ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣ ପ୍ରାଣ ହରାଇଲେ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଏହି ଘଟଣାରେ ଆହତ ହୋଇଥିବା ଆହୁରି ୧୯ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣ ପ୍ରାଣ ହରାଇଲେ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ତେବେ ମୃତକଙ୍କ ପରିଚୟ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ। 

ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ ଆହୁରି କୁହାଯାଇଛି ଯେ ଏହି ଘଟଣାରେ ଆହତ ହୋଇଥିବା ଆହୁରି ୧୯ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଗତକାଲି ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତା’ପୂର୍ବ ଦିନ ଅର୍ଥାତ୍ ଶୁକ୍ରବାର ମଧ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ତା’ପୂର୍ବରୁ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। 

ମେ’ ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଲୋକେ ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ୩୦ ଜଣ ଆହତ ହୋଇଥିଲେ। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେମାନଙ୍କ ମଧ୍ୟରେ କିଛି ଶିଶୁ ଓ ନାବଳକ ମଧ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ।