ପାକିସ୍ତାନ ସେନାକୁ ଟାର୍ଗେଟ କରି ହୋଇଥିଲା ବିସ୍ଫୋରଣ; ନିଜକୁ ଦାୟୀ କଲା ଏହି ସଙ୍ଗଠନ

ଆଜି ସକାଳ ପ୍ରାୟ ୯ଟା ବେଳେ ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ପାକିସ୍ତାନ ସେନାକୁ ଟାର୍ଗେଟ କରି ହୋଇଥିଲା ବିସ୍ଫୋରଣ; ନିଜକୁ ଦାୟୀ କଲା ଏହି ସଙ୍ଗଠନ

ପାକିସ୍ତାନର କ୍ୱେଟା ରେଲୱେ ଷ୍ଟେସନ ପରିସରରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଲାଗି ‘ବଲୁଚ ଲିବରେସନ ଆର୍ମି ’ନାମକ ସଙ୍ଗଠନ ନିଜକୁ ଦାୟୀ କରିଛି। ଆଜି ସକାଳ ପ୍ରାୟ ୯ଟା ବେଳେ ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ପାକିସ୍ତାନ ପୁଲିସ୍‌ ତଥା ସେନା ପକ୍ଷରୁ ଏହି ଘଟଣାର ଛାନଭିନ ଆରମ୍ଭ ହୋଇ ଯାଇଥିବା ବେଳେ ‘ବଲୁଚ ଲିବରେସନ ଆର୍ମି’ ଏଥିପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନ ସେନାକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ସଙ୍ଗଠନ ପ୍ରବକ୍ତା କହିଛନ୍ତି। ଆଜି ସକାଳେ ପାକିସ୍ତାନ ସେନାର ଏକ ୟୁନିଟ ମିଲିଟାରୀ କଲେଜରୁ କୋର୍ସ ସମାପ୍ତ କରି ଫେରୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି।

ଏହି ବିସ୍ଫୋରଣ ଆତ୍ମଘାତୀ ହାମଲା ହୋଇଥାଇପାରେ ବୋଲି ବଲୁଚର ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି। ତେବେ ଏହି ଘଟଣାର ଯାଞ୍ଚ ଚାଲିଥିବା ସେ କହିଛନ୍ତି ।

ଆଜି ସକାଳେ ଏହି ବିସ୍ଫୋରଣ କ୍ୱେଟା ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି। ପେସୱାର ଅଭିମୁଖେ ଯିବାକୁ ଥିବା ଏକ ପାସେଞ୍ଜର ଟ୍ରେନ୍‌ଟି ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଥିଲା। ଉକ୍ତ ସମୟରେ ଷ୍ଟେସନରେ ଖଚାଖଚ ଲୋକ ଥିଲେ।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଥିଲେ। ଏଥିସହ ବମ୍‌ ନିଷ୍ଟ୍ରିୟ ଟିମ୍‌ ଷ୍ଟେସନରେ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ। କ୍ୱେଟାସ୍ଥିତ ସିଭିଲ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି।

ପ୍ରାଥମିକ ତଦନ୍ତରୁ କ୍ୱେଟା ଷ୍ଟେସନରେ ଦୁଇଟି ବମ୍‌ ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ଏହା ଆତ୍ମଘାତୀ ବିସ୍ଫୋରଣ କି ନୁହେଁ ତାହା ସ୍ପଷ୍ଟ ହୋଇନି।