ପୁଣି ଚର୍ଚ୍ଚାରେ ଗନ୍ଧମାର୍ଦ୍ଦନ

ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତ ପୁଣି ଚର୍ଚ୍ଚାରେ। ବଲାଙ୍ଗୀର ଓ ବରଗଡ଼଼ ଜିଲ୍ଲା ସୀମାରେ ଥିବା ଏହି ପର୍ବତ ତା’ର ବିଶେଷତ୍ୱକୁ ନେଇ ଗରିମାମୟ। ପ୍ରାକୃତିକ, ଆଧ୍ୟାତ୍ମିକ ଓ ଜୈବବିବିଧତା ପାଇଁ ମହତ୍ତ୍ୱପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାର୍ବତ୍ୟ ଅଞ୍ଚଳ ୧୯୮୦ ଦଶକରେ ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଥିବା ବେଳେ ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଛି। ପୌରାଣିକ ଗାଥା ଓ କିମ୍ବଦନ୍ତୀ ଅନୁଯାୟୀ ଗନ୍ଧମାର୍ଦ୍ଦନର ଆଧ୍ୟାତ୍ମିକ ଗରିମା ଅତୁଳନୀୟ। ଏହି ପର୍ବତ ସହିତ ବୀରହନୁମାନଙ୍କ […]

ପୁଣି ଚର୍ଚ୍ଚାରେ ଗନ୍ଧମାର୍ଦ୍ଦନ
sakala article

ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତ ପୁଣି ଚର୍ଚ୍ଚାରେ। ବଲାଙ୍ଗୀର ଓ ବରଗଡ଼଼ ଜିଲ୍ଲା ସୀମାରେ ଥିବା ଏହି ପର୍ବତ ତା’ର ବିଶେଷତ୍ୱକୁ ନେଇ ଗରିମାମୟ। ପ୍ରାକୃତିକ, ଆଧ୍ୟାତ୍ମିକ ଓ ଜୈବବିବିଧତା ପାଇଁ ମହତ୍ତ୍ୱପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାର୍ବତ୍ୟ ଅଞ୍ଚଳ ୧୯୮୦ ଦଶକରେ ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଥିବା ବେଳେ ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଛି।

ପୌରାଣିକ ଗାଥା ଓ କିମ୍ବଦନ୍ତୀ ଅନୁଯାୟୀ ଗନ୍ଧମାର୍ଦ୍ଦନର ଆଧ୍ୟାତ୍ମିକ ଗରିମା ଅତୁଳନୀୟ। ଏହି ପର୍ବତ ସହିତ ବୀରହନୁମାନଙ୍କ ବିଶଲ୍ୟକରଣୀ ସନ୍ଧାନ ଓ ହାତରେ ପର୍ବତ ଧାରଣ କରିଥିବା ମୂର୍ତ୍ତି ଜଡ଼ିତ। ସେହିପରି ଦ୍ୱାପର ଯୁଗରେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଗନ୍ଧମାର୍ଦ୍ଦନ ପର୍ବତରେ କିଛିଦିନ ରହିଥିବା ବିଶ୍ବାସ କରାଯାଏ। ଗବେଷକଙ୍କ ମତରେ ଗନ୍ଧମାର୍ଦ୍ଦନ ପର୍ବତ ପ୍ରାଚୀନ କାଳରେ ବୌଦ୍ଧ ଧର୍ମ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଥିଲା। ସାତବାହାନ ରାଜବଂଶର ଶାସକ ପ୍ରଥମ ସାତକର୍ଣ୍ଣୀ ଏଠାରେ ଏକ ବୌଦ୍ଧ ବିହାର ପ୍ରତିଷ୍ଠା କରିଥିଲେ ବୋଲି ଚୀନ୍‌‌ ପରିବ୍ରାଜକ ହୁଏନ୍‌‌ସାଂ ତାଙ୍କର ଭାରତ ଭ୍ରମଣ ବୃତ୍ତାନ୍ତ ପୁସ୍ତକ ‘ସି-ୟୁ-କି’ରେ ବର୍ଣ୍ଣନା କରିଛନ୍ତି। ସେ ଉକ୍ତ ପୁସ୍ତକରେ ଗନ୍ଧମାର୍ଦ୍ଦନ ପର୍ବତକୁ ‘ପ-ଲୋ-ମ-ଲୋ-କିଲି’ ବୋଲି ଲେଖିଛନ୍ତି, ଯାହାକୁ ‘ପରିମଳ ଗିରି’ ଭାବେ ନାମିତ କରାଯାଏ।
ପ୍ରାକୃତିକ ଶୋଭାରାଜିରେ ଭରା ଏହି ପର୍ବତର ଉଚ୍ଚତା କେଉଁଠି ୨୦୦୦ ଫୁଟ ତ କେଉଁଠି ୩୨୭୪ ଫୁଟ। ପର୍ବତ ଶିଖରରେ ରହିଛି ଏକ ସମତଳ ସ୍ଥାନ, ଯାହାର ଦୈର୍ଘ୍ୟ ପ୍ରାୟ ୧୬ କିଲୋମିଟର ଓ ପ୍ରସ୍ଥ ଏକ କିଲୋମିଟର। ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଏହି ପର୍ବତମାଳା ଦିନେ ବିଭିନ୍ନ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ଥିଲା। ଜିଓଲୋଜିକାଲ ସର୍ଭେ ଅଫ୍‌‌ ଇଣ୍ଡିଆର ରିପୋର୍ଟରୁ ଜଣାଯାଏ ଯେ ଗନ୍ଧମାର୍ଦ୍ଦନ ପର୍ବତରେ ଦୁଇହଜାରରୁ ଅଧିକ ପ୍ରଜାତିର ବୃକ୍ଷ ରହିଛି, ଯାହା ପରିବେଶକୁ ସନ୍ତୁଳିତ କରିବାରେ ଓ ଜୈବମଣ୍ଡଳକୁ ସୁରକ୍ଷିତ ରଖିବାରେ ସହାୟତା କରିଥାଏ। ୨୦୦ରୁ ଅଧିକ ପ୍ରଜାତିର ଔଷଧୀୟ ବୃକ୍ଷ, ଗୁଳ୍ମ ମଧ୍ୟ ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି। ସୁନାରୀ ଝରଣା ସହିତ ୪ଟି ଝରଣା ଓ ୨୨ଟି ଜଳଧାର ଗନ୍ଧମାର୍ଦ୍ଦନ ପର୍ବତରୁ ବହିର୍ଗତ ହୋଇଛି। ଗନ୍ଧମାର୍ଦ୍ଦନ ପର୍ବତରୁ ନିର୍ଗତ ଜଳଧାର ଅଙ୍ଗ ଓ ସୁକତେଲ ନଦୀ ନାମରେ ନାମିତ, ଯାହା ମହାନଦୀ ସହିତ ମିଶି ବରଗଡ଼଼, ସମ୍ବଲପୁର, ବଲାଙ୍ଗୀର ଆଦି ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲା ପାଇଁ ବରଦାନ ହୋଇଛି।

ଗନ୍ଧମାର୍ଦ୍ଦନର ଏକ ପାର୍ଶ୍ବରେ ହରିଶଙ୍କର ତୀର୍ଥକ୍ଷେତ୍ର ରହିଥିଲା ବେଳେ ଅନ୍ୟପାର୍ଶ୍ବରେ ନୃସିଂହନାଥ କ୍ଷେତ୍ର ରହିଛି। ଏଠାରେ ବିନ୍ଧ୍ୟବାସିନୀ ଦୁର୍ଗା, ଦଶମହାବିଦ୍ୟା, ଦକ୍ଷିଣକାଳୀ, ଦ୍ୱିଭୁଜା ଦୁର୍ଗା, ଜଟାନୃସିଂହ, ଗୁପ୍ତେଶ୍ୱର, ଗଣେଶ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆଦି ଦେବଦେବୀ ପୂଜା ପାଉଛନ୍ତି। ନୃସିଂହନାଥ ମନ୍ଦିର ଠାରୁ ଏକ କିଲୋମିଟର ଭିତରେ ଭୀମ ମଣ୍ଡପ, ସତ୍ୟ ଆମ୍ବ, ସପ୍ତଧାର, କପିଳଧାର, ପଞ୍ଚୁପାଣ୍ଡବ ଘାଟ, ତ୍ରିବେଣୀ ଘାଟ, ସୀତା କୁଣ୍ଡ, ବାଳଧାର, ଭୀମଧାର, ଗୋକୁଣ୍ଡ ଘାଟ, ଗଣେଶ ଘାଟ, ଶିବ ଘାଟ ଆଦି ଦର୍ଶନୀୟ ସ୍ଥାନ ରହିଛି। ଗନ୍ଧମାର୍ଦ୍ଦନ ପର୍ବତ ଆଦିବାସୀ ସମୁଦାୟଙ୍କ ପାଇଁ ଦେବତା ସଦୃଶ। ସେମାନେ ଗନ୍ଧମାର୍ଦ୍ଦନ ପର୍ବତରୁ ବିଭିନ୍ନ ଜଙ୍ଗଲଜାତ ସମ୍ପଦ ଓ ଖାଦ୍ୟ ସାମଗ୍ରୀ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥା’ନ୍ତି। ସେହିପରି ଏହି ପର୍ବତ ସନ୍ନିକଟରେ ଦୁଇଟି ଆର୍ୟୁବେଦ ଚିକିତ୍ସା ଅନୁଷ୍ଠାନ ଗନ୍ଧମାର୍ଦ୍ଦନର ଔଷଧୀୟ ଲତା, ଗୁଳ୍ମ ଓ ବୃକ୍ଷକୁ ଆଧାର ଓ ପ୍ରୟୋଗଶାଳା ଭାବେ ବ୍ୟବହାର କରୁଛନ୍ତି। ଶତାଧିକ ଆର୍ୟୁବେଦ ଚିକିତ୍ସକ ଗନ୍ଧମାର୍ଦ୍ଦନରୁ ଔଷଧୀୟ ଉପକରଣ ସଂଗ୍ରହ କରି ସରକାରୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଗରିବ ସମ୍ପ୍ରଦାୟଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସେମାନଙ୍କୁ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ କରୁଛନ୍ତି।

ଉପରୋକ୍ତ ବିବିଧ ଭଣ୍ଡାର ସହିତ ଗନ୍ଧମାର୍ଦ୍ଦନ ପର୍ବତ ପ୍ରଚୁର ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ଏହା ଜଣାପଡ଼ିବା ପରେ ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳରୁ ଖଣିଜ ସମ୍ପଦକୁ ଲୁଟି ନେବାର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ୧୯୪୮ ମସିହାରେ ଓଡ଼ିଶା ସରକାରଙ୍କ ଖଣି ବିଭାଗ (ଓଡିଏମ୍‌‌), ଭାରତ ସରକାରଙ୍କ ଖଣିଜ ସମ୍ପଦ ଉତ୍ତୋଳନ ନିଗମ(ଏମ୍‌‌ଇସିଏଲ) ଓ ଜିଓଲୋଜିକାଲ ସର୍ଭେ ଅଫ୍‌‌ ଇଣ୍ଡିଆ(ଜିଏସ୍‌‌ଆଇ) ମିଳିତ ଭାବରେ ଗନ୍ଧମାର୍ଦ୍ଦନରେ ଖଣିଜ ସମ୍ପଦର ଉପସ୍ଥିତି, ତା’ର ପରିମାଣ ଓ ମାନ ନିର୍ଦ୍ଧାରଣ ପାଇଁ ଉଦ୍ୟମ କଲେ। ୧୯୫୯ ମସିହା ବେଳକୁ ଏମାନେ ନିଶ୍ଚିତ ହେଲେ ଯେ ଗନ୍ଧମାର୍ଦ୍ଦନ ପର୍ବତ ମଧ୍ୟରେ ପ୍ରଚୁର ପରିମାଣର ଉନ୍ନତମାନର ବକ୍ସାଇଟ ଗଚ୍ଛିତ ରହିଛି, ଯାହାର ପରିମାଣ ପ୍ରାୟ ୨୦୦ ନିୟୁତ ଟନ୍‌‌ରୁ ଅଧିକ ହୋଇପାରେ। ଏ ସମ୍ପର୍କରେ ବିଧିବଦ୍ଧ ରିପୋର୍ଟ ପ୍ରକାଶ ପାଇବା ପରେ ୧୯୭୫ ମସିହା ବେଳକୁ ମଧ୍ୟପ୍ରଦେଶର କୋରବାଠାରେ ସ୍ଥାପିତ ଆଲୁମିନିୟମ କାରଖାନା ପାଇଁ ବକ୍ସାଇଟ ନେବାକୁ ବାଲକୋ ପକ୍ଷରୁ ଉଦ୍ୟମ ଆରମ୍ଭ ହେଲା। ମାତ୍ର ସ୍ଥାନୀୟ ଲୋକଙ୍କ ବିରୋଧରୁ ଏହା ସାକାର ହୋଇପାରିଲା ନାହିଁ। ‘ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ’ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଆନ୍ଦୋଳନକୁ ଧୀରେ ଧୀରେ ସାଧାରଣ ଲୋକଙ୍କ ସମର୍ଥନ ମିଳିଲା। କେତେକ ରାଜନେତା ମଧ୍ୟ ଏହି ଆନ୍ଦୋଳନରେ ଯୋଡ଼ିହେଲେ। ସର୍ବୋଦୟ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନକୁ ସହଯୋଗ ମିଳିବା ପରେ ରାଜ୍ୟ ଓ ଦେଶରୁ ବହୁ ପରିବେଶ କର୍ମୀ ଏବଂ ଆନ୍ଦୋଳନକାରୀ ଏହି ଅଞ୍ଚଳକୁ ଆସି ସହଯୋଗ କଲେ। କ୍ରମଶଃ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପ୍ରସଙ୍ଗ ଆଲୋଚନାର ବିଷୟ ହୋଇଥିଲା। ସ୍ଥାନୀୟ ଆନ୍ଦୋଳନକାରୀଙ୍କ ସହିତ ସର୍ବୋଦୟ ସମାଜ, ପରିବେଶ ପ୍ରେମୀ, କର୍ପୋରେଟ ବିରୋଧୀ ଗୋଷ୍ଠୀ, ସମାଜବାଦୀ ଆଦି ଏକଜୁଟ ହେଲେ ଏବଂ ଏମାନଙ୍କର ମିଳିତ ଶକ୍ତି ନିକଟରେ ସରକାର ଓ କମ୍ପାନୀର ଖଣିଲୁଟ୍‌‌ ଯୋଜନା କାମ କଲାନାହିଁ।

ପ୍ରାୟ ୩୦ ବର୍ଷ ପରେ ପୁଣି ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ବିଜେପି ସରକାର ପ୍ରଥମଥର ପାଇଁ କ୍ଷମତା ହାସଲ କରିବା ପରେ ରାଜ୍ୟର ପ୍ରମୁଖ ଲାଭକାରୀ ସଂସ୍ଥା, ସରକାରୀ ଉଦ୍ୟୋଗ, ବନ୍ଦର, ବିମାନ ବନ୍ଦର, ଖଣିଖାଦାନ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ହାତରେ ଟେକିଦେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଦେଶର ବହୁ ସମ୍ପଦର ଅଧÒକାରୀ ଆଦାନୀ ଗ୍ରୁପ୍‌‌ର ନଜର ପଡ଼ିଛି ଗନ୍ଧମାର୍ଦ୍ଦନ ଉପରେ। ଆଦାନୀ ଗ୍ରୁପ୍‌‌ର ଏହି ଯୋଜନାକୁ ଡବଲ ଇଞ୍ଜିନ ସରକାର ସହଯୋଗ କରୁଥିବା ଅଭିଯୋଗ ହେଉଛି। ମାତ୍ର ଆଦାନୀର ଏହି ଯୋଜନାକୁ ଲୋକଲୋଚନ ଉହାଡ଼ରେ ରଖିବା ପାଇଁ ଏବଂ ଆଦାନୀ ଯେପରି ବାଲକୋ ପରି ଜନବିରୋଧର ସମ୍ମୁଖୀନ ନହୁଏ ସେଥିପାଇଁ ନୂଆ କୌଶଳ ପ୍ରୟୋଗ କରାଯାଉଛି।

ଗନ୍ଧମାର୍ଦ୍ଦନ ପର୍ବତର ଚାରିପାଖରେ ଆଦାନୀ କମ୍ପାନୀ ଜମି କିଣିଛି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଆଦାନୀ କମ୍ପାନୀ ପକ୍ଷରୁ ନିକଟରେ ୧୮ ଏକର, ବରଗଡ଼଼ ଜିଲ୍ଲା ଗାଈସିଲଟ ବ୍ଲକ ଅନ୍ତର୍ଗତ କଟାବାହଲ ପଞ୍ଚାୟତର ଯୁବାଖୋଲ ଗାଁରେ ୨୩ ଏକର, ବେଲପଡ଼ା ବ୍ଲକ ଡୁଡୁକାମଲରେ ୩୩ ଏକର, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼଼ ତହସିଲ ଅନ୍ତର୍ଗତ ଭାଲୁପୁରୀ ଗାଆଁରେ ୬୧ ଏକର, ଭଇଁଷା ଆରଆଇ ସର୍କଲ ଅଧୀନରେ ୪୩ ଏକର ଜମି ଆଦାନୀ ଗ୍ରୁପ୍‌‌ କିଣିଥିବା ଜଣାପଡ଼ିଛି। ଏହିପରି ଗନ୍ଧମାର୍ଦ୍ଦନର ଚାରିପାଖରେ ୨୭ଟି ପ୍ଲଟ୍‌‌ ଆଦାନୀ ନାମରେ କିଣାଯାଇଛି। ସେହିସବୁ ଅଞ୍ଚଳରେ ଗ୍ରାଫାଇଟ ଓ ମାଙ୍ଗାନିଜ ଖଣିଜ ସମ୍ପଦ ମହଜୁଦ ରହିଛି। ଏହାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନଥିଲାବେଳେ କମ୍ପାନୀ ପକ୍ଷରୁ କୁହାଯାଉଛି ଯେ ଆଦାନୀର ସୁନ୍ଦରଗଡ଼଼ ଖଣି ଖନନରୁ ସୃଷ୍ଟ ପରିବେଶୀୟ କ୍ଷତିଭରଣା ପାଇଁ ଚାରାରୋପଣ ପୂର୍ବକ ପରିବେଶକୁ ସନ୍ତୁଳିତ କରିବାକୁ ଚେଷ୍ଟା କରାଯିବ। ଯଦି ଆଦାନୀ କମ୍ପାନୀର ଏତେ ପରିବେଶ ପ୍ରେମ ରହିଛି, ତେବେ କମ୍ପାନୀ ସେହି ସୁନ୍ଦରଗଡ଼଼ ଜିଲ୍ଲାରେ ପରିବେଶ ସନ୍ତୁଳନ ପାଇଁ ଉଦ୍ୟମ ନକରି ସୁଦୂର ବଲାଙ୍ଗୀର ଓ ବରଗଡ଼଼ ଜିଲ୍ଲାରେ ତାହା ପୁଣି ଗନ୍ଧମାର୍ଦ୍ଦନ ପର୍ବତର ଚାରିପଟେ କାହିଁକି? ସାଧାରଣ ଲୋକଙ୍କ ଏହି ପ୍ରଶ୍ନର ଉତ୍ତର ରାଜ୍ୟ ସରକାରଙ୍କ ପାଖରେ ନାହିଁ ଏବଂ ଆଦାନୀ କମ୍ପାନୀ ଦେବାକୁ ଇଚ୍ଛାକରୁ ନାହିଁ। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ସରକାର ଓ ପ୍ରଶାସନର ନିରବତା ପରିସ୍ଥିତିକୁ ଅଧିକ ରହସ୍ୟମୟ କରିଛି।

ସ୍ଥାନୀୟ ଲୋକମାନଙ୍କ ଠାରୁ ଜଣାଯାଏ ଯେ କେତେମାସ ହେବ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ସର୍ଭେ କାମ ଜାରି ରହିଛି। କ’ଣ ପାଇଁ ଏହି ସର୍ଭେ କରାଯାଉଛି ତାହା ପ୍ରଶାସନ କାହାରିକୁ ଜଣାଉନାହାନ୍ତି। ସରକାରଙ୍କ ପକ୍ଷରୁ ହେଉଥିବା ସର୍ଭେ ଓ ଆଦାନୀ କମ୍ପାନୀ ପକ୍ଷରୁ ଗନ୍ଧମାର୍ଦ୍ଦନ ପର୍ବତ ଚାରିପାଖରେ ଜମିକିଣା ଘଟଣାରୁ ଏହି ଧାରଣା ସୃଷ୍ଟି ହେଉଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଆଦାନୀ କମ୍ପାନୀ ମିଳିତ ଭାବେ ଏକ ବ୍ୟାପକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଯୋଜନା ଗନ୍ଧମାର୍ଦ୍ଦନ ଲୁଟ୍‌‌ ନୁହେଁ ତ ଆଉ କ’ଣ ହୋଇପାରେ? ଯେତେବେଳେ ଗନ୍ଧମାର୍ଦ୍ଦନ ଚାରିପଟର ଜମି ଆଦାନୀ କିଣିନେବ ସେତେବେଳେ କମ୍ପାନୀ ପକ୍ଷରୁ ସେଠାରେ ଏକ ସ୍ୱତନ୍ତ୍ର ଅର୍ଥନୀତିକ ଅଞ୍ଚଳ ବା ଏସ୍‌‌ଇଜେଡ୍‌‌ ଘୋଷଣା କରାଯିବ। ଏସ୍‌‌ଇଜେଡ୍‌‌ ନୀତି ଅନୁଯାୟୀ ସେଠାରେ ସରକାରଙ୍କର କୌଣସି ଆଇନ ଏବଂ ଶାସନ କାମ କରିବ ନାହିଁ। ତାହା ଆଦାନୀର ସ୍ୱୟଂଶାସିତ ଅଞ୍ଚଳ ହେବ। ସ୍ଥାନୀୟ ଲୋକମାନେ ଜଳକା ହୋଇ ଚାହିଁ ରହିଥିବେ ଓ ଆଦାନୀ ଗନ୍ଧମାର୍ଦ୍ଦନକୁ ଦିନ ଦି’ପହରରେ ଲୁଟି ନେଉଥିବ – ଏହି ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ।
କଟକ, ମୋ: ୯୦୪୦୩୯୭୧୨୨

ରମାକାନ୍ତ ନାଥ