ପୁଣି ବାଣ ନେଲା ଜୀବନ, ବିସ୍ଫୋରଣରେ ଗୋଟିଏ ପରିବାରର ୨ ମୃତ
ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ଗତକାଲି ରାତିରେ ଜଗତସିଂହପୁର ସଦର ଥାନା ବଡ଼ବାଗ ଗାଁରେ ଏହି ଅଘଟଣ ଘଟିଛି।
ପୁଣି କାଳ ହେଲା ବାଣ ବିସ୍ଫୋରଣ। ଉଡ଼ିଗଲା ଘରର ଛାତ। ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ।
ଗତକାଲି ରାତିରେ ଜଗତସିଂହପୁର ସଦର ଥାନା ବଡ଼ବାଗ ଗାଁରେ ଏହି ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ଏଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଫଳରେ ଏକ କୋଠା ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଥିଲା।
ଭଙ୍ଗା କୋଠା ଭିତରେ ଘରର କିଛି ସଦସ୍ୟ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ବିସ୍ଫୋରଣ ସ୍ଥଳରୁ ଦୀର୍ଘ ଅଢେଇ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।
ତେବେ ଏହି ବିସ୍ଫୋରଣ କିଭଳି ହେଲା, ବିସ୍ଫୋରଣ ପଛର କାରଣ ବାଣ ନା ଆଉ କିଛି ଏବଂ ଯଦି ବାଣ ତେବେ ଏହା ଆଇନ ସମତ କି ବେଆଇନ୍ ଭାବେ ଭିଡ଼ା ଯାଉଥିବା ସେ ସମ୍ପର୍କରେ ପୁଲିସ ଓ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ଅବସ୍ଥାରେ ତଦନ୍ତ କରାଯିବ ବୋଲି ଜଗତସିଂହପୁର ଏସପି କହିଛନ୍ତି।