ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ‘ଅପରାଜିତା’ ବିଲ୍‌, ଦୁଷ୍କର୍ମକାରୀଙ୍କୁ ମିଳିବ କଡ଼ାଦଣ୍ଡ

ପଶ୍ଚିମବଙ୍ଗ ବିଧାନସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍‌କୁ ଐତିହାସିକ ବୋଲି କହିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ‘ଅପରାଜିତା’ ବିଲ୍‌, ଦୁଷ୍କର୍ମକାରୀଙ୍କୁ ମିଳିବ କଡ଼ାଦଣ୍ଡ

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ 'ଅପରାଜିତା' ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି ।

ବିଧାନସଭାରେ 'ଅପରାଜିତା' ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ । 'ଅପରାଜିତା ମହିଳା ଏବଂ ଶିଶୁ ବିଲ୍' ୨୦୨୪ ଆଇନ ଅନୁସାରେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମର ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ୨୧ ଦିନ ମଧ୍ୟରେ ମାମଲାର ବିଚାର କରାଯାଇ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିନା ପାରୋଲ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ।

ସେହିପରି ଏସିଡ୍ ଆଟାକ୍ ଏବଂ ପୀଡାତାଙ୍କ ପରିଚୟ ପ୍ରକାଶ କରିଥିଲେ ଦଣ୍ଡ ବ୍ୟବସ୍ଥା ରହିଛି । ଆରଜି କର ହସ୍ପିଟାଲର ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସି ଏହି ବିଲ୍ ପାରିତ ହୋଇଛି ।

ଅଧିକ ପଢ଼ନ୍ତୁ: ସନ୍ଦୀପଙ୍କ ଠାରୁ ସତ ଉଗାରିବ CBI; ଦୁର୍ନୀତି ମାମଲାରେ ହେଲେ ଗିରଫ...

କ’ଣ ରହିଛି ଏହି ଅପରାଜିତା ବିଲ୍‌ରେ

  • ଏହି ବିଲରେ ବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହେବ
  • ଅପରାଜିତା ବିଲ୍ ଅନୁଯାୟୀ, ଚାର୍ଜସିଟ୍ ଦାଖଲ କରିବାର ୩୬ ଦିନ ମଧ୍ୟରେ ଅଭିଯୋଗ ପ୍ରମାଣିତ ହେବା ପରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।
  • ଏହି ବିଲ୍ ଅଧୀନରେ ପ୍ରତ୍ୟେକ ଜିଲ୍ଲାର ମହିଳାମାନଙ୍କ ପାଇଁ ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ। ବଳାତ୍କାର, ଏସିଡ୍ ଆକ୍ରମଣ କିମ୍ବା ନିର୍ଯାତନା ମାମଲାରେ ଟାସ୍କଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
  • ଏସିଡ୍ ଆକ୍ରମଣ ମାମଲାରେ ମଧ୍ୟ କଠୋର ଦଣ୍ଡ ଦିଆଯିବ, ଏସିଡ୍ ଆକ୍ରମଣ ଅପରାଧ ପାଇଁ ଆଜୀବନ କାରାଦଣ୍ଡାଦେଶ ଦେବାକୁ ବିଲରେ ବ୍ୟବସ୍ଥା ରହିଛି।
  • ଏହା ବ୍ୟତୀତ ବିଲରେ ଏକ ବ୍ୟବସ୍ଥା ଅଛି ଯେ ପୀଡିତାଙ୍କ ପରିଚୟ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।