ପୁଅ ସହ ଡ୍ୟାନ୍ସ କରୁଥିଲେ ‘ଗରବା କିଙ୍ଗ୍’; ହଠାତ୍ ତଳେ ପଡ଼ିଗଲେ, ଚାଲିଗଲା ଜୀବନ

ମହାରାଷ୍ଟ୍ର ପୁଣେରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ନିଜର ପୁଅ ସହ ଗରବା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୁଅ ସହ ଡ୍ୟାନ୍ସ କରୁଥିଲେ ‘ଗରବା କିଙ୍ଗ୍’; ହଠାତ୍ ତଳେ ପଡ଼ିଗଲେ, ଚାଲିଗଲା ଜୀବନ

ଦେଶରେ ହୃଦଘାତଜନିତ ମୃତ୍ୟୁ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର କେଇ ସେକେଣ୍ଡରେ ହାର୍ଟଆଟାକ୍ ଯୋଗୁଁ ଜୀବନ ଚାଲିଯାଉଛି। ମହାରାଷ୍ଟ୍ର ପୁଣେର ଏପରି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ନିଜର ପୁଅ ସହ ଗରବା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୃତ ବ୍ୟକ୍ତିଜଣକ ହେଲେ ଅଶୋକ ମାଲି । ପୁଣେରେ ତାଙ୍କୁ ‘ଗରବା କିଙ୍ଗ’ ବୋଲି ଜାଣନ୍ତି। ନବରାତ୍ରୀ ଚାଲିଥିବା ବେଳେ ଏବେ ଗରବା ପ୍ରତି ଲୋକ ଆକର୍ଷିତ ହେଉଛନ୍ତି। ତେଣୁ ଅଶୋକ ଓ ତାଙ୍କ ପୁଅ ଏକ ଗରବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ପୁଅ ସହ ମିଶି ଗରବା ଡ୍ୟାନ୍ସ କରୁଥିଲେ। ଲୋକ ଏହାର ଭରପୁର ମଜା ନେଉଥିଲେ। ହେଲେ କେହି କିଛି ବୁଝିବା ଆଗରୁ ଅଶୋକ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାନୁସାରେ, ଅଶୋକ ମହାରାଷ୍ଟ୍ରର ଧୁଲେ ଜିଲ୍ଲା ସିନ୍ଧଖେଡା ତାଲୁକାର ହୋଲର ବାସିନ୍ଦା । ଗରବା ପ୍ରତି ତାଙ୍କର ଉତ୍ସାହ ଏବଂ ନିଷ୍ଠା ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ​। ଏହି ଘଟଣା ପରେ ତାଙ୍କ ପରିବାର ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ତେବେ ହାର୍ଟ ଆଟାକ ଜନିତ ଏ ମୃତ୍ୟୁ ପ୍ରଥମ ନୁହେଁ। ଏପରି ଅନେକ ଲୋକଙ୍କର ଜୀବନ ଯାଉଛି।

ଚଳିତ ସପ୍ତାହରେ ଦିଲ୍ଲୀର ଶାହାଦରା ଅଞ୍ଚଳର ବିଶ୍ୱକର୍ମାନଗରରେ ରାମଲୀଳା ଚାଲିଥିଲା ସମୟରେ ସମୟରେ ରାମ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ମଞ୍ଚ ଉପରେ ଠିଆ ହୋଇ ଡାଏଲଗ କହୁଥିଲେ 'ରାମ'। ହେଲେ ଅଧାରେ ଅଟକି ଗଲେ। ଦେଖୁ ଦେଖୁ ହଠାତ୍‌ ସେ ଟଳି ପଡିଲେ। ମୃତ ଅଭିନେତା ଜଣକ ହେଲେ ସୁଶୀଲ କୌଶିକ।ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।