ପୁଟିନ୍‌ଙ୍କ ଚେତାବନୀ: ଆଉ ପାଦେ ଦୂରରେ ତୃତୀୟ ବିଶ୍ୱ ଯୁଦ୍ଧ

ପଞ୍ଚମ ଥର ପାଇଁ ରୁଷର ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର ପୁଟିନ। ସେ ନିର୍ବାଚନ ଜିତିବା ପରେ ତୃତୀୟ ବିଶ୍ୱ ଯୁଦ୍ଧକୁ ନେଇ ଦେଇଛନ୍ତି ଧମକ।

ପୁଟିନ୍‌ଙ୍କ ଚେତାବନୀ: ଆଉ ପାଦେ ଦୂରରେ ତୃତୀୟ ବିଶ୍ୱ ଯୁଦ୍ଧ

ପୁଣି ଥରେ ବାଜି ମାରିଛନ୍ତି ଭ୍ଲାଦିମିର ପୁଟିନ୍‌। ସେ ପଞ୍ଚମ ଥର ପାଇଁ ରୁଷର ରାଷ୍ଟ୍ରପତି ହୋଇଛନ୍ତି। ପ୍ରେସିଡେନ୍‌ସିଆଲ୍‌ ନିର୍ବାଚନରେ ବିଜୟ ପରେ ପାଶ୍ଚାତ୍ୟ ଦେଶଗୁଡିକୁ ନାଲି ଆଖି ଦେଖାଇଛନ୍ତି ପୁଟିନି। ତୃତୀୟ ବିଶ୍ୱ ଯୁଦ୍ଧକୁ ନେଇ ଦେଇଛନ୍ତି ଧମକ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଆମେରିକାର ନେତୃତ୍ୱାଧୀନ ନାଟୋ ସହଯୋଗୀ ଦଳ ଦ୍ୱାରା କୌଣସି ସଂଘର୍ଷ ହୁଏ ତେବେ ଏହାର ଅର୍ଥ ତୃତୀୟ ବିଶ୍ୱ ଯୁଦ୍ଧ ଠାରୁ ପୃଥିବୀ ଆଉ ମାତ୍ର କିଛି ପାଦ ଦୂରରେ ରହିବ।

ୟୁକ୍ରେନ୍‌ ସହ ଚାଲିଥିବା ଯୁଦ୍ଧରେ ଏବେବି ନାଟୋ ସୈନିକମାନେ ୟୁକ୍ରେନ ସହ ମିଶିଥିବା ପୁଟିନ ଦାବି କରିଛନ୍ତି। ନିକଟରେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନ୍ ମଧ୍ୟ ଭବିଷ୍ୟତରେ ୟୁକ୍ରେନକୁ ସହଯୋଗ କରିବାକୁ ନିଜର ସୈନ୍ୟମାନଙ୍କୁ ପଠାଇବା ସମ୍ଭାବନାକୁ ଏଡ଼ାଇ ନାହାଁନ୍ତି। ଏନେଇ ପୁଟିନଙ୍କୁ ପଚରାଯିବାରୁ ସେ କହିଥିଲେ, 'ଆଜିର ଆଧୁନିକ ଯୁଗରେ ଯେକୌଣସି ଜିନିଷ ସମ୍ଭବ, କିନ୍ତୁ ଯଦି ଏହା ଘଟେ ତେବେ ତୃତୀୟ ବିଶ୍ୱଯୁଦ୍ଧ ଦୂର ନୁହେଁ।'

ଆଣବିକ ଯୁଦ୍ଧର ବିପଦ ବିଷୟରେ ପୁଟିନ ଅନେକ ସମୟରେ ଚେତାବନୀ ଦେଇଛନ୍ତି। କିନ୍ତୁ ୟୁକ୍ରେନରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ଆବଶ୍ୟକତା ସେ କେବେ ଅନୁଭବ କରିନାହାଁନ୍ତି ବୋଲି କହିଛନ୍ତି। ୮୮ ପ୍ରତିଶତ ଭୋଟ ସହ ପଞ୍ଚମ ଥର ପାଇଁ ସରକାର ଗଢିଛନ୍ତି ପୁଟିନ । ପ୍ରେସିଡେନ୍‌ସିଲ ନିର୍ବାଚନରେ ଜିତିବା ପରେ ରୁଷ ଆହୁରୀ ଶକ୍ତିଶାଳୀ ହେବ ବୋଲି ପୁଟିନ କହିଛନ୍ତି।

ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ରୁଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିଥିବା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇ ଦେଇଛନ୍ତି। ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି ।