‘ପୁଷ୍ପପଲକ’ର ବିଦଗ୍ଧକବି ଅଭିମନ୍ୟୁ

ପଞ୍ଚସଖା ଯୁଗର ଅବସାନ ପରେ ଉତ୍କଳ ସାହିତ୍ୟ ଗଗନରେ ଯେଉଁ ସମୁଜ୍ଜ୍ୱଳ ଜ୍ୟୋତିଷ୍କମାନଙ୍କର ଅଭ୍ୟୁଦୟ ଘଟିଥିଲା- କବିତିଳକ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ତନ୍ମଧ୍ୟରୁ ଅନ୍ୟତମ। ସେ ଅନେକ ସୁରଭିତ କାବ୍ୟକୁସୁମ ଦ୍ୱାରା ଉତ୍କଳବାଣୀଙ୍କ କୁନ୍ତଳ ମଣ୍ଡନ ପୂର୍ବକ ନିରାଜନା କରିଥିଲେ ମଧ୍ୟ ତାଙ୍କର ଶେଷ ଓ ଶ୍ରେଷ୍ଠକାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ଉତ୍କଳ ସାହିତ୍ୟ ନନ୍ଦନବନର ପାରିଜାତ ପୁଷ୍ପ। ସେହି ଦେବଭୋଗ୍ୟ ପୁଷ୍ପରେ ସେ ମାତା ଉତ୍କଳଭାରତୀଙ୍କର ପଦ ବନ୍ଦନା କରି ଉତ୍କଳ ସାହିତ୍ୟ ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ […]

‘ପୁଷ୍ପପଲକ’ର ବିଦଗ୍ଧକବି ଅଭିମନ୍ୟୁ
sakala article

ପଞ୍ଚସଖା ଯୁଗର ଅବସାନ ପରେ ଉତ୍କଳ ସାହିତ୍ୟ ଗଗନରେ ଯେଉଁ ସମୁଜ୍ଜ୍ୱଳ ଜ୍ୟୋତିଷ୍କମାନଙ୍କର ଅଭ୍ୟୁଦୟ ଘଟିଥିଲା- କବିତିଳକ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ତନ୍ମଧ୍ୟରୁ ଅନ୍ୟତମ। ସେ ଅନେକ ସୁରଭିତ କାବ୍ୟକୁସୁମ ଦ୍ୱାରା ଉତ୍କଳବାଣୀଙ୍କ କୁନ୍ତଳ ମଣ୍ଡନ ପୂର୍ବକ ନିରାଜନା କରିଥିଲେ ମଧ୍ୟ ତାଙ୍କର ଶେଷ ଓ ଶ୍ରେଷ୍ଠକାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ଉତ୍କଳ ସାହିତ୍ୟ ନନ୍ଦନବନର ପାରିଜାତ ପୁଷ୍ପ। ସେହି ଦେବଭୋଗ୍ୟ ପୁଷ୍ପରେ ସେ ମାତା ଉତ୍କଳଭାରତୀଙ୍କର ପଦ ବନ୍ଦନା କରି ଉତ୍କଳ ସାହିତ୍ୟ ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ।

ଏହି ପ୍ରଥିତଯଶା କବିତିଳକ ବିଦଗ୍ଧକବି ଅଭିମନ୍ୟୁ ୧୭୬୦ ଖ୍ରୀଷ୍ଟାବ୍ଦ ମାଘ ଶୁକ୍ଳ ସପ୍ତମୀ ତିଥିରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଆନଗରରେ ପ୍ରସିଦ୍ଧ ଜମିଦାର ଇନ୍ଦ୍ରଜିତ ସାମନ୍ତସିଂହାର ଓ ତାଙ୍କ ପତ୍ନୀ ତୁଳସୀ ଦେବୀଙ୍କ କୋଳମଣ୍ଡନ କରି ଭୂମ୍ରି ହୋଇଥିଲେ। ମାତା ତୁଳସୀ ଦେବୀ ଥିଲେ ଅତ୍ୟନ୍ତ ଧର୍ମପ୍ରାଣା, ବୁଦ୍ଧିମତୀ ଆଉ ପତିବ୍ରତା ନାରୀ। କବିଙ୍କ ସୁଯୋଗ୍ୟ ପିତା ଇନ୍ଦ୍ରଜିତ ସାମନ୍ତସିଂହାର ଏକାଧାରାରେ ଅସୀମ ପରାକ୍ରମଶାଳୀ ଯୋଦ୍ଧା, ରସିକ, ବିବେକୀ ତଥା ଧାର୍ମିକ ବ୍ୟକ୍ତି ଥିଲେ। ଏକଥା ଅଭିମନ୍ୟୁ ସ୍ୱୀୟ ବାଘଗୀତରେ ଉଲ୍ଲେଖ କରି କହିଛନ୍ତି-

‘ବାଲିଆ ବୋଲି ଯେ ଏକ ନଗର, ତହିଁ ନୃପତି ସାମନ୍ତସିଂହାର, ରସିକ ବିବେକୀ ଧାର୍ମିକ, ପ୍ରଶଂସା କରନ୍ତି ବହୁତ ଲୋକ।’

ବାଲ୍ୟଶିକ୍ଷା ପରେ ଅଭିମନ୍ୟୁ ମାତ୍ର ଚତୁର୍ଦ୍ଦଶ ବର୍ଷ ବୟସରେ କେନ୍ଦ୍ରାପଡ଼ାର ବିଶିଷ୍ଟ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ତଥା ସଦାଶିବ ଜେନାଙ୍କ ଭଗିନୀ ବିମଳା ଦେବୀଙ୍କ ପାଣିଗ୍ରହଣ କରିଥିଲେ। ବିମଳା ଦେବୀ ଥିଲେ ଅତ୍ୟନ୍ତ କୃଷ୍ଣଭକ୍ତି ପରାୟଣା ଓ ବିଦୁଷୀ ମହିଳା। ଅଭିମନ୍ୟୁଙ୍କ ମାତ୍ର ଊନବିଂଶ ବର୍ଷ ବୟସରେ ପିତୃ ବିୟୋଗ ଘଟିବାରୁ ସେ ବାଧ୍ୟ ହୋଇ ବାଲିଆ ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ। ଏତେ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ଥିଲେ ମଧ୍ୟ ସେ ବାଣୀଆରାଧନାରୁ ବିରତ ହୋଇ ନଥିଲେ। ସାରସ୍ୱତ ସାଧନା ସହିତ କିଛିଦିନ ସଂସାର କରିବା ପରେ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା। ଏହାପରେ ସଂସାରବିମୁଖ ହୋଇ ସେ ତାଙ୍କର ଶ୍ରେଷ୍ଠ କାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ରଚନା କରିଥିଲେ।

କାବ୍ୟ କବି ହୃଦୟର ବାଙ୍‌‌ମୟ ପରିପ୍ରକାଶ। ସେହିପରି ପ୍ରୟୋଜନ ଅନୁସାରେ ତତ୍‌‌ସମ, ଅର୍ଦ୍ଧତତ୍‌‌ସମ, ତଦ୍‌‌ଭବ ଓ ଦେଶଜ ଶବ୍ଦର ସମନ୍ୱୟ କାବ୍ୟକୁ କରେ ରସମୟ, ଶ୍ରୁତମଧୁର। ସଂସ୍କୃତ ନାଟକ ସମ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ତତ୍‌‌ସମ ଶବ୍ଦ ସହିତ ପ୍ରାକୃତ ଭାଷାର ମଧ୍ୟ ବ୍ୟବହାର କରାଯାଇଛି। ସଂସ୍କୃତ ଭାଷାକୁ ‘ଦିବ୍ୟ’ ଭାଷା ଏବଂ ଦେଶଜ ଓ ପ୍ରାକୃତ ଭାଷାକୁ ‘ଅଦିବ୍ୟ’ ଭାଷା ବୋଲି କୁହାଯାଏ। ‘ଦିବ୍ୟ’ ଓ ‘ଅଦିବ୍ୟ’ ଭାଷାର ସମନ୍ୱୟରେ କାବ୍ୟ ସୌନ୍ଦର୍ଯ୍ୟ ଫୁଟିଉଠେ। କବି ଦୀନକୃଷ୍ଣ ‘ଦିବ୍ୟ’ ଓ ‘ଅଦିବ୍ୟ’ ଭାଷାର ପ୍ରୟୋଗ ସମ୍ପର୍କରେ ସ୍ୱୀୟ ‘ରସ କଲ୍ଲୋଳ’ କାବ୍ୟର ୩୪ ଛାନ୍ଦରେ କହିଛନ୍ତି-

‘କ’ ଅକ୍ଷରେ ହେବ ନିୟମ, କଥାନୋହେ ଦିବ୍ୟ ଅଦିବ୍ୟ ସମ’। କବି ନରସିଂହ ସେଣ ମଧ୍ୟ ସ୍ୱୀୟ ‘ପରିମଳା’ କାବ୍ୟରେ ଦିବ୍ୟ-ଅଦିବ୍ୟ ଭାଷାର କଥା କହିଛନ୍ତି। ସାରଳା ଯୁଗଠାରୁ ପଞ୍ଚସଖା ଯୁଗ ପର୍ଯ୍ୟନ୍ତ ପ୍ରାୟ କବିମାନେ ଦିବ୍ୟ-ଅଦିବ୍ୟ ଭାଷାର ପ୍ରୟୋଗ କରି କାବ୍ୟମାନ ରଚନା କରିଛନ୍ତି। ଭୂପତି ପଣ୍ଡିତ ମଧ୍ୟ ତାଙ୍କର ‘ପ୍ରେମ ପଞ୍ଚାମୃତ’ରେ କହିଛନ୍ତି- ‘ସୁର ଭାଷା ହିଁ ରସମୟେ, ସେ ନାରୀକେଳ ପଳ ପ୍ରାୟେ’। ଅଦିବ୍ୟ ଭାଷା ହେଲା- ‘ଭାଷା ସୁପକ୍ୱ ରମ୍ଭା ପ୍ରାୟେ, କୋମଳ ମୃଦୁ ରସ ମୟେ’ / ଅକ୍ଳେଶ କରି ତା’କୁ ଭୋଗ, ସବୁ ଜୀବନେ ଉପଯୋଗ?

ଦିବ୍ୟ-ଅଦିବ୍ୟ ଭାଷାର ସମନ୍ୱୟରେ କାବ୍ୟ ରଚନା କରି ଭାବପ୍ରକାଶ କରିବାର ପରମ୍ପରା ଦୀନକୃଷ୍ଣଙ୍କଠାରୁ ଆରମ୍ଭ ହୋଇଛି। କବି ଅଭିମନ୍ୟୁ ସାମନ୍ତସିଂହାର ମଧ୍ୟ ସେହି ପରମ୍ପରାକୁ ଅନୁସରଣ କରି ‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ପ୍ରଥମ ଛାନ୍ଦରେ କହିଛନ୍ତି- ‘ଦିବ୍ୟ-ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି, ଦେଖ ମହାଜନ ମାର୍ଗ ପରମ୍ପରା ବିଧି ହେ’। ଅଭିମନ୍ୟୁ ମହାଜନ ମାର୍ଗ ଅର୍ଥାତ ପୂର୍ବ କବିମାନଙ୍କର ମାର୍ଗ ଅନୁସରଣ କରି କାବ୍ୟର ଆବଶ୍ୟକତା ଅନୁସାରେ ଦିବ୍ୟ-ଅଦିବ୍ୟ ଭାଷାର ପ୍ରୟୋଗ କରିଛନ୍ତି। ସଂସ୍କୃତ କବି ରୂପ ଗୋସ୍ୱାମୀଙ୍କର ‘ବିଦଗ୍ଧ ମାଧବ’ ନାଟକରେ ସଂସ୍କୃତ ଓ ପ୍ରାକୃତ ଭାଷା ବ୍ୟବହାର କରି ପାତ୍ରୋଚିତ ସଂଳାପ ରଚନା କରିଛନ୍ତି। ଅଭିମନ୍ୟୁ ରୂପ ଗୋସ୍ୱାମୀଙ୍କୁ ଅନୁସରଣ କରିଥିବାରୁ ଦିବ୍ୟ-ଅଦିବ୍ୟ ଭାଷାର ବ୍ୟବହାର କରି କାବ୍ୟ ଶ୍ରୀବର୍ଦ୍ଧନ କରିଛନ୍ତି। ତେଣୁ ‘ମହାଜନ’ ଶବ୍ଦ ପ୍ରୟୋଗ ମାଧ୍ୟମରେ ସେ ରୂପ ଗୋସ୍ୱାମୀଙ୍କୁ ଲକ୍ଷ୍ୟ କରିଥିବା ଅନୁମାନ କରାଯାଇ ପାରେ ବୋଲି ବିଶିଷ୍ଟ ସମାଲୋଚକ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ମତବ୍ୟକ୍ତ କରିଛନ୍ତି। ତତ୍‌‌ସମ ଶବ୍ଦ ବା ସାଧୁ ଶବ୍ଦ ସହିତ ଦେଶଜ ଶବ୍ଦର ଏବଂ ସଂସ୍କୃତ ଶବ୍ଦ ସହିତ ପ୍ରାକୃତ ଶବ୍ଦର ସଂଯୋଗ କରି କବି ‘ମଣିକାଞ୍ଚନ ବା ପୁଷ୍ପପଲ୍ଲକ’ ଯୋଗ କରିଛନ୍ତି। ଏଥିସହିତ କାବ୍ୟ ମଧ୍ୟରେ ବର୍ଣ୍ଣନା ବୈଚିତ୍ର୍ୟ, ଆଳଙ୍କାରିକ ସୁଷମା, ରସରମ୍ୟତା ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ନିମ୍ନରେ କେତୋଟି ଦୃଷ୍ଟାନ୍ତ ପ୍ରଦତ୍ତ ହେଲା-

‘ଭଙ୍ଗି ବିଷୟରେ କୃଷ୍ଣଗଣ୍ଠିଆ, କାହା କଟିସ୍ଥିତ ଦେଖି ମାଠିଆ, ବୋଲନ୍ତି ବନ୍ଧୁ ମୁଁ ତୋର ବେଠିଆ, ପାଣି ଆଣିବାକୁ ମୋତେ ପଠିଆ ଗୋ, ଶୁଣି ଗୋପୀ ହୋଇ ଠିଆ ଯେ, ହସିଲା ଭାଷିଲା ବଢ଼଼ିଲାକୁ କାହ୍ନୁ, ହେଲୁ ଏଡ଼େ ଅପାଠିଆ ଯେ’ (୩ୟ ଛାନ୍ଦ)।

ପୁନଶ୍ଚ ‘ବିଦଗ୍ଧ ଚିନ୍ତାମଣି’ର କୃଷ୍ଣଙ୍କର ବଂଶୀ ପ୍ରାପ୍ତି ସମ୍ପର୍କରେ କବି କହିଛନ୍ତି-

‘ଟୋକୀ କେ ଗୋପେ ରହିବେ ତା’ ଶୁଣି / ଟାଉଟାରହେବେ ସୁର ରମଣୀ / ଟଳଟଳ ହେବ ମେରୁ ଭୂଧର / ଟିକି ଦିନୁ ହେବେ କିଣା ତୁମ୍ଭର / ଟହକ ହାସୀ କିଶୋରୀ ମନ / ଟବ ପରିରସେ ବୁଡ଼ିବ ଘେନ’। (୧୭ଶ ଛାନ୍ଦ)

‘ମୀନ ଛଟ କେ ଝଟକ ନେତ୍ର ପୁଟଳ ଅଟକ, ନାଟକ ପଠିନୀ ଲାଜେ ଗୋତୁଁ ଲପନ’(୩୦ ଛାନ୍ଦ)।

ଦିବ୍ୟ-ଅଦିବ୍ୟ ଭାଷାର ଚମତ୍କାର ପ୍ରୟୋଗର ଏହିଭଳି ଅନେକ ଉଦାହରଣ ‘ବିଦଗ୍ଧ ଚିନ୍ତାମଣି’ର ଛତ୍ରେ ଛତ୍ରେ ରହିଛି। ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ବୃନ୍ଦାବନରେ ଗୋଚାରଣ କରୁଥିବା ସମୟରେ ନାନାବିଧ ଖେଳକୌତୁକରେ ସମୟ ଅତିବାହିତ କରୁଥିଲେ। ସେହି କ୍ରୀଡ଼ାକୌତୁକର ମନୋଜ୍ଞ ଓ ପ୍ରାଣସ୍ପର୍ଶୀ ଉଦାହରଣ ଦେବାକୁ ଯାଇ କବି ଦିବ୍ୟ-ଅଦିବ୍ୟ ଭାଷାରେ ପାହାଡ଼ିଆ କେଦାର ରାଗରେ ଲେଖିଛନ୍ତି –

‘ପୋଏ ସଜାଡ଼ି କାଛଟା ଭିଡ଼ି ଧାଡ଼ିକି ଧାଡ଼ି ଆଗେ ଦଉଡ଼ି / ଯୋଡ଼ିକି ଯୋଡ଼ି ବୁଲାନ୍ତି ବାଡ଼ି ତନୁକୁ ଆଡ଼ି ଯେ। କେହୁ ଘଉଡ଼ି ନିଆଇ ତଡ଼ି କେହୁ ବାହୁଡ଼ି ମାରଇ ଓଡ଼ି / ବାହୁକୁ ମୋଡ଼ି ଛାଡ଼ଇ ରଡ଼ି ଶିରକୁ ଝାଡ଼ି ଯେ। କେମାଲ ବିନ୍ଧାଣରେ ଯାଉଛି ଗଡ଼ି ଯେ। କେ କାହା ଉପରେ ପୁଣି ବସଇ ମାଡ଼ି ଯେ। କେ ମୋଡ଼ାମୋଡ଼ି କେ ଭିଡ଼ାଭିଡ଼ି କେ ଜଡ଼ାଜଡ଼ି / କେ ଛଡ଼ାଛଡ଼ି କେ ପଡ଼ାପଡ଼ି କେ କୋଡ଼ାକୋଡ଼ି କେ ହୁଡ଼ାହୁଡ଼ି ଯେ’।’ (ବିଦଗ୍ଧ ଚିନ୍ତାମଣି -୬୫ ଛାନ୍ଦ)

ସେହିପରି ବାତ୍ସଲ୍ୟ ରସ ସୃଷ୍ଟି କଲାବେଳେ କବି ଯେପରି ଦିବ୍ୟ-ଅଦିବ୍ୟ ଭାଷାର ପ୍ରୟୋଗପୂର୍ବକ ଏକ ପୁତ୍ରବିରହ ବିଧୁରା ଜନନୀ ହୃଦୟର ସ୍ୱାଭାବିକ ବ୍ୟାକୁଳତାକୁ ପ୍ରକାଶ କରିଛନ୍ତି, ତାହାର ମଧ୍ୟ ଅନନ୍ୟ ବର୍ଣ୍ଣନା ‘ବିଦଗ୍ଧ ଚିନ୍ତାମଣି’ର ୬୭ ଛାନ୍ଦରେ ରହିଛି। ଏଠାରେ ଯଶୋଦାଙ୍କ ଆକୁଳତା ବର୍ଣ୍ଣନା କରିବାକୁ ଯାଇ କବି କହିଛନ୍ତି-

‘ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ। ଜନକ ଜନନୀ ସୁଖ କାହିଁ ପାଇଁ ସାରୁ, ମୋ କଳାମାଣିକରେ / ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ। ହୃଦତାପ ବିନାଶନେ ତୁ ହରିଚନ୍ଦନ, ମୋ କଳାମାଣିକରେ’।

ଏପରିକି ଗୋଟିଏ ପଦରେ ମଧ୍ୟ ଦିବ୍ୟ-ଅଦିବ୍ୟ ଭାଷାର ପ୍ରୟୋଗ କରି କବି କାବ୍ୟ ସୌନ୍ଦର୍ଯ୍ୟବର୍ଦ୍ଧନ କରିଛନ୍ତି। କବି କହିଛନ୍ତି- ‘ଲୁଠ ଅଳିକର କୋଳି ପାଇଁ ଯଶୋଦାଙ୍କୁ / ଲୋଲୁପ ଗୋପୀ ବଦନାମ୍ବୁଜ ପୀୟୂଷକୁ ହେ’। ଏଠାରେ ପଦଟିର ପ୍ରଥମ ପାଦଟି ଅଦିବ୍ୟ ଭାଷା ଓ ଦ୍ୱିତୀୟ ପାଦଟି ଦିବ୍ୟ ଭାଷା। ଉଭୟର ସମନ୍ୱୟରେ କବି ପାଠକ ହୃଦୟକୁ ବେଶ୍‌‌ ପ୍ରଭାବିତ କରିଛନ୍ତି। ‘ବିଦଗ୍ଧ ଚିନ୍ତାମଣି’ର ୪୮ ଛାନ୍ଦରେ ମଧ୍ୟ କମନୀୟ ବର୍ଣ୍ଣନା ଦେଇଛନ୍ତି ବିଦଗ୍ଧ କବି। ଯଥା- ‘ଦିନେ ମୋ ନେତ୍ର ପଥରେ, ପଡ଼ିଗଲା ବାଙ୍କଚୂଳିଆ ଥରେ ଗୋ। ଆଜିଯାଏ ମୋ ହୃଦୟ ଥରେ ସଜନି ଗୋ। (୮)

ଅଭିମନ୍ୟୁ ଦିବ୍ୟ-ଅଦିବ୍ୟ ଭାଷାର ଏକ ଅପୂର୍ବ ସମନ୍ୱୟର ଯେଉଁ ବଳିଷ୍ଠ ପରମ୍ପରା ସୃଷ୍ଟି କରିଗଲେ ତାହା ପରବର୍ତ୍ତୀ କବିଙ୍କୁ ନାନା ଭାବରେ ପ୍ରଭାବିତ କରିଛି। ସେ ଉତ୍କଳ ଭାରତୀଙ୍କର ସୁଯୋଗ୍ୟ ସନ୍ତାନ। ଓଡ଼ିଆ ଭାଷା ସାହିତ୍ୟ ଥିବା ପର୍ଯ୍ୟନ୍ତ ସେ ରହିବେ ଅମର ଓ ଆୟୁଷ୍ମାନ। ତାଙ୍କର ପବିତ୍ର ଜୟନ୍ତୀରେ ମୁଁ ତାଙ୍କୁ ଭକ୍ତିପୂତ ପ୍ରଣତି ଅର୍ପଣ କରୁଛି।
ଜୟ ଶ୍ରୀରାଧାମୋହନ
ବନ୍ଦେ ଉତ୍କଳ ଜନନୀ।

ଡ. ଅଭିମନ୍ୟୁ ବରାଳ
ସାକ୍ଷୀଗୋପାଳ, ମୋ: ୯୯୩୭୮୩୫୨୩୦