ପାଣ୍ଡିଆନ ଚାହୁଁଛନ୍ତି କି ବିଜେଡି ବିଭାଜନ: ସୁଜାତାଙ୍କ ଏଣ୍ଟ୍ରି ପାଇଁ ‘ଡିଲ୍’ , ସସ୍ମିତ-ପ୍ରତାପ ମୋହରା
ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ଉତ୍ତରାଧିକାରୀ ଭାବେ ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ସୁଚିନ୍ତିତ ଢଙ୍ଗରେ ସୁଜାତାଙ୍କୁ ଆଗକୁ ଆଣିବାର ବ୍ୟବସ୍ଥା ହୋଇଛି । ନବେ ଦଶକରେ ନବୀନଙ୍କ ରାଜନୀତିକ ଏଂଟ୍ରି ପାଇଁ ଯେଭଳି ‘ଡିଲ୍’ ହୋଇଥିଲା ଅନୁରୂପ ‘ଡିଲ୍’ ସୁଜାତାଙ୍କ ରାଜନୀତିକ ଏଂଟ୍ରି ନିମନ୍ତେ କରାଯାଇଥିବା ଚର୍ଚ୍ଚା ।
ଓକଫ୍ ବିଲ୍ ପ୍ରସଙ୍ଗରେ ଦଳର ନାଟକୀୟ ଆଭିମୁଖ୍ୟକୁ ନେଇ ବିଜେଡିରେ ଉଠିଥିବା ରାଜନୀତିକ ଝଡ଼ ଥମିବାର ନାଁ ଧରୁନି । ଜଣକପରେ ଜଣେ ବରିଷ୍ଠ ନେତା ଦଳୀୟ ଫୋରମ ଛାଡ଼ି ସର୍ବସାଧାରଣରେ ନିଜର ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି । ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ରଙ୍କୁ ଦୋଷ ଦେଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଫୁଲ୍ଲ ସାମଲ,ଗଣେଶ୍ୱର ବେହେରା ଓ ପ୍ରତାପ ଜେନାଙ୍କ ଭଳି ନେତାମାନେ ଦାବି କରୁଥିବାବେଳେ ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ନାଁ ନନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କୁ ସ୍ପଷ୍ଟଭାବେ ଏସବୁ ନିମନ୍ତେ ଦାୟୀ କରିଛନ୍ତି । ନିକଟ ଅତୀତରେ ଯିଏ ଭିଆରଏସ୍ (ପାଣ୍ଡିଆନଙ୍କ ପତ୍ନୀ ସୁଜାତା) ନେଇଛନ୍ତି ତାଙ୍କପାଇଁ ଏଭଳି ‘ଡିଲ୍’ ହୋଇଛି ବୋଲି କହି ଦେବାଶୀଷ ସିଧାସଳଖ ସସ୍ମିତଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ବିଜେଡିରେ ଆଗଧାଡ଼ିର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ଓ ବରିଷ୍ଠ ନେତାମାନେ ବଡ଼ଧରଣର ‘ଡିଲ୍-ଖେଳ’ ହୋଇଥିବା ନେଇ ଆଶଙ୍କା କରିବା ମଧ୍ୟରେ ନବୀନଙ୍କୁ ମୋହରା ସଜାଇ ପାଣ୍ଡିଆନ ନିଜର ଗେମପ୍ଲାନକୁ ସଫଳ ରୂପ ଦେଉଥିବା ଚର୍ଚ୍ଚା ହେଉଛି ।
ପାଣ୍ଡିଆନ ହିଁ ଅସ୍ଥିରତାର ସୂତ୍ରଧର
ପାଣ୍ଡିଆନଙ୍କ ନାଁ ନନେଇ ତାଙ୍କୁ ଆକ୍ଷେପ କରି ବରିଷ୍ଠ ବିଜେଡି ନେତା ଦେବାଶୀଷ ସାମନ୍ତରାୟଙ୍କ କହିଛନ୍ତି ଯେ, ରାଜନୀତି ନକରିବେ ବୋଲି କହି ରାଜନୀତିକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି କେବେ ରାଜନେତା ହୋଇପାରିବେ ନାହିଁ । ୱକଫ୍ ବିଲ୍ ପ୍ରସଙ୍ଗରେ ଯେଉଁ ନିଷ୍ପତ୍ତି ନିଆଗଲା ତାହା ଦଳର ନିଷ୍ପତ୍ତି ଥିଲା । ନବୀନଙ୍କୁ ଭୁଲ୍ ପରାମର୍ଶ ଦେଇ ଏଭଳି କରାଯାଇଛି ବୋଲି କହି ପରୋକ୍ଷରେ ନବୀନ ଏବେବି ପାଣ୍ଡିଆନଙ୍କ ହାତରେ ସଖିକଣ୍ଢେଇ ସାଜିଥିବା ଦେବାଶୀଷ ଇସାରାରେ ସୂଚନା ଦେଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନୀ ବିପର୍ଯ୍ୟୟ ପରଠୁ ବିଜେଡିଠୁ ଦୂରେଇ ରହିଥିବାର ସନ୍ଦେଶ ଦେଉଥିବା ପାଣ୍ଡିଆନ କ’ଣ ନବୀନଙ୍କ ମାଧ୍ୟମରେ ଦଳୀୟ ନେତା ଓ କର୍ମୀଙ୍କ ଭାବନା ଓ ସମ୍ମାନକୁ ଆଘାତ ଦେବାଭଳି ନିଷ୍ପତ୍ତି ନେଉଛନ୍ତି? ମାସକ ପୂର୍ବରୁ ଦଳର ନେତାମାନଙ୍କୁ ଡାକି ବିଜେଡି ସହ ତାଙ୍କର କିଛି ସମ୍ପର୍କ ନଥିବା ଓ ସେ ବିଦେଶ ପଳାଇବେ ବୋଲି କହିଥିବା ପାଣ୍ଡିଆନ ଏବେବି ନିୟମିତ ନବୀନ ନିବାସ ଯାଇ ଦଳୀୟ ବ୍ୟାପାରରେ ମୁଣ୍ଡ ଖେଳାଉଛନ୍ତି କି? ନିଜର ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ମାଧ୍ୟମରେ ଦଳରେ ଅସ୍ଥିରତା ସୃଷ୍ଟି ପାଇଁ ଗୋଟିଚାଳନା କରିବାରେ ସେ କ’ଣ ସତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି?
ଯଦି ଦେବାଶୀଷଙ୍କ ବୟାନକୁ ବିଶ୍ୱାସ କରାଯାଏ, ତା’ହେଲେ ଏହି ସମସ୍ତ ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବେ ହଁ ଓ ପାଣ୍ଡିଆନ ହିଁ ଦଳରେ ଅସ୍ଥିରତା ଓ ବିଶୃଙ୍ଖଳାର ମୁଖ୍ୟ ଖଳନାୟକ ବୋଲି ପ୍ରମାଣିତ ହେବାରେ ଲାଗିଲାଣି ।
ପାଣ୍ଡିଆନଙ୍କ ରଣନୀତି, ସୁଜାତାଙ୍କ ଏଂଟ୍ରି
ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ଉତ୍ତରାଧିକାରୀ ଭାବେ ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ସୁଚିନ୍ତିତ ଢଙ୍ଗରେ ସୁଜାତାଙ୍କୁ ଆଗକୁ ଆଣିବାର ବ୍ୟବସ୍ଥା ହୋଇଛି । ନବେ ଦଶକରେ ନବୀନଙ୍କ ରାଜନୀତିକ ଏଂଟ୍ରି ପାଇଁ ଯେଭଳି ‘ଡିଲ୍’ ହୋଇଥିଲା ଅନୁରୂପ ‘ଡିଲ୍’ ସୁଜାତାଙ୍କ ରାଜନୀତିକ ଏଂଟ୍ରି ନିମନ୍ତେ କରାଯାଇଥିବା ଚର୍ଚ୍ଚା । ମାତ୍ର ଦଳ କ୍ଷମତାରୁ ଯିବା ପରଠୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାଂଗଠନିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ନେତାମାନେ କେଉଁଠି ମେଳି କଲେଣି ତ, ବିଧାୟକମାନେ ଗୃହ ପରିଚାଳନାରେ ଦଳର ନିର୍ଦ୍ଦେଶକୁ ଅଣଦେଖା କଲେଣି, ଆଉ କିଏ ପାର୍ଟି ଲାଇନରୁ ଦୂରେଇ ଯାଇ ନିଜର ମତ ରଖିଲେଣି । ଏସବୁ ଅବ୍ୟବସ୍ଥା ଓ ଦଳର ଆଗଧାଡ଼ିର ନେତାମାନଙ୍କଠୁ ଚ୍ୟାଲେଞ୍ଜ ଆଶଙ୍କା କରି ପାଣ୍ଡିଆନ ପ୍ରଚ୍ଛଦପଟ୍ଟରେ ରହି ନିଜର ଗୋଟିଚାଳନା କରିଛନ୍ତି ।
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ୱକଫ୍ ବିଲ୍ ପ୍ରସଙ୍ଗରେ ଦଳର ନାଟକୀୟ ଆଭିମୁଖ୍ୟ ପାଇଁ ଯେଉଁ ଫୋନ୍ କଲ ଓ ମେସେଜ୍ ଏପ୍ରିଲ ୩ତାରିଖ ସନ୍ଧ୍ୟାରେ ସାଂସଦ ସସ୍ମିତ ପାତ୍ରଙ୍କ ପାଖକୁ ଯାଇଥିଲା ତାହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ଭିକେ ପାଣ୍ଡିଆନଙ୍କଠୁ ଯାଇନଥିଲା । ଉଭୟ ନବୀନ ଓ ପାଣ୍ଡିଆନଙ୍କଠୁ ନିର୍ଦ୍ଦେଶ ନେଉଥିବା ଜଣେ ଅଧିକାରୀଙ୍କ ମୋବାଇଲ ଫୋନରୁ ଏହି ସନ୍ଦେଶ ଯାଇଥିଲା । ଏପରିକି ସସ୍ମିତ ନିଜେ ଏହି ନିଷ୍ପତ୍ତିକୁ ନେଇ କୁଆଡ଼େ ଆପତ୍ତି ଉଠାଇଥିଲେ, ମାତ୍ର ତାହା ଦଳର ନିଷ୍ପତ୍ତି ଓ ‘ସାର’ ଚାହୁଁଛନ୍ତି ବୋଲି କହି ତାଙ୍କୁ ଚୁପ୍ କରାଇ ଦିଆଯାଇଥିବା ଜଣାପଡ଼ିଛି ।
ସସ୍ମିତ-ପ୍ରତାପ ମୋହରା
କଠିନ ପରିସ୍ଥିତିରେ ଗତି କରୁଥିବା ଦଳର ଏଭଳି ଆଭିମୁଖ୍ୟ ବୁମେରାଂ ହୋଇପାରେ ଜାଣି ମଧ୍ୟ ଶେଷମୁହୂର୍ତ୍ତରେ ୱକଫ ବିଲ୍ ପ୍ରସଙ୍ଗରେ ଏହି ନାଟକୀୟ ପରିବର୍ତ୍ତନ କରାଯାଇଥିଲା । ଗୋଟିଏପଟେ ସସ୍ମିତଙ୍କ ମାଧ୍ୟମରେ ନିଆଁ ଲଗାଇବା କାର୍ଯ୍ୟ କରିଥିବା ଅଘୋଷିତ ସର୍ବେସର୍ବା ଅନ୍ୟପଟେ ନିଜର ଖାସ୍ ଅନୁଗତ ବବିଙ୍କ ମାଧ୍ୟମରେ ପ୍ରତାପ ଜେନାଙ୍କୁ ଲଗାଇ ‘ଚିଠି ଲେଖା’ ନାଟକବାଜି କରାଇଛନ୍ତି ବୋଲି ଚର୍ଚ୍ଚା। ନିର୍ବାଚନ ପରଠୁ ବବିଙ୍କ ଅତି ଖାସ୍ ପାଲଟିଥିବା ପ୍ରତାପଙ୍କ ବୟାନ ଓ ତାଙ୍କ ଚିଠିର ବିଷୟ ମଧ୍ୟରେ ତାଳମେଳ ବି ରହୁନି । ପ୍ରଫୁଲ୍ଲ ଓ ପ୍ରତାପ ଯେଉଁ ଚିଠି ଲେଖିଛନ୍ତି ତାହା କାହିଁକି ସାର୍ବଜନୀନ କରାଗଲା । ନବୀନ ତ ଓଡ଼ିଆ ଭାଷା ପଢ଼ି ଜାଣନ୍ତି ନାହିଁ । ତଥାପି ଚିଠି ଓଡ଼ିଆରେ ଲେଖାଯାଇଛି । ସସ୍ମିତଙ୍କ ମତାମତ ନଜାଣି ଅବା ତାଙ୍କ ସହ ଯୋଗାଯୋଗ ନକରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ଓ ସେ ବିଦେଶରୁ ଫେରିଲେ ପଚାରିବେ କହିବା ପ୍ରତାପଙ୍କ ଅପରିପକ୍ୱତାକୁ ପଦାରେ ପକାଇ ଦେଇଛି ।
ବିଜେଡି ନେତାମାନେ ଦଳର ସାଂଗଠନିକ ପରିଚାଳନାକୁ ନେଇ ଯେତେ ଅସନ୍ତୋଷ ଓ ବୟାନବାଜି କଲେ ବି ବିଜେଡିରେ ରହିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ଉଭୟ ନବୀନ ଓ ପାଣ୍ଡିଆନ ଭଲଭାବେ ଜାଣନ୍ତି । ଅଦୃଶ୍ୟ କାରଣରୁ ଏହି ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କୁ ନେବାପାଇଁ ମଧ୍ୟ ‘ ଅଣକଂଗ୍ରେସ ଦଳ’ ନାହିଁ କି ସେମାନଙ୍କର ‘ନୂଆ ଦଳ’ ଗଢ଼ିବା ଭଳି ସାମର୍ଥ୍ୟ ମଧ୍ୟ ନାହିଁ । ତେଣୁ ପ୍ରଚ୍ଛଦପଟ୍ଟରେ ରହି ନବୀନଙ୍କୁ ମୋହରା ସଜାଇ ପାଣ୍ଡିଆନ ଯାହାବି ଗୋଟିଚାଳନା କରିବେ ତାକୁ ମାନିବାକୁ ଏହି ନେତାମାନେ ଏକରକମ ବାଧ୍ୟ ହେବେ । ଦଳରେ ଲାଗି ରହିଥିବା ଅନିଶ୍ଚିତତା ଓ ଅସନ୍ତୋଷକୁ ଚରମସୀମାକୁ ନେଇ ଏକ ନିର୍ଣ୍ଣାୟକ ମୋଡ଼ରେ ସୁଜାତାଙ୍କ ରାଜନୀତିକ ଅଭିଷେକ କରିବାକୁ ପାଣ୍ଡିଆନ ଏଭଳି ରଣନୀତି କରିଥିବା ତଥା ନବୀନଙ୍କ ସମ୍ମତିରେ ଏସବୁ ଚାଲିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।