ପାକିସ୍ତାନୀ ଏଜେଣ୍ଟକୁ ବିଏସ୍‌ଏଫ୍ ଓ ଆଇଏଏଫର ତଥ୍ୟ ଦେବା ଅଭିଯୋଗରେ ସ୍ୱାସ୍ଥ୍ୟକର୍ମୀ ଗିରଫ

ତଦନ୍ତ ବେଳେ ସହଦେବ ସିଂହ ଗୋହିଲ କହିଥିଲେ ଯେ ୨୦୨୩ ଜୁନ୍ ମାସରେ ସେ ହ୍ୱାଟ୍‌ସଆପ୍‌ରେ ଅଦିତି ଭରଦ୍ୱାଜ ନାମ୍ନୀ ଜଣେ ମହିଳାଙ୍କ ଯୋଗାଯୋଗରେ ଆସିଥିଲେ। ପରେ ସେ ଜାଣିଲେ ଯେ ଉକ୍ତ ମହିଳା ଜଣେ ପାକିସ୍ତାନୀ ଏଜେଣ୍ଟ।

ପାକିସ୍ତାନୀ ଏଜେଣ୍ଟକୁ ବିଏସ୍‌ଏଫ୍ ଓ ଆଇଏଏଫର ତଥ୍ୟ ଦେବା ଅଭିଯୋଗରେ ସ୍ୱାସ୍ଥ୍ୟକର୍ମୀ ଗିରଫ

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ଯୋଗାଯୋଗରେ ରହିବା ଓ ଜଣେ ପାକିସ୍ତାନୀ ଏଜେଣ୍ଟକୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗୁଜରାଟ ଆଣ୍ଟି-ଟେରୋରିଜିମ ସ୍କ୍ୱାଡ୍‌ (ଏଟିଏସ୍‌) ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ସନ୍ଦିଗ୍ଧ ଗୁପ୍ତଚରଙ୍କ ନାଁ ସହଦେବ ସିଂହ ଗୋହିଲ। ସେ ଗୁଜରାଟର ବାସିନ୍ଦା। ତାଙ୍କୁ କଚ୍ଛ ସୀମାରୁ ଗିରଫ କରାଯାଇଛି। ତାଙ୍କୁ ଅହମଦାବାଦ ନେଇ ପଚରାଉଚରା କରୁଛି ଏଟିଏସ୍‌।

ଗୁଜରାଟ ଏଟିଏସ୍‌ର ଏସ୍‌ପି କେ. ସିଦ୍ଧାର୍ଥ କହିଛନ୍ତି, ସହଦେବ ସିଂହ ଗୋହିଲ ଜଣେ ବହୁ ଉଦ୍ଦେଶୀୟ ସ୍ୱାସ୍ଥ୍ୟକର୍ମୀ। ତାଙ୍କ ଘର କଚ୍ଛ ଅଞ୍ଚଳରେ। ଜଣେ ପାକିସ୍ତାନୀ ଏଜେଣ୍ଟକୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ଏଟିଏସ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ସହଦେବ ସିଂହ ଗୋହିଲ ବିଏସ୍‌ଏଫ୍‌ ଓ ଭାରତୀୟ ବାୟୁସେନା (ଆଇଏଏଫ୍‌) ସଂପର୍କରେ ସମ୍ବେଦନଶୀଳ ସୂଚନା ଶତ୍ରୁ ରାଷ୍ଟ୍ରର ଏଜେଣ୍ଟକୁ ଦେଇଛନ୍ତି।

ତଦନ୍ତ ବେଳେ ସହଦେବ ସିଂହ ଗୋହିଲ କହିଥିଲେ ଯେ ୨୦୨୩ ଜୁନ୍ ମାସରେ ସେ ହ୍ୱାଟ୍‌ସଆପ୍‌ରେ ଅଦିତି ଭରଦ୍ୱାଜ ନାମ୍ନୀ ଜଣେ ମହିଳାଙ୍କ ଯୋଗାଯୋଗରେ ଆସିଥିଲେ। ପରେ ସେ ଜାଣିଲେ ଯେ ଉକ୍ତ ମହିଳା ଜଣେ ପାକିସ୍ତାନୀ ଏଜେଣ୍ଟ। ଉକ୍ତ ମହିଳା ଜଣଙ୍କ ତାଙ୍କୁ ବିଏସ୍‌ଏଫ୍ ଓ ଭାରତୀୟ ବାୟୁସେନାର କିଛି ଠିକଣାର ଫଟୋ ଓ ଭିଡିଓ ଦେବାକୁ କହିଥିଲେ। ବିଶେଷ କରି ସେମାନଙ୍କର କିଛି ନୂତନ କୋଠା ତଥା ନିର୍ମାଣାଧୀନ କୋଠାର ଫଟୋ ଓ ଭିଡିଓ ପଠାଇବାକୁ ସେ କହିଥିଲେ। ସହଦେବ ସିଂହ ଗୋହିଲ ସେହି କାମ କରିଥିଲେ। ସେ ଫଟୋ ଓ ଭିଡିଓ କରି ହ୍ୱାଟ୍‌ସଆପ୍‌ରେ ସେହି ମହିଳାଙ୍କୁ ପଠାଇଥିଲେ।

୨୦୨୫ ପ୍ରାରମ୍ଭରେ ସହଦେବ ସିଂହ ଗୋହିଲ ତାଙ୍କ ଆଧାରକାର୍ଡ ବ୍ୟବହାର କରି ଏକ ନୂଆ ସିମ୍‌ କାର୍ଡ କିଣିଥିଲେ। ସେହି ନମ୍ବରରେ ସେ ପାକିସ୍ତାନୀ ଏଜେଣ୍ଟ ଅଦିତି ଭରଦ୍ୱାଜଙ୍କ ହ୍ୱାଟ୍‌ସଆପ୍‌କୁ ଆକ୍ଟିଭେଟ୍ କରିଥିଲେ। ସେହି ନମ୍ବରରେ ସେ ଅଦିତି ଭରଦ୍ୱାଜଙ୍କ ସହିତ ସମସ୍ତ ବାର୍ତ୍ତାଳପ କରୁଥିଲେ ଓ ଫାଇଲ ଆଦି ପଠାଉଥିଲେ। କୌଣସି ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ସହଦେବ ସିଂହ ଗୋହିଲଙ୍କୁ ନଗଦ ୪୦ ହଜାର ଟଙ୍କା ମଧ୍ୟ ଦିଆଯାଇଥିଲା।

ଏଟିଏସ୍‌ର ଏସ୍‌ପି କେ ସିଦ୍ଧାର୍ଥ କହିଛନ୍ତି ଯେ ଯେଉଁ ହ୍ୱାଟ୍‌ସଆପ୍ ନମ୍ବର ସହିତ ସହଦେବ ସିଂହ ଗୋହିଲ ଯୋଗାଯୋଗରେ ଥିଲେ, ତାହାକୁ ପାକିସ୍ତାନରୁ ଅପରେଟ କରାଯାଉଥିଲା। ସହଦେବ ସିଂହ ଗୋହିଲଙ୍କ ମୋବାଇଲ ଫୋନ୍‌କୁ ଫରେନସିକ୍ ସାଇନ୍ସ ଲାବୋରଟୋରୀକୁ ପଠାଇ ଦିଆଯାଇଛି। ଏହା ସହିତ ତାଙ୍କ ନାଁରେ ଓ ଉକ୍ତ ପାକିସ୍ତାନୀ ଏଜେଣ୍ଟ ନାଁରେ ମାମଲା ରୁଜୁ କରାଯାଇଛି।

ଗତ କିଛି ଦିନରେ ପାକିସ୍ତାନୀ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ସହଦେବ ସିଂହ ଗୋହିଲ। ଗିରଫ ହୋଇଥିବା ଏହି ସନ୍ଦିଗ୍ଦ ଗୁପ୍ତଚରଙ୍କ ମଧ୍ୟରେ ଅଧିକ ଚର୍ଚ୍ଚାରେ ଅଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା।