ପାଇଖାନା ଛାତ ପଡ଼ି ୨ ଛାତ୍ର ଆହତ

ପାଇଖାନା ସ୍ଲାବ୍‌ ଭୁଶୁଡ଼ି ଦୁଇ ଜଣ ଛାତ୍ର ଆହାତ ହୋଇଛନ୍ତି

ପାଇଖାନା ଛାତ ପଡ଼ି ୨ ଛାତ୍ର ଆହତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଦର ମହକୁମାରେ ଥିବା ଏକ ସରକାରୀ ଉର୍ଦ୍ଦୁ ପ୍ରାଥମିକ ମକ୍ତବ୍ (ସ୍କୁଲ)ରେ ଘଟିଛି ଏକ ଅଭାବନୀୟ ଘଟଣା। ପାଇଖାନା ସ୍ଲାବ୍‌ ଭୁଶୁଡ଼ି ଦୁଇ ଜଣ ଛାତ୍ର ଆହାତ ହୋଇଛନ୍ତି। ଗୁରୁତର ହୋଇଥିବା ଦୁଇ ଛାତ୍ର ହେଲେ ସନ୍ତୋଷ କାରୁଆ ଓ ରାଜା ନାଏକ। ଉଭୟ ପଞ୍ଚମ ଶ୍ରେଣୀର ଛାତ୍ର।

ଆଜି ଶିକ୍ଷୟିତ୍ରୀ ଛାତ୍ର ଓ ଛାତ୍ରୀମାନଙ୍କ ସହାୟତାରେ ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ପାଇଖାନା ଘର ପାଖରେ ସଫେଇ କରାଉଥିଲେ। ଠିକ୍‌ ସେଇ ସମୟରେ ପାଇଖାନା ଉପରେ ପଡ଼ିଥିବା ସ୍ଲାବ୍‌ଟି ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ ପାଇଖାନା ଇଟା କାନ୍ଥ ଭାଙ୍ଗି ଯାଇଥିଲା। ଆଉ ସେଇ ଇଟା ଖଣ୍ଡ ଗୁଡ଼ିକ ଛିଟିକି ହୋଇ ଛାତ୍ରଙ୍କ ଉପରେ ପଡ଼ିଥିଲା। ଯେଉଁଥିପାଇଁ ଦୁଇ ଛାତ୍ର ଆହତ ହୋଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗେସଙ୍ଗେ ଦୁଇ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଖବର ପଇ ବିଇଓ ମେଡିକାଲରେ ପହଞ୍ଚିଥିଲେ। ଘଟଣା ନେଇ ପ୍ରଧାନ ଶିକ୍ଷୟିତ୍ରୀ ଓ ଆହାତ ହୋଇଥିବା ଛାତ୍ରଙ୍କ ଅଭିଭାବଙ୍କ ସହିତ ଆଲୋଚନା କରିଥିଲେ। ଶେଷ ଖବର ସୁଦ୍ଧା ଆହତ ଛାତ୍ରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଦଳେଇ କହିଛନ୍ତି, ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ପାଇଖାନା ପାଖରେ ପିଲାମାନେ ଫୁଲଗଛ ଲଗାଇବା ପାଇଁ ଗାତ ଖୋଳୁଥିଲେ। ସେଇ ସମୟରେ ପାଇଖାନା ଛାତ ଭୁଶୁଡ଼ି ଯାଇଥିଲା। ଯେଉଁଥି ପାଇଁ ଦୁଇ ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଇଓ କହିଛନ୍ତି।

ରିପୋର୍ଟ - କେନ୍ଦୁଝରରୁ ପ୍ରଣୟ ପାଣି