ପିଲାମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶକୁ ରୋକୁଛି ମୋବାଇଲ, ଲାପଟପ!

ଯାହା ଘରେ ଛୋଟ ଛୁଆ ଥିବେ ଯାଇ ପଚାରନ୍ତୁ, କହିବେ ମୋବାଇଲ ନ ହେଲା ବେଳକୁ ଛୁଆ ଖାଉନି। ପିଲାମାନଙ୍କର ଏ ନିଶା କେବଳ ବାପାମାଆଙ୍କ ପାଇଁ ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇଛି।

ପିଲାମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶକୁ ରୋକୁଛି ମୋବାଇଲ, ଲାପଟପ!

ଯାହା ଘରେ ଛୋଟ ଛୁଆ ଥିବେ ଯାଇ ପଚାରନ୍ତୁ, କହିବେ ମୋବାଇଲ ନ ହେଲା ବେଳକୁ ଛୁଆ ଖାଉନି। ପିଲାମାନଙ୍କର ଏ ନିଶା କେବଳ ବାପାମାଆଙ୍କ ପାଇଁ ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। କାରଣ ଯେଉଁପରି ଭାବେ ମୋବାଇଲ, ଲାପଟପ୍, କମ୍ପ୍ୟୁଟର ବ୍ୟବହାର ପିଲାମାନଙ୍କର ନିଶା ପାଲଟି ଗଲାଣି, ତାହା ଆଗାମୀ ଦିନରେ ସାମୁହିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।  

ଭାରତୀୟ ପିଲାମାନଙ୍କ ଉପରେ ଏହାର କିପରି କୁପ୍ରଭାବ ପଡୁଛି ଏବଂ ଏକାଧିକ ରୋଗର କାରଣ ପାଲଟୁଛି, ସେନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି ସ୍ନାୟୁବିଜ୍ଞାନୀ ଡାକ୍ତର ଡ. ଏରିକ ସିଗମାନ। ଏହି ରିପୋର୍ଟ ଜର୍ଣ୍ଣାଲ୍ ଅଫ୍ ଦ ଇଣ୍ଟରନ୍ୟାସନାଲ ଚାଇଲ୍ଡ ନ୍ୟୁରୋଲୋଜି ଆସୋସିଏସନ ପତ୍ରିକାରେ ପ୍ରକାଶ ପାଇଛି। 

ମୋବାଇଲ ବ୍ୟବହାର କରିପାରେ ମସ୍ତିଷ୍କ ବେମାର
ଅଧିକ ସମୟ ପରଦାରେ ବିତାଇବା ବା ମୋବାଇଲ, ଲାପଟପ୍ ଏବଂ କମ୍ପ୍ୟୁଟର ଦେଖିବା କାରଣରୁ ପିଲମାନଙ୍କର ମସ୍ତିଷ୍କରେ ପରିବର୍ତ୍ତନ ହୋଇପାରେ। ଏହା ସେମାନଙ୍କର ସ୍ନାୟୁ ବିକାଶରେ ବାଧା ସୃଷ୍ଟି କରିଥାଏ ଏବଂ ସେମାନେ ମୋବାଇଲ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି।

କେବଳ ଏତିକି ନୁହେଁ, ବହୁ ସମୟ ଧରି ମୋବାଇଲ, ଲାପଟପରେ ସମୟ ଅତିବାହିତ କରିବା କାରଣରୁ ମେଦବହୁଳତା ହୋଇପାରେ। ଆଉ ଏହି ମେଦବହୁଳତା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ।

Children watching phone ପିଲାମାନେ ଦେଖୁଛନ୍ତି ଫୋନ୍

ଶାରୀରିକ ବିକାଶରେ ବାଧକ
ଫୋନ୍, ଲାପଟପ୍ କେବଳ ଯେ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି ତାହା ନୁହେଁ, ଏହା ଶାରୀରିକ ବିକାଶରେ ମଧ୍ୟ ବାଧା ସୃଷ୍ଟି କରୁଛି। PLUS One ରେ ପ୍ରକାଶିତ ଏକ ଅଧ୍ୟୟନ ରୁପୋର୍ଟ ଅନୁସାରେ, ପରଦାରେ ଅଧିକ ସମୟ ବିତାଇବା ଦ୍ୱାରା 5 ବର୍ଷରୁ କମ୍ ପିଲାମାନଙ୍କର ଶାରୀରିକ ବିକାଶ ବିଳମ୍ବ ହେଉଛି। ସେମାନେ କହିବାରେ, ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାରେ ଅକ୍ଷମ ହେଉଛନ୍ତି। ବିଶେଷ ଭାବେ 2 ବର୍ଷରୁ କମ୍ ପିଲାମାନଙ୍କର ଏହି ସମସ୍ୟା ଦେଖା ଯାଉଛି। 

ଚାଇଲ୍ଡ ସାଇକୋଲୋଜିଷ୍ଟ ଡ. ସ୍ୱାତୀ ଛାବ୍ରା କହିଛନ୍ତି, ପିଲମାନଙ୍କର ଶାରୀରିକ ଓ ବୌଧିକ ବିକାଶ ସମସ୍ୟା ସହ ମୋବାଇଲ, ଲାପଟପ ବ୍ୟବହାର ସିଧାସଳଖ ଜଡ଼ିତ ହୋଇନଥିଲେ ମଧ୍ୟ ଏହି କାରଣରୁ ସେମାନଙ୍କ ସ୍ନାୟୁ ବିକାଶ ବାଧାପ୍ରାପ୍ତ ହେଉଛି। ଫଳରେ 3 ବର୍ଷରୁ କମ୍ ପିଲାମାନେ ଫୋନରୁ ଯାହା ଦେଖନ୍ତି, ତାହା ଅନୁକରଣ କରନ୍ତି।

Baby girl watching mobile ଫୋନରେ ବ୍ୟସ୍ତ କୁନି ଝିଅ

ଆଖି ସମ୍ବନ୍ଧୀୟ ରୋଗ
 ଡ. ଛାବ୍ରା ଆହୁରି କହିଛନ୍ତି ଯେ, 7ରୁ 8 ବର୍ଷ ବୟସର ଅନେକ ପିଲା, ଯେଉଁମାନେ ଆଖିଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଏହାର କାରଣ ମୋବାଇଲର ବହୁଳ ବ୍ୟବହାର ହୋଇପାରେ।  

ବିଏମସି ପବ୍ଲିକ ହେଲଥରେ ପ୍ରକାଶିତ ଅନ୍ୟ ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଯେଉଁ ପିଲାମାନେ ପରଦାରେ ଅଧିକ ସମୟ ବିତାଉଥିଲେ, ସେମାନଙ୍କର ମାୟୋପିୟା (ସମୀପ ଦୃଷ୍ଟିଦୋଷ) ହେବାର ଆଶଙ୍କା ଅଧିକ। ଏହା ଅଧିକ ହେଲେ ଗ୍ଲୁକୋମା ଏବଂ ମାକୁଲାର ଡିଜେନେରେସନ ପରି ଜଟିଳତା କରିପାରେ। ଏପରି ହେଲେ ପିଲାମାନଙ୍କର ବୌଦ୍ଧିକ ବିକାଶ ପ୍ରଭାବିତ ହୋଇପାରେ। 

ଏହା ବ୍ୟତୀତ ପରଦାରେ ଅଧିକ ସମୟ ବିତାଇବା ଦ୍ୱାରା ପିଲାମାନଙ୍କର ପର୍ସନାଲିଟି (ବ୍ୟକ୍ତିତ୍ୱ) ଏବଂ ମାନସିକ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଅଧିକ ସମୟ ମୋବାଇଲ, ଲାପଟପ ଦେଖିବା ଦ୍ୱାରା ପିଲାମାନେ ପର୍ଯ୍ୟାପ୍ତ ଶୋଇପାରନ୍ତି ନାହିଁ। ରାତିରେ ପରଦାରୁ ନିର୍ଗତ ଗ୍ରୀନ୍ ଲାଇଟ୍ ଡୋପାମାଇନ୍ ନାମକ ଏକ ଉପକାରୀ ହରମୋନ ଉପରେ ପ୍ରଭାବ ପକାଇପାରେ। 

ଏହି ହରମୋନର ଅସନ୍ତୁଳନ ଘଟିବା ଦ୍ୱାରା ପିଲାମାନଙ୍କର ସ୍ମୃତି ଓ ଏକାଗ୍ରତାର ଚେତନା ହ୍ରାସ ପାଇପାରେ। ପାଠ ମନେ ରଖିବା ଏବଂ ଏକାଗ୍ରତା ଭଳି ବ୍ୟକ୍ତିତ୍ୱ (ପର୍ସନାଲିଟି) ଗୁଣ ପ୍ରଭାବିତ ହୋଇପାରେ। 

ତେବେ ଭାରତର ପିଲାମାନେ ମୋବାଇଲ, ଲାପଟପ ନିଶାରେ ପଡ଼ି ନାନା ରୋଗକୁ ନିମନ୍ତ୍ରଣ କରୁଥିବା ବେଳେ ବୟସ୍କମାନେ ହୃଦରୋଗ ଏବଂ ଟାଇପ୍-2 ଡାଇବେଟିସ ସହ ଅନ୍ୟାନ୍ୟ ସଂକ୍ରାମକ ରୋଗରେ କବଳିତ। ଏହା ନିଶ୍ଚିତ ରୂପେ ସତର୍କ ଘଣ୍ଟି। ଜନ୍ମରୁ ଯଦି ପିଲାମାନଙ୍କ ଉପରେ ଧ୍ୟାନ ଦିଆନଯାଏ, ତେବେ ଅସ୍ୱାସ୍ଥ୍ୟକର ଜୀବନ ସହ ବଞ୍ଚିବା ଥୟ!