଦ୍ଧିରେ ହ୍ରାସ ଘଟିଛି। ପାର୍ବଣ ଋତୁ ସତ୍ତ୍ବେ ଅକ୍ଟୋବରରେ ଗ୍ରାହକମାନେ ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ନେବା ପ୍ରତି କମ୍ ଆଗ୍ରହ ଦେଖାଇଛନ୍ତି। ସେହି ମାସରେ ବ୍ୟକ୍ତିଗତ ଋଣ ଯୋଗାଣ ୧୩.୯ରୁ ୧୩.୯ ପ୍ରତିଶତକୁ ହ୍ରାସ ଘଟିଛି। ଏମିତିକି ଅକ୍ଟୋବରରେ କ୍ରେଡିଟ୍ କାର୍ଡ ଇସ୍ୟୁ ମଧ୍ୟ କମ୍ ହୋଇଛି। ପର୍ସନାଲ ଲୋନ୍ରେ ଏପରି ସ୍ଥିତି ବିଶେଷକରି ସହରାଞ୍ଚଳରେ ଗ୍ରାହକଙ୍କ ଉପଯୋଗିତା ଉପରେ ପ୍ରଭାବ ପକାଇପାରେ। ଋଣ ଅଭିବୃଦ୍ଧି ଏଭଳି ନିମ୍ନମୁଖୀ ରହିବା ଅର୍ଥନୀତିରେ ଉପଭୋକ୍ତା ଖର୍ଚ୍ଚରେ ହ୍ରାସ ହେବାର ଭୟକୁ ଆହୁରି ବଢ଼ାଇଦେଇଛି। ଏହା ପ୍ରମାଣ କରୁଛି ଯେ, ଦେଶର ଲୋକମାନେ ବ୍ୟକ୍ତି ଋଣ ନେବାକୁ ଏଡ଼ାଇବା ଆରମ୍ଭ କରିଛନ୍ତି।
କ୍ରିସିଲ୍ ରିପୋର୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ସୁଧ ହାର ବୃଦ୍ଧିରେ ବିଳମ୍ବିତ ପ୍ରଭାବ ବ୍ୟାପକ ଅର୍ଥନୀତିରେ ଦୃଶ୍ୟମାନ ହେବାରେ ଲାଗିଛି। ଏଥିଯୋଗୁ ଗତ ତିନିମାସ ମଧ୍ୟରେ ବ୍ୟାଙ୍କ ଋଣ ଅଭିବୃଦ୍ଧି ହ୍ରାସ ପାଇଛି। ଏହି କାରଣରୁ ଅର୍ଥନୀତିରେ ଗ୍ରାହକଙ୍କ ଦ୍ବାରା ଉପଯୋଗିତା ଖର୍ଚ୍ଚ ହ୍ରାସ ହେବାର ସମ୍ଭାବନା ବଢ଼ିଛି। ଏହି ମନ୍ଥରତା ବିଶେଷକରି ବ୍ୟକ୍ତିଗତ ଋଣ କ୍ଷେତ୍ରରେ ହୋଇଛି, ଯାହା ବେଶ ଚିନ୍ତାଜନକ। ସହରାଞ୍ଚଳରେ ଗ୍ରାହକଙ୍କ ଖର୍ଚ୍ଚ ସହିତ ଏହାର ସିଧାସଳଖ ସମ୍ପର୍କ ରହିଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଅକ୍ଟୋବରରେ ବ୍ୟାଙ୍କ ଋଣ ଅଭିବୃଦ୍ଧି ୧୩ ପ୍ରତିଶତରୁ ୧୧.୫ ପ୍ରତିଶତକୁ ହ୍ରାସ ପାଇଛି। ସେପ୍ଟେମ୍ବର ମାସର କ୍ଷେତ୍ର ଭିତ୍ତିକ ତଥ୍ୟ ମଧ୍ୟ ଏହା ଦର୍ଶାଉଛି ଯେ, ଏହି ମାସରେ ଅନେକ ବର୍ଗରେ ଋଣ ଅଭିବୃଦ୍ଧି ମନ୍ଥର ହୋଇଛି। ଉଦାହରଣ ସ୍ୱରୂପ, କୃଷି ଋଣରେ ଅଭିବୃଦ୍ଧି ହାର ୧୭.୭ ପ୍ରତିଶତରୁ ୧୬.୪ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଶିଳ୍ପ କ୍ଷେତ୍ରକୁ ଋଣ ୯.୭ରୁ ୮.୯ ପ୍ରତିଶତକୁ ହ୍ରାସ ପାଇଛି।
ସେହିଭଳି ସେବା କ୍ଷେତ୍ରରେ ଋଣ ଅଭିବୃଦ୍ଧି ୧୩.୯ ପ୍ରତିଶତରୁ ସାମାନ୍ୟ ହ୍ରାସ ପାଇ ୧୩.୭ ପ୍ରତିଶତ ରହିଛି। ଅପରପକ୍ଷେ ଉପଭୋକ୍ତା ଖର୍ଚ୍ଚର ମୁଖ୍ୟ ଡ୍ରାଇଭର କୁହାଯାଉଥିବା ବ୍ୟକ୍ତିଗତ ଋଣ କ୍ଷେତ୍ର ୧୩.୯ ପ୍ରତିଶତରୁ ୧୩.୪ ପ୍ରତିଶତକୁ ହ୍ରାସ ଘଟିଛି। ରିପୋର୍ଟ ଅନୁଯାୟୀ, ବ୍ୟକ୍ତିଗତ ଋଣ ବର୍ଗରେ କ୍ରେଡିଟ୍ କାର୍ଡ ଶ୍ରେଣୀରେ ଅଭିବୃଦ୍ଧି ୧୯.୯ରୁ ୧୮ ପ୍ରତିଶତକୁ ହ୍ରାସ ପାଇଛି।
ଏହାବ୍ୟତୀତ ସେବା କ୍ଷେତ୍ରର ଅନ୍ୟତମ ପ୍ରମୁଖ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡିକ (ଏନ୍ବିଏଫ୍ସି)ର ଋଣ ଅଭିବୃଦ୍ଧି ମଧ୍ୟ ୧୧.୯ରୁ ୯.୫ ପ୍ରତିଶତକୁ ହ୍ରାସ ପାଇଛି। ଋଣ ଯୋଗାଣ କ୍ଷେତ୍ରରେ ଏପରି ମନ୍ଥରତା ସହରାଞ୍ଚଳର ବ୍ୟବହାର ଉପରେ ଏକ ମହତ୍ପୂର୍ଣ୍ଣ ପ୍ରଭାବ ପକାଇପାରେ, କାରଣ ଅନେକ ସହରୀ ପରିବାର ଉଭୟ ଜରୁରୀ ଏବଂ ଅଣ-ଅତ୍ୟାବଶ୍ୟକ କ୍ରୟ ପାଇଁ ବ୍ୟକ୍ତିଗତ ଏବଂ କ୍ରେଡିଟ୍ କାର୍ଡ ଉପରେ ନିର୍ଭର କରିଥାନ୍ତି। ଋଣ ଅଭିବୃଦ୍ଧି ଉପରେ ଅଙ୍କୁଶ ଲାଗୁ ଯୋଗୁ ସହରାଞ୍ଚଳର ଗ୍ରାହକମାନଙ୍କ ଦ୍ବାରା ଋଣ ଉପଲବ୍ଧତା କମ୍ ହେବ। ଏଥିଯୋଗୁ ସହରୀ ପରିବାରଗୁଡିକ ସମ୍ଭବତଃ ସେମାନଙ୍କ ଖର୍ଚ୍ଚରେ ହ୍ରାସ ଘଟାଇବେ, ଯାହାର ପ୍ରବା ସ୍ବରୂପ ଦେଶର ସାମଗ୍ରିକ ଅର୍ଥନୈତିକ ଗତି ଧୀମା ପଡିପାରେ।