ପାଇକ ବିଦ୍ରୋହର ଅନନ୍ୟ ନାୟକ ବକ୍ସି ଜଗବନ୍ଧୁ
ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ହେଉଛନ୍ତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ। ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା। ସେ ‘ବକ୍ସି ଜଗବନ୍ଧୁ’ ଭାବେ ଲୋକପ୍ରିୟ। ୧୭୭୩ ମସିହାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ରୋଡ଼ଙ୍ଗ ଗ୍ରାମରେ ବକ୍ସି ଜଗବନ୍ଧୁ ଜନ୍ମଗ୍ରହଣ କରିଥିଲେ। ବକ୍ସି ଥିଲେ ରାଜକୁଳ ସମ୍ଭୂତ। ପିଲାଦିନୁ ସେ ଅଶ୍ବଚାଳନାର ବିଭିନ୍ନ ରଣକୌଶଳ ଶିଖିଥିଲେ। ଜଗବନ୍ଧୁ ବିଦ୍ୟାଧର ତାଙ୍କର ପୂର୍ବପୁରୁଷଙ୍କଠାରୁ ବଂଶାନୁକ୍ରମେ ‘ବକ୍ସି’ ଉପାଧି ଲାଭ […]

ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ହେଉଛନ୍ତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ। ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା। ସେ ‘ବକ୍ସି ଜଗବନ୍ଧୁ’ ଭାବେ ଲୋକପ୍ରିୟ। ୧୭୭୩ ମସିହାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ରୋଡ଼ଙ୍ଗ ଗ୍ରାମରେ ବକ୍ସି ଜଗବନ୍ଧୁ ଜନ୍ମଗ୍ରହଣ କରିଥିଲେ। ବକ୍ସି ଥିଲେ ରାଜକୁଳ ସମ୍ଭୂତ। ପିଲାଦିନୁ ସେ ଅଶ୍ବଚାଳନାର ବିଭିନ୍ନ ରଣକୌଶଳ ଶିଖିଥିଲେ। ଜଗବନ୍ଧୁ ବିଦ୍ୟାଧର ତାଙ୍କର ପୂର୍ବପୁରୁଷଙ୍କଠାରୁ ବଂଶାନୁକ୍ରମେ ‘ବକ୍ସି’ ଉପାଧି ଲାଭ କରି ଖୋର୍ଦ୍ଧା ରାଜାଙ୍କର ସେନାପତି ଦାୟିତ୍ବ ବହନ କରିଥିଲେ। ରାଜାଙ୍କ ପରେ ସେ ଥିଲେ ଦ୍ବିତୀୟ ମାନ୍ୟଗଣ୍ୟ ବ୍ୟକ୍ତି। ସେହି ସମୟରେ ପାଇକମାନେ ନିଷ୍କର ଜମି ଭୋଗ କରୁଥିଲେ। ମରହଟ୍ଟାମାନଙ୍କୁ ଓଡ଼ିଶାରୁ ହଟାଇବା ପାଇଁ ଇଂରେଜମାନେ ଗଜପତି ମହାରାଜାମାନଙ୍କୁ ସାହାଯ୍ୟ କରିଥିଲେ। ଏହାପରେ ରାଜ୍ୟର ଶାସନଭାରରେ ସେମାନେ ହସ୍ତକ୍ଷେପ କଲେ।
ଇଂରେଜମାନେ ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କର ରାଜ୍ୟକୁ ଇଂରେଜ ଶାସନାଧୀନ ଅଞ୍ଚଳ ସହିତ ମିଶାଇ ଦେଲେ। ପାଇକଙ୍କ ନିଷ୍କର ଜମି ଉପରେ ଉଚ୍ଚ ହାରରେ କର ଧାର୍ଯ୍ୟ ହେଲା। ଫଳରେ ପାଇକମାନେ ତାଙ୍କ ବଂଶାନୁକ୍ରମିକ ନିଷ୍କର ବୃତ୍ତିରୁ ବଞ୍ଚିତ ହେଲେ। ଅନେକ ଘରଦ୍ବାର ଛାଡ଼ି ନିକଟବର୍ତ୍ତୀ କରଦ ରାଜ୍ୟମାନଙ୍କରେ ଆଶ୍ରୟ ନେଲେ। ଯେଉଁମାନେ ରହିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଲା। ୧୮୧୭ ମସିହାରେ ଇଂରେଜମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଏକ ହତ୍ୟା ମାମଲାରେ ଗିରଫ କଲେ।
ଏହି ଘଟଣାର ପ୍ରତିବାଦରେ ଖୋର୍ଦ୍ଧାର ପାଇକମାନେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଇଂରେଜମାନଙ୍କ ଅନ୍ୟାୟ ନୀତି ଓ ନିର୍ଯାତନା ବିରୋଧରେ ବିଦ୍ରୋହ କଲେ। ଏହାପରେ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଏହି ବିଦ୍ରୋହର କର୍ଣ୍ଣଧାର ଥିଲେ ବକ୍ସି ଜଗବନ୍ଧୁ। ଯାହାର ମୁଖ୍ୟ କାରଣ ହେଉଛି, ନୂଆ ରାଜସ୍ବ ନୀତି ଏବଂ ଲବଣ ଦର ବୃଦ୍ଧି। ଘୁମୁସରର କନ୍ଧ ଓ ପାଇକମାନେ ମିଳିତ ଭାବେ ବାଣପୁରରେ ଥିବା ଇଂରେଜମାନଙ୍କ ବିଭିନ୍ନ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ବାଣପୁରରୁ ପିପିଲି ମଧ୍ୟରେ ଥିବା ଇଂରେଜଙ୍କର ବିଭିନ୍ନ କାର୍ଯ୍ୟାଳୟ ଓ ସୈନ୍ୟ ଛାଉଣୀ ଉପରେ ଆକ୍ରମଣ ହୋଇଥିଲା। ପରେ ପୁରୀ ଆଡକୁ ଅଗ୍ରସର ହୋଇଥିଲେ। ମାତ୍ର ସେଠାରେ ଇଂରେଜ ସୈନ୍ୟମାନଙ୍କୁ ପ୍ରତିରୋଧ କରିବା ସମ୍ଭବ ହୋଇ ପାରିନଥିଲା। ମାତ୍ର ବକ୍ସି ଜଗବନ୍ଧୁଙ୍କୁ ଇଂରେଜମାନେ ଗିରଫ କରି ନ ଥିଲେ। ପରେ ବଡ଼ଲାଟ୍ ୧୮୨୨ ମସିହାରେ ଜଗବନ୍ଧୁଙ୍କୁ କେତେ ସର୍ତ୍ତରେ କ୍ଷମା କରିବେ ବୋଲି ଘୋଷଣା କରିଥିଲେ। ମାତ୍ର ବକ୍ସି ଜଗବନ୍ଧୁ ଏହାକୁ ଗ୍ରହଣ କରି ନଥିଲେ। ଏହାପରେ ୧୮୨୫ ମସିହା ମେ’ ମାସ ୨୭ ତାରିଖରେ ବକ୍ସି ଜଗବନ୍ଧୁ କଟକରେ ଆତ୍ମସମର୍ପଣ କରିଥିଲେ। ୧୮୨୯ ଜାନୁଆରୀ ୨୪ ତାରିଖରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଇହଲୀଳା ସମ୍ବରଣ କଲେ।