ପାକିସ୍ତାନରେ ଲସ୍କର ଆତଙ୍କୀକୁ ହତ୍ୟା, ଭାରତରେ ଭିଆଇଥିଲା ୩ ବଡ଼ ଆକ୍ରମଣ

ଗତ ସପ୍ତାହରେ ଦକ୍ଷିଣ କଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଥିଲେ।

ପାକିସ୍ତାନରେ ଲସ୍କର ଆତଙ୍କୀକୁ ହତ୍ୟା, ଭାରତରେ ଭିଆଇଥିଲା ୩ ବଡ଼ ଆକ୍ରମଣ

ଭାରତରେ ଏକାଧିକ ବଡ଼ ଆକ୍ରମଣରେ ସଂପୃକ୍ତ ଥିବା ଲସ୍କର-ଇ-ତାଇବାର ଆତଙ୍କବାଦୀ ସୈଫୁଲ୍ଲା ଖାଲିଦକୁ ପାକିସ୍ତାନର ସିନ୍ଧ ପ୍ରଦେଶରେ କିଛି ଅଜଣା ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି।

୨୦୦୫ରେ ବେଙ୍ଗାଲୁରୁର ଇଣ୍ଡିଆନ ସାଇନସେସ କଂଗ୍ରେସ (ଆଇଏସ୍‌ସି) , ୨୦୦୬ରେ ନାଗପୁର ସ୍ଥିତ ଆରଏସଏସର ମୁଖ୍ୟାଳୟ ଓ ୨୦୦୮ରେ ରାମପୁରରେ ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସୈଫୁଲ୍ଲା ଖାଲିଦର ସଂପୃକ୍ତି ରହିଥିଲା। ଏହି ତିନିଟି ଘଟଣାରେ ସେ ଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ। ୪ ବର୍ଷ ମଧ୍ୟରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଅନେକ ଜୀବନ ଯାଇଥିଲା।

ବିନୋଦ କୁମାର ନାଁରେ ପରିଚିତ ଥିଲା ସୈଫୁଲ୍ଲା ଖାଲିଦ। ସେ ବହୁ ବର୍ଷ ଧରି ମିଛ ପରିଚୟ ଦେଇ ନେପାଳରେ ରହୁଥିଲା। ସେଠାକାର ଜଣେ ସ୍ଥାନୀୟ ମହିଳାଙ୍କୁ ବିବାହ କରିଥିଲା। ତାଙ୍କ ନାଁ ନଗମା ବାନୁ। ନେପାଳରେ ରହି ସେ ଲସ୍କର-ଇ-ତାଇବା ପାଇଁ କାର୍ଯ୍ୟ କରୁଥିଲା। ଲସ୍କରରେ ନିଯୁକ୍ତି ଓ ସଂଗଠନ ପାଇଁ ଆବଶ୍ୟକ ହେଉଥିବା ଜିନିଷ ସେ ଯୋଗାଡ଼ କରୁଥିଲା।

ନିକଟରେ ସୈଫୁଲ୍ଲା ଖାଲିଦ ପାକିସ୍ତାନର ସିନ୍ଧ ପ୍ରଦେଶର ବଦିନ ଜିଲ୍ଲାର ମତଲିରେ ଯାଇ ରହୁଥିଲା। ସେଠାରେ ମଧ୍ୟ ସେ ଲସ୍କର ପାଇଁ କାମ କରୁଥିଲା। ସେଠାରେ ବି ସେ ସଂଗଠନରେ ନିଯୁକ୍ତି ଦାୟିତ୍ୱରେ ଥିଲା। ତା’ସହିତ ପାଣ୍ଠି ଯୋଗାଡ଼ କରିବା ଦାୟିତ୍ୱ ତା’ ଉପରେ ନ୍ୟସ୍ତ ଥିଲା।

ଅନ୍ୟପକ୍ଷରେ ଗତ ସପ୍ତାହରେ ଦକ୍ଷିଣ କଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲା ଅପରେସନ କମାଣ୍ଡର ଶାହିଦ କୁଟ୍ଟେ। ନିହତ ହୋଇଥିବା ଅନ୍ୟ ଦୁଇ ଆତଙ୍କୀ ହେଉଛନ୍ତି ଅଦନାନ ଶାଫି ଓ ଏହସାନ ଉଲ ହକ ଶେଖ। ସେମାନଙ୍କଠାରୁ ଏକେ ରାଇଫଲ, ବିପୁଳ ପରିମାଣରେ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ ଜବତ କରାଯାଇଥିଲା।