ପୁଣି ବ୍ୟାପିଲାଣି କରୋନା, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଥଣ୍ଡା ଦିନେ ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ପଡ଼ିବା ଗୋଟିଏ ସ୍ୱାଭାବିକ ଘଟଣା। କିନ୍ତୁ ଗ୍ରୀଷ୍ମ ପ୍ରବାହ ବେଳେ ଲୋକମାନେ ଥଣ୍ଡା-କାଶ ଭଳି ରୋଗରେ ପୀଡ଼ିତ ହେବା ଚିନ୍ତାର ବିଷୟ।

ପୁଣି ବ୍ୟାପିଲାଣି କରୋନା, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ପୂରା ବିଶ୍ୱରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ମହାମାରୀ କରୋନା ପୁଣିଥରେ କାୟାବିସ୍ତାର କରିବା ଆରମ୍ଭ କରିଛି। ବିଶେଷ କରି ହଂକଂ ଓ ସିଙ୍ଗାପୁରରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ବଢ଼ୁଛି। ଫଳର ସ୍ୱରୂପ ପୂରା ବିଶ୍ୱରେ କରୋନା ବ୍ୟାପିବାର ଆଶଙ୍କା ଥିବା ସ୍ୱାସ୍ଥ୍ୟାଧିକାରୀମାନେ ସତର୍କ କରାଇଛନ୍ତି।

ହଂକଂର ସ୍ୱାସ୍ଥ୍ୟାଧିକାରୀ ଆଲବର୍ଟ ଏୟୁ କହିଛନ୍ତି, ଭାଇରସ ଜନିତ ମାମଲା ହଂକଂରେ ବେଶ ଅଧିକ ରହିଛି। କିଛି ସପ୍ତାହ ହେଲାଣି ହଂକଂରେ ଶ୍ୱାସକ୍ରିୟା ଜନିତ ନମୁନାର ପରୀକ୍ଷା ସମୟରେ କୋଭିଡ ପଜେଟିଭ ରିପୋର୍ଟ ଆସୁଛି। ଗୁରୁତର ଥିବା ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ମେ’ ୩ରୁ ଇତି ମଧ୍ୟରେ ୩୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସ୍ଥିତି ସାଂଘାତିକ ହୋଇ ନଥିଲେ ହେଁ ସଂକ୍ରମଣ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ହଂକଂର ୭ ନିୟୁତ ଲୋକଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କାରଣ ଦିନକୁ ଦିନ କରୋନା ସମ୍ପର୍କିତ ମେଡିକାଲ ପରାମର୍ଶ ଓ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି।

ହଂକଂ ବ୍ୟତୀତ ସିଙ୍ଗାପୁର ମଧ୍ୟ କୋଭିଡ ଆଲର୍ଟରେ ରହିଛି। ସହରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ବର୍ଷକ ପରେ କରୋନା ଅପଡେଟ ସଂକ୍ରାନ୍ତ ତଥ୍ୟ ଅପଲୋଡ କରିଛି। ମେ’ ୩ରୁ ଇତି ମଧ୍ୟରେ କରୋନା ମାମଲା ୨୮% ବଢ଼ି ୧୪,୨୦୦ରେ ପହଞ୍ଚି ଯାଇଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟାରେ ୩୦% ବୃଦ୍ଧି ହୋଇଛି। ସିଙ୍ଗାପୁରରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଥିବାରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ଏପରି ସ୍ୱାସ୍ଥ୍ୟ ଅପଡେଟ ଦିଆଯାଇଥିବା ଜଣାପଡ଼ଛି।

ମନ୍ତ୍ରଣାଳୟ କହିଛି ଯେ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା କରୋନା ମାମଲା ବଢ଼ିବାର କାରଣ ହୋଇପାରେ। କିନ୍ତୁ ବର୍ତ୍ତମାନ ଦେଖାଯାଇଥିବା ଭାରିଏଣ୍ଟ ଆଦୌ ଦ୍ରୁତ ସଂକ୍ରମିତ ନୁହେଁ କିମ୍ବା ମହମାରୀ ବେଳେ ଯେଉଁ ଭଳି ଲୋକମାନେ ଗୁରୁତର ହେଉଥିଲେ ସେମିତି କିଛି ହେଉ ନାହିଁ।

ଏସିଆର ଦୁଇ ପ୍ରମୁଖ ତଥା ବଡ଼ ସହରରେ କୋଭିଡ ମାମଲା କିଛି ମାସ ମଧ୍ୟରେ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ବର୍ତ୍ତମାନ ଏଣ୍ଡେମିକ ସ୍ଥିତିରେ ଥିବା କରୋନା ପୁଣି ଥରେ କାୟା ବିସ୍ତାର କରିବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସେମାନଙ୍କ ଟିକାକରଣ ଅପଡେଟକୁ ତ୍ୱରାନ୍ୱିତ କରନ୍ତୁ। ସେହିପରି ସଂକ୍ରମଣର ବିପଦ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି।

ଥଣ୍ଡା ଦିନେ ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ପଡ଼ିବା ଗୋଟିଏ ସ୍ୱାଭାବିକ ଘଟଣା। କିନ୍ତୁ ଗ୍ରୀଷ୍ମ ପ୍ରବାହ ବେଳେ ଲୋକମାନେ ଥଣ୍ଡା-କାଶ ଭଳି ରୋଗରେ ପୀଡ଼ିତ ହେବା ଚିନ୍ତାର ବିଷୟ। ଏବେ ଲୋକମାନେ ଶ୍ୱାସ ଜନିତ ସମସ୍ୟାରେ ପଡ଼ିବାର ଅର୍ଥ ଏବେ ବି କରୋନାର ପ୍ରଭାବ ରହିଛି। ହଂକଂ ସିଙ୍ଗର ଇସନ ଚାନ ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ନିଜର କାଓହସିଉଙ୍ଗ କନସର୍ଟକୁ ବାତିଲ କରିବାକୁ ପଡ଼ିଥିଲା।

ଗତବର୍ଷ ଗ୍ରୀଷ୍ମ ଦିନରେ ଚାଇନାରେ ମଧ୍ୟ କୋଭିଡ ଲହର ଦେଖାଯାଇଥିଲା। ଏବେ ବି ଚାଇନାରେ ପୁଣି ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ିଛି।