ପୁଣି ତେଲ ସଂକଟ ଆଶଙ୍କା; କାଲିଠୁ ଅନିର୍ଦ୍ଦିଷ୍ଟକାଳ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ

ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଲାଗି କରାଯାଇଥିବା କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ମହାସଂଘ ।

ପୁଣି ତେଲ ସଂକଟ ଆଶଙ୍କା; କାଲିଠୁ ଅନିର୍ଦ୍ଦିଷ୍ଟକାଳ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ

ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । କାଲିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ଏହାକୁ ନେଇ ବଢିଛି ଚିନ୍ତା । କାରଣ ଯୋଗାଣ ପ୍ରଭାବିତ ହେଲେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି । ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି ।

ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖି ରଖୁ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଲାଗି କରାଯାଇଥିବା କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ମହାସଂଘ । ନୂଆ ଆଇନ ଡ୍ରାଇଭରଙ୍କ ବେକରେ ଫାଶି ସଦୃଶ ବୋଲି ମହାସଂଘ ଅଭିଯୋଗ କରିଛି । ତେଣୁ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଯୋଗାଣ ବନ୍ଦ କରିବାକୁ ମହାସଂଘ ଘୋଷଣା କରିଛି ।

ଡ୍ରାଇଭରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାନ୍ତୁ ବୋଲି ମହାସଂଘ ଦାବି କରିଛି । ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରିବ ବୋଲି ଚେତାବନୀ ବି ଦେଇଛି । ଏପଟେ ପେଟ୍ରୋଲିୟମ ଡିଲର ସଂଘ କହିଛି, ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ପ୍ରଭାବିତ ହୋଇଥିଲା । ପାନିକ୍ ବାୟିଂ ଯୋଗୁଁ ଷ୍ଟକ୍ ମଧ୍ୟ ସରିବା ଉପରେ । ଏଭଳି ସ୍ଥିତିରେ ଯଦି ଯୋଗାଣ ବାଧାପ୍ରାପ୍ତ ହୁଏ ତେବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବହୁ ପେଟ୍ରୋଲ ପମ୍ପରୁ ତେଲ ସରିଯିବା ବୋଲି ଆଶଙ୍କା କରୁଛି ଡିଲର ସଂଘ ।

ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ଅଧିକ ପ୍ରଭାବିତ ହୋଇଥିଲା ଉପାନ୍ତ ଅଞ୍ଚଳର ପେଟ୍ରୋଲ ପମ୍ପ । ଗତକାଲି ସନ୍ଧ୍ୟା ସୁଦ୍ଧା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଭଳି ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପରୁ ତେଲ ସରିଯାଇଥିଲା । ଫଳରେ ଲୋକେ ବହୁତ ହଇରାଣ ହୋଇଥିଲେ । ଆନ୍ଦୋଳନ ସ୍ଥଗିତ ରହିବା ପରେ ଆଜି ଅପରାହ୍ନରେ ମାଲକାନଗିରି ଜିଲ୍ଲାର କିଛି ପେଟ୍ରୋଲ ପମ୍ପରେ ଗୋଟିଏ ଲେଖାଏଁ ଟ୍ୟାଙ୍କର ପହଞ୍ଚିଥିଲା । ତେଣୁ ଧର୍ମଘଟ ଡାକରାକୁ ଦେଖି ଜରୁରୀ ଭିତ୍ତିରେ ଲୋକଙ୍କୁ ଅଳ୍ପ ପରିମାଣର ତେଲ ଦିଆଯାଉଛି ।

ଏପଟେ ପେଟ୍ରୋଲ, ଡିଜେଲ ଯୋଗାଣ ବନ୍ଦ ଯୋଗୁ ମାଲ ପରିବହନ ବାଧାପ୍ରାପ୍ତ ହେଉଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ବାଧାପ୍ରାପ୍ତ ହୋଇଛି। ତେବେ କେନ୍ଦ୍ର ଏବେ ଆଇନକୁ ସ୍ଥଗିତ ରଖିଥିବାରୁ ପରିବହନ ମହାସଂଘର ଆନ୍ଦୋଳନ ଡାକାରାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ବ୍ୟବସାୟୀ ମହାସଂଘ ।

ପରିବହନ ଶ୍ରମିକ ମହାସଂଘ ଯଦି ତେଲ ଯୋଗାଣ ବନ୍ଦ କରେ ତେବେ ଲୋକେ ହଇରାଣ ହେବା ନିଶ୍ଚିତ । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର ।