ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳୁଥିବା ବେଳେ ମଙ୍ଗଳବାର ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମରେ ବୃଦ୍ଧା ମାଆକୁ ମୁଠାଏ ଖାଇବାକୁ ନଦେଇ ଘରେ ତାଲା ପକାଇ ନିର୍ଯାତନା ଦିଆଯାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାରେ ରହୁଥିବା […] The post ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ appeared first on Dharitri Odia News.

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳୁଥିବା ବେଳେ ମଙ୍ଗଳବାର ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମରେ ବୃଦ୍ଧା ମାଆକୁ ମୁଠାଏ ଖାଇବାକୁ ନଦେଇ ଘରେ ତାଲା ପକାଇ ନିର୍ଯାତନା ଦିଆଯାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାରେ ରହୁଥିବା ସ୍ବର୍ଗତ ନାରାୟଣ ବିଷୋୟୀଙ୍କ ସ୍ତ୍ରୀ ବୃଦ୍ଧା ଶଶି ବିଷୋୟୀଙ୍କୁ ପୁଅ ମାନେ ଖାଇବାକୁ ନଦେଇ ସିଡି ଘରେ ତାଲା ପକାଇ ରଖିଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ବୃଦ୍ଧା ଶଶିଙ୍କ ୩ ପୁଅ ମଧ୍ୟରୁ ବଡ଼ପୁଅ ଜୟରାମଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମଝିଆ ପୁଅ ବାବୁଲା ଏବଂ ସାନପୁଅ କୈଳାସ ଗ୍ରାମରେ ରହୁଛନ୍ତି । ତେବେ ବୃଦ୍ଧା ମାଆ ଶଶିଙ୍କୁ ଘରେ ପାଖରେ ରଖିବା ପରିବର୍ତ୍ତେ ପୁଅ ବୋହୂ ମିଶି ନିଜେ ପିଲା ଛୁଆଙ୍କ ସହ ସୁସଜ୍ଜିତ ଘରେ ରହୁଥିବା ବେଳେ ମାଆଙ୍କୁ ସିଡି ଘରର ଏକ କୋଠରୀରେ ତାଲା ପକାଇ ରଖି ଆସୁଥିବା ଅଭିଯୋଗ ହୋଇଛି ।

ଖବରପାଇ ପାଟପୁର ଥାନା ପୋଡ଼ା ମାରି ଫାଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ପୁଅ ବୋହୂ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ମାଡ଼ ମାରୁଥିବା ନେଇ ବୃଦ୍ଧା ଜଣକ କାନ୍ଦି କାନ୍ଦି ପୋଲିସ ସମ୍ମୁଖରେ ବୟାନ ଦେଇଛନ୍ତି। ବୃଦ୍ଧା ମାଆ ଙ୍କୁ ପାଳି କରି ୧ ମାସ ଲେଖାଏଁ ୩ ପୁଅ ଘରେ ରଖି ଖାଇବାକୁ ଦେବାପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ବଡ଼ ବୋହୂ ତାଙ୍କୁ ରଖିବାକୁ ଅନିଚ୍ଛା ପ୍ରକାଶ କରିବାରୁ ବର୍ତ୍ତମାନ ବୃଦ୍ଧା ଜଣକ ମଝିଆ ପୁଅ ବାବୁଲାଙ୍କ ପାଖରେ ରହି ଆସୁଥିଲେ ।

ସୋମବାର ପରିବାରରେ ତାଙ୍କୁ ରଖିବା ନେଇ ଅଶାନ୍ତି ହେବାରୁ ବୃଦ୍ଧା ଜଣକ ପାଟପୁର ଥାନାରେ ପହଞ୍ଚି ଆଇ ଆଇ ସି ଅଜୟ କୁମାର ସ୍ବାଇଁଙ୍କୁ ନିଜର ଦୁଃଖ କାହାଣୀ ଜଣାଇବା ପରେ ପୋଲିସ ଟିମ୍ ସମସ୍ତଙ୍କୁ ଥାନାକୁ ଡକାଯାଇ ସମାଧାନ କରାଯାଇଥିଲା । ବିଳମ୍ବିତ ରାତିରେ ସେମାନେ ଘରକୁ ଫେରିବା ପରେ ପୋଲିସର ନିର୍ଦ୍ଦେଶକୁ ଖାତିର ନକରି ମାଆଙ୍କୁ ଖାଇବାକୁ ନ ଦେଇ ତାଙ୍କୁ ସିଡି ଘରେ ତାଲା ପକାଇ ଶୋଇ ପଡ଼ିଥିଲେ ।

ତେବେ ସକାଳୁ ଶଶି ଭୋକ ଲାଗୁଥିବା ନେଇ ପୁଅ ବୋହୂଙ୍କୁ ଡ଼ାକ ପକାଇଥିଲେ ମଧ୍ୟ ସେମାନେ ତାଲା ନ ଖୋଲି ଓଲଟା ଗାଳିଗୁଲଜ କରିଥିବା ସାହି ପଡୋଶୀ ଅଭିଯୋଗ କରିଛନ୍ତି । ସାନପୁଅ କୈଳାସ ମାଆଙ୍କୁ ଛାତ ଉପର ଦେଇ କିଛି ଜଳଖିଆ ଖାଇବାକୁ ଦେଉଥିବା ଏବଂ ବୃଦ୍ଧା ତାଙ୍କ ପୁଅ ବାବୁଲାଙ୍କୁ ଡାକ ପକାଉଥିବା ଭିଡ଼ିଓ କ୍ଲିପ୍ ଭାଇରାଲ ହେବାପରେ ପୋଡାମାରି ଫାଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୁଅ ବୋହୂ ମାନଙ୍କ ସହ ଆଲୋଚନା କରି ଘଟଣାର ପୁନରାବୃତ୍ତି ନ କରିବାକୁ ତାଗିଦ୍ କରି ଫେରିଥିବା ଜଣାପଡିଛି ।

The post ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ appeared first on Dharitri Odia News.