ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି

ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।

ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି

ରକ୍ଷକ ଯଦି ଭକ୍ଷକ ସାଜେ କହିବା କାହାକୁ? ଚୋରି-ଅନିୟମିତତା ଓ ଦୁର୍ନୀତି ଆଦିର ତଦନ୍ତ କରୁଥିବା ରାଜ୍ୟ ପୁଲିସ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ । ଟେଣ୍ଡର ପ୍ରକ୍ରିୟାରେ ହୋଇଛି ବ୍ୟାପକ ଅନିୟମିତତା । ନକଲି ଦସ୍ତାବିଜ ଦେଇଥିବା ଏକ ନିର୍ଦ୍ଦିଷ୍ଟ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଯୋଗୁ ରାଜ୍ୟ ରାଜକୋଷକୁ ୫.୯୪କୋଟି ଟଙ୍କା କ୍ଷତି ବି ସହିବାକୁ ପଡ଼ିଛି । ଏହି ଅନିୟମିତତା ନେଇ ସିଏଜି ଆପତ୍ତି ଉଠାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ରାଜ୍ୟ ପୁଲିସ ଏହାକୁ ବାଏଁବାଏଁ ଫାଙ୍କି ଦେଇଛି । ଆଉ ବେଶ୍ ସୁଚିନ୍ତିତ ଢଙ୍ଗରେ ଅନିୟମିତତାର ଅଙ୍ଗୁଳି ଉଠିଥିବା ସଂସ୍ଥାର ମୁଖ୍ୟଙ୍କ ନେତୃତ୍ୱରେ ଏକ କମିଟି ଗଢ଼ି ଏହି ଟେଣ୍ଡର ପ୍ରକ୍ରିୟାକୁ ସ୍ୱଚ୍ଛ ବୋଲି ଦର୍ଶାଇବାକୁ ପ୍ରୟାସ ହୋଇଥିବା ଜଣାପଡ଼ିଛି । ଆଉ ସିଏଜିଙ୍କ ଆପତ୍ତି ଓ ଅନିୟମିତତା ଢଙ୍ଗରେ ଚୟନ ହୋଇଥିବା ସଂସ୍ଥା ସହ ଚୁକ୍ତିକୁ ବାତିଲ କରିବା ବଦଳରେ ସେହି ଜାଲିଆତିକୁ ଲୁଚାଇବାକୁ ପୁଲିସ ବିଭାଗ ଲାଗି ପଡ଼ିଛି । ତତକାଳୀନ ବିଜେଡି ଶାସନକାଳରେ ମୁମ୍ବାଇର ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଏହି ଟେଣ୍ଡର ଟେକିଦେବା ପାଇଁ କିଏ ଓ କାହିଁକି ଏତେ ବ୍ୟଗ୍ର ଥିଲେ ଏବଂ ଏବେ କିଏ ଏହି ସଂସ୍ଥା ଓ ଓଡ଼ିଶାରେ ତା’ର ପୃଷ୍ଠପୋଷକ ସାଜିଥିବା ଅଫିସରଙ୍କୁ ସୁରକ୍ଷା ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କ’ଣ ଓ କାହା ବିରୁଦ୍ଧରେ ଅନିୟମିତତା ଅଭିଯୋଗ

ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି । ସିସିଟିଏନଏସ୍ ପାଇଁ ବିସ୍ତୃତ୍ ଅନସାଇଟ୍ ସେବା ଓ ବାର୍ଷିକ ରକ୍ଷଣାବେକ୍ଷଣ କରିବା ନିମନ୍ତେ ‘ସିଷ୍ଟମ ଇଣ୍ଟିଗ୍ରେଟର’ ଭାବେ ପୂର୍ବରୁ କାର୍ଯ୍ୟ କରୁଥିବା ‘ଏନଆଇଆଇଟି’ର ଚୁକ୍ତି ଅବଧି ୨୦୨୨ ଜୁଲାଇରେ ସମାପ୍ତକୁ ଦୃଷ୍ଟିରେ ରଖି ଏହି ଟେଣ୍ଡର ଡକାଯାଇଥିଲା । ଆଉ ଟେଣ୍ଡରରେ ୩ଟି କମ୍ପାନୀ ‘କେପିଏମଜି ଆଡଭାଇଜରି ସର୍ଭିସ ପ୍ରାଃ ଲିମିଟେଡ’, ‘କୋଫର୍ଜ ଲିମିଟେଡ’ ଓ ‘ସିଏମଏସ୍ ଆଇଟି ସର୍ଭିସ ପ୍ରାଃ ଲିମିଟେଡ’ ଅଂଶଗ୍ରହଣ କରିଥିଲେ । ବିଡ଼ର ଚୟନ ଓ ମୂଲ୍ୟାୟନ ପାଇଁ ଗୁଣବତ୍ତା ଓ ମୂଲ୍ୟ ଆଧାରିତ(କ୍ୟୁସିବିଏସ) ପଦ୍ଧତି ଗ୍ରହଣ କରାଯାଇଥିଲା । ଟେଣ୍ଡର ଦସ୍ତାବିଜ(ଆରପିଏଫ) ଅନୁସାରେ ବିଡରଙ୍କୁ ୩ଟି ମୁଖ୍ୟ ମାନଦଣ୍ଡ ଆଧାରରେ ଟେକନିକାଲ କମିଟି ଆକଳନ କରିଥିଲେ । ପଦ୍ଧତି ଓ ପ୍ରଣାଳୀ(୨୫ମାର୍କ), ବିଡରଙ୍କ ଅଭିଜ୍ଞତା(୩୫ମାର୍କ) ଓ ଡାଟା ସେଂଟର-ଆପ୍ଲିକେସନ୍ ସପୋର୍ଟ ପାଇଁ ରିସୋର୍ସ ପର୍ସନ(୪୦ମାର୍କ) ରଖାଯାଇଥିଲା ।

ମାତ୍ର ସିଏଜି ଅଡିଟ୍ ବେଳେ ଜାଣିବାକୁ ପାଇଛନ୍ତି ଯେ, ଟେକନିକାଲ ସ୍କୋରର ତ୍ରୁଟିପୂର୍ଣ୍ଣ ଗଣନା କରି ତୃତୀୟ ସ୍ଥାନରେ ଥିବା ସଂସ୍ଥାକୁ ଏହି ଟେଣ୍ଡର ଟେକି ଦିଆଯାଇଛି । ସିଏମଏସ୍ ଆଇଟି ସର୍ଭିସ ସର୍ବାଧିକ ୯୦.୭୧ ସହ ପ୍ରଥମ, କୋଫର୍ଜ ଲିମିଟେଡ୍ ୯୦.୧୫ ସ୍କୋର ସହ ଦ୍ୱିତୀୟ ଓ କେପିଏମଜି ଆଡଭାଇଜରୀ ୮୯.୩୪ସ୍କୋର ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଆରପିଏଫ ଅନୁସାରେ ୧୫୦ରୁ ୩୦୦କୋଟି ଟଙ୍କା ଟର୍ଣ୍ଣଓଭର ଥିଲେ ୨ମାର୍କ ଓ ୩୦୦କୋଟିରୁ ଅଧିକ ଥିଲେ ୪ମାର୍କ ମିଳିବ ।

Letterମୂଲ୍ୟାୟନ କମିଟିର ଚଂଚକତା ଯୋଗୁ କେପିଏମଜି ସଂସ୍ଥାକୁ ୨ମାର୍କ ବଦଳରେ ୪ମାର୍କ ଦିଆଯାଇଛି।

ଆଉ ୧୯.୩୧ କୋଟି ଟଙ୍କାରେ କେପିଏମଜିକୁ ଏହି ଟେଣ୍ଡର ଟେକି ଦିଆଯାଇଥିଲା । ଯଦିଓ ଟେକନିକାଲ ସ୍କୋରରେ ଏଲ-୧ ବିଡର ଭାବେ ସିଏମଏସ୍ ଆଇଟି ସର୍ଭିସର ବିଡ୍ ପ୍ରାଇସ୍ ୧୩.୩୭କୋଟି ଟଙ୍କା ଥିଲା । କିନ୍ତୁ ଏହି ସଂସ୍ଥାକୁ ଚୟନ ନକରି କେପିଏମଜିକୁ ଚୁକ୍ତି ଦିଆଯାଇଥିବାରୁ ୫.୯୪ କୋଟି ଟଙ୍କ କ୍ଷତି ରାଜକୋଷକୁ ସହିବାକୁ ପଡ଼ିଛି ବୋଲି ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ।

ଦସ୍ତାବିଜରେ ହେରଫେର ଅଭିଯୋଗ

ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଏସସିଆରବି ଦ୍ୱାରା ଚୟନିତ କେପିଏମଜି ସଂସ୍ଥା ନକଲି ଦସ୍ତାବିଜ ଦାଖଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଟେଣ୍ଡର ଦସ୍ତାବିଜ ଅନୁସାରେ ପ୍ରୋଜେକ୍ଟ ମ୍ୟାନେଜର ନିଶ୍ଚିତ ଭାବେ ବିଡିଂ କମ୍ପାନୀର ପେ-ରୋଲରେ ରହିବା ଜରୁରୀ । କିନ୍ତୁ କେପିଏମଜି ଦ୍ୱାରା ଦାଖଲ ଦଲିଲରେ ଯାହାଙ୍କୁ ପ୍ରୋଜେକ୍ଟ ମ୍ୟାନେଜର ଭାବେ ଦର୍ଶାଯାଇଥିଲା ସେହି ସମୟରେ କମ୍ପାନୀର ପେ-ରୋଲରେ ଅନ୍ୟଜଣେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେହିପରି ସିନିୟର ସଫ୍ଟୱେୟାର ଇଞ୍ଜିନିୟର ପାଇଁ ଯାହାଙ୍କ ବାୟୋଡାଟା ଏହି ସଂସ୍ଥା ପକ୍ଷରୁ ଦାଖଲ କରାଯାଇଥିଲା ସେ ମୂଲ୍ୟାଙ୍କନ ସମ୍ପର୍କରେ ଅନ୍ୟ ଏକ ବ୍ୟବସାୟିକ ସଂସ୍ଥାର ପେ-ରୋଲରେ ଥିଲେ ।

ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲସ ଅନୁସାରେ କୌଣସି ସଂସ୍ଥା ଯଦି ମିଥ୍ୟା ସୂଚନା ଦେଇ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥାଏ ଅବା ଟେଣ୍ଡର ହାସଲ କରିଥିବ, ତା’ହେଲେ ତାର ଟେଣ୍ଡର ବାତିଲ କରାଯିବା ସହ ତାକୁ ୨ବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯିବ । ଏହାସହିତ ବିଭାଗ ତା’ର ନାଁକୁ ନିଜ ୱେବସାଇଟରେ ମଧ୍ୟ ସାର୍ବଜନୀନ କରିବ ।

ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଲାନି

ସିଏଜିଙ୍କ ଆପତ୍ତି ଉପରେ ପୁଲିସ ବିଭାଗ ଦର୍ଶାଇଛି ଯେ, ପୁଲିସ ଡିଜିଙ୍କ ଦ୍ୱାରା ଏକ ଟେକନିକାଲ କମିଟି ଗଠନ ହୋଇଥିଲା । ଯାହାର ଅଧ୍ୟକ୍ଷ ତତକାଳୀନ ଏସସିଆରବି ନିର୍ଦ୍ଦେଶକଙ୍କ ସମେତ ମୋଟ ୮ଜଣ ସଦସ୍ୟ ଥିଲେ । ଏହି କମିଟି ସିଏଜିଙ୍କ ଆପତ୍ତିକୁ ଫାଙ୍କି ଦେବା ସହ ଟେଣ୍ଡରର ସବୁ ଦସ୍ତାବିଜକୁ କମିଟି ଭଲଭାବେ ଯାଂଚ କରିଛି ଓ ଆଲୋଚନା ପରେ ସମସ୍ତେ କେପିଏମଜି ସଂସ୍ଥାକୁ ଅତିରିକ୍ତ ମାର୍କ ଦେଇ ଏହି ଟେଣ୍ଡର ଦିଆଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି । ବିଜେଡି ଶାସନକାଳରେ ଡକାଯାଇଥିବା ଏହି ଟେଣ୍ଡର ସମୟରେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ ବିନୟତୋଷ ମିଶ୍ର କାର୍ଯ୍ୟ କରୁଥିଲେ । ଶ୍ରୀ ମିଶ୍ର ୨୦୨୦ ସେପ୍ଟେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ ଓ ଏବେ ସେ କ୍ରାଇମବ୍ରାଂଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି ।

ତେବେ ପୁଲିସ ବିଭାଗରେ ଏତେ ବଡ଼ଧରଣର ଟେଣ୍ଡର ଅନିୟମିତତା ନେଇ ସିଏଜି ଆପତ୍ତି ଉଠାଇଥିଲେ ମଧ୍ୟ ରାଜ୍ୟ ଗୃହ ବିଭାଗ କାହିଁକି ଏଥିପ୍ରତି ନିରବ ରହିଛି ଓ ପୁଲିସ ବିଭାଗର ବିଶ୍ୱସନୀୟତା ବଜାୟ ରଖିବା ନିମନ୍ତେ କାହିଁକି ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଆଯାଇନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ସିଏଜିଙ୍କର ଏହି ଅଡିଟ ରିପୋର୍ଟ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହୋଇ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।