'ପୁଷ୍ପାରାଜ'ଙ୍କ ଗିରଫକୁ ନେଇ ରାଜନୀତି; ମୁଖ୍ୟମନ୍ତ୍ରୀ କହିଲେ ଆଇନ ଆଗରେ ସମସ୍ତେ ସମାନ
ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତାଙ୍କୁ ଜଣେ ସାଧାରଣ ଅପରାଧୀ ଭାବରେ ବ୍ୟବହାର କରିବା ଅନୁଚିତ କହିଲେ କେଟିଆର୍। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଲେ ତଦନ୍ତରେ କେହି ହସ୍ତକ୍ଷେପ କରିବେ ନାହିଁ।
ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ପୁଷ୍ପାରାଜ ଅଲ୍ଲୁ ଅର୍ଜୁନ ଗିରଫ ହେବାକୁ ନେଇ ତେଜିଛି ରାଜନୀତି। ସାଉଥ ସୁପରଷ୍ଟାରଙ୍କୁ ଗିରଫ କରି ଆଜି କୋର୍ଟରେ ହାଜର କରିଥିଲା ପୁଲିସ। ପରେ ତାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇଛନ୍ତି କୋର୍ଟ। ଯାହାକୁ ନେଇ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରକୁ ଟାର୍ଗେଟ କରିଛି ତେଲେଙ୍ଗାନାର ବିରୋଧୀ ଦଳ BRS। ଅନ୍ୟପଟେ ଆଇନ ଆଗରେ ସମସ୍ତେ ସମାନ ବୋଲି ସଫେଇ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ।
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଭାରତ ରାଷ୍ଟ୍ର ସମିତିର କାର୍ଯ୍ୟକାରୀ ସଭାପତି କେ.ଟି ରାମା ରାଓ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରି ତାଙ୍କ ଗିରଫକୁ କଂଗ୍ରେସ ଶାସନରେ ଅସୁରକ୍ଷିତତାର ଚରମ ସୀମା ବୋଲି କହିଛନ୍ତି। ସେ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଦଳାଚକଟାରେ ପୀଡିତଙ୍କ ପ୍ରତି ମୋର ସମ୍ପୂର୍ଣ୍ଣ ସହାନୁଭୂତି ଅଛି, କିନ୍ତୁ ପ୍ରକୃତରେ ଏଥିରେ ବିଫଳ କିଏ? ଅଲ୍ଲୁ ଅର୍ଜୁନଙ୍କ ଭଳି ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତାଙ୍କୁ ଜଣେ ସାଧାରଣ ଅପରାଧୀ ଭାବରେ ବ୍ୟବହାର କରିବା ଅନୁଚିତ। ବିଶେଷକରି ଏପରି କିଛି କାରଣ ପାଇଁ, ଯେଉଁଥିରେ ସେ ସିଧାସଳଖ ଦାୟୀ ନୁହଁନ୍ତି।
ଅନ୍ୟପଟେ ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ଏକ ଆଧିକାରୀକ ବିବୃତ୍ତି ଜାରି କରି ସେ କହିଛନ୍ତି ଯେ, ଆଇନ ତା'ର ଉଚିତ୍ କାର୍ଯ୍ୟ କରିବ। ଏହି ମାମଲାର ତଦନ୍ତରେ କେହି ହସ୍ତକ୍ଷେପ କରିବେ ନାହିଁ। ଅଭିନେତାଙ୍କ ଗିରଫଦାରୀରେ ତାଙ୍କର କିମ୍ବା ତାଙ୍କ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ସେ ସଫେଇ ଦେଇଛନ୍ତି। ଏହି ଘଟଣାରେ ରାଜନୀତି କରିବାର କାରଣ ନାହିଁ, ଆଇନ ଆଗରେ ସମସ୍ତେ ସମାନ ବୋଲି ସେ କହିଛନ୍ତି।
କ'ଣ ଥିଲା ପୂରା ମାମଲା
ଡିସେମ୍ବର ୪ରେ ଏହି ବହୁ ଚର୍ଚ୍ଚିତ ଫିଲ୍ମର ପ୍ରିମିୟର ସମୟରେ ହାଇଦ୍ରାବାଦସ୍ଥିତ ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ଜଣେ ମହିଳାଙ୍କର ମତ୍ୟୁ ହୋଇଥିଲା। ଏହି ସମୟରେ ମୃତ ମହିଳାଙ୍କ ୯ ବର୍ଷର ପୁଅ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛି। ପ୍ରିମିୟର ଶୋ'ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଏହି ଦଳଚକଟା ସ୍ଥିତି ଉପୁଜିଥିଲା। ହେଲେ ଥିଏଟର ପରିଚାଳନା କିମ୍ବା ଅଭିନେତାଙ୍କ ପକ୍ଷରୁ ପୁଲିସକୁ ଆଗରୁ କୌଣସି ସୂଚନା ଦିଆଯାଇନଥିଲା ଯେ ସେମାନେ ଏଠାକୁ ଆସିବେ। ଯାହା ଫଳରେ ପୁଲିସ ଆଗୁଆ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲା। ଘଟଣାକୁ ନେଇ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ ପରେ ଆଜି ସେ ଗିରଫ ହୋଇ ଜେଲକୁ ଯାଇଛନ୍ତି।