ପାଇପ୍ ଭିତରେ ୬୦ ରାତି! ୬୦ ବର୍ଷୀୟ ବୃଦ୍ଧ ଉଦ୍ଧାର

ପାରିବାରିକ କଳହରୁ ଘର ଛାଡ଼ି ଚାଲିଯାଇଥିଲେ। ଦୁଇମାସ ହେବ ବହୁ ଖୋଜାଖୋଜି ପରେ ମିଳିନଥିଲା ପତ୍ତା।

ପାଇପ୍ ଭିତରେ ୬୦ ରାତି! ୬୦ ବର୍ଷୀୟ ବୃଦ୍ଧ ଉଦ୍ଧାର

ପାଇପ୍ ଭିତରେ କଟୁଥିଲା ଜୀବନ। ଉପରେ କଲର୍ଭଟ୍ ଭିତରେ ପାଇପ୍ ଆଉ ଏହାରି ଭିତରେ ଏମିତି ୬୦ ରାତି କାଟିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ସୁନ୍ଦରଗଡ଼ ଟେନସା ଫାଣ୍ଡି ଅଞ୍ଚଳରେ ଏକ ରାସ୍ତାର କଲଭର୍ଟ ଭିତରେ ବୃଦ୍ଧ ଜଣକ ଦୁଇ ମାସ କାଟିଛନ୍ତି। ଯେଉଁଠିକୁ ଲୋକେ ଦିନରେ ଯିବା ପାଇଁ ଭୟ କରନ୍ତି, ସେହି କଲଭର୍ଟ ଭିତରେ ଦୀର୍ଘ ଦୁଇମାସ ଲୁଚି ଲୁଚି ଜୀବନ କାଟୁଥିବା ୬୦ ବର୍ଷୀୟ ବୃଦ୍ଧ ଜଣକ ହେଉଛନ୍ତି ଜୋହନ କାଣ୍ଡୁଲାନା।

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଟକରା ରେଙ୍ଗାଲବେଢ଼ା ଗାଁର ଜୋହନ କାଣ୍ଡୁଲାନା ପାରିବାରିକ କଳହ ଯୋଗୁଁ ଘର ଛାଡ଼ି ଚାଲିଯାଇଥିଲେ। ଗତ ଦୁଇ ମାସ ଧରି ପରିବାର ଓ ପୁଲିସ୍ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଜୋହନଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ଏହି ପାଇପ୍ ଭିତରେ ସେ ଲୁଚି ରହିଥିବା ଖବର ମିଳିଥିଲା। ଖବର ପାଇ ସେଠାରେ ପହଞ୍ଚି ପୁଲିସ ତାଙ୍କୁ ଉଦ୍ଧାର କରିବା ବେଳେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। ଯେଉଁ ଜାଗାରେ ସେ ଗତ ୬୦ ଦିନ ହେବ ରହୁଥିଲେ, ସେଠାରେ ୬୦ ସେକେଣ୍ଡ ବି ରହିବା ସମ୍ଭବପର ନୁହେଁ। ଏଭଳି ସ୍ଥିତିରେ ଜୋହନ୍ କେମିତି ଏତେ ଦିନ ସେଠି କାଟିଲେ, ତାକୁ ନେଇ ସମସ୍ତେ ଚକିତ। ତେବେ ଜୋହନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।