ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା; ରାସ୍ତାକଡ଼ରୁ ମିଳିଲା ମୃତଦେହ

ଚିତ୍ତରଞ୍ଜନ ରାଉତ ଗତ ରାତିରେ ନିଜ ଗାଁରେ ହେଉଥିବା ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରୁ ସେ ଏକୁଟିଆ ଘରକୁ ଫେରୁଥିଲେ ମଧ୍ୟ ରାତିରେ ଘରେ ପହଞ୍ଚି ନ ଥିଲେ।

ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା; ରାସ୍ତାକଡ଼ରୁ ମିଳିଲା ମୃତଦେହ

ରାତିର ଅନ୍ଧକାରରେ ପୂର୍ବତନ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ହାଣିଦେଲେ। ଫଳରେ ରାସ୍ତା ଉପରେ ଛଟପଟ ହୋଇ ସେ ଆଖି ବୁଜିଲେ । ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁରେ ଘଟିଛି। ମୃତକ ହେଲେ ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳୀ ସମବାୟ ସେବା ସମିତିର ସଭାପତି ଚିତ୍ତରଞ୍ଜନ ରାଉତ ।

ଚିତ୍ତରଞ୍ଜନ ରାଉତ ଗତ ରାତିରେ ନିଜ ଗାଁରେ ହେଉଥିବା ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରୁ ସେ ଏକୁଟିଆ ଘରକୁ ଫେରୁଥିଲେ ମଧ୍ୟ ରାତିରେ ଘରେ ପହଞ୍ଚି ନ ଥିଲେ।

Crime Spotଘଟଣାସ୍ଥଳରେ ଲୋକଙ୍କ ଭିଡ଼ ।

ପରିବାର ଲୋକେ ସକାଳେ ଖୋଜାଖୋଜି କରି ଘରଠାରୁ କିଛି ଦୂରରେ ଥିବା ଏକ ନାଳ ନିକଟରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛନ୍ତି।ମୁଣ୍ଡର ପଛ ପଟେ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି।

ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚିତ୍ତରଞ୍ଜନଙ୍କୁ କିଛି ଲୋକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଏପରି ଏକ ହତ୍ୟାକାଣ୍ଡ ପଛର କାରଣ କ’ଣ ଓ କିଏ ଏହି ଷଡଯନ୍ତ୍ର ରଚିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ପରିବାର ଲୋକେ ଏନେଇ କିଛି କହି ପାରୁ ନାହାନ୍ତି। ଚିତ୍ତରଞ୍ଜନଙ୍କର କାହା ସହ କିଛି ଶତ୍ରୁତା ନ ଥିବାରୁ ସେମାନେ କାହାକୁ ସନ୍ଦେହ କରି ପାରୁ ନାହାନ୍ତି। ତେବେ ଅଭିଯୁକ୍ତଙ୍କୁ ଧରି କଡ଼ା ଶାସ୍ତି ଦେବାକୁ ସେମାନେ ଦାବି କରିଛନ୍ତି।