ପୋଡ଼ପିଠା-ଖିଲିପାନର ମଜା ଭିତରେ ଜମିଲା ପହିଲି ରଜ

ବଢ଼ିଆ ପାଗ ସାଙ୍ଗକୁ ଦୋଳି ଖେଳ । ପରିବେଶକୁ ରଙ୍ଗୀନ କଲା ରଜ ମହୋତ୍ସବ ସହ ପାରମ୍ପରିକ ଖେଳ ।

ପୋଡ଼ପିଠା-ଖିଲିପାନର ମଜା ଭିତରେ ଜମିଲା ପହିଲି ରଜ

ଆସିଛି ରଜ, ସାଙ୍ଗରେ ଆଣିଛି ଉତ୍ସାହ। ଆଜି ପହଲି ରଜରେ ଉତ୍ସବମୁଖର ଗାଁଠୁ ସହର। କୁଆଁରୀ ଝିଅ ଓ ନବ ବିବାହିତାଙ୍କ ପାଇଁ ମଉଜର ନିଆରା ଅବସର। ଆଜି ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ସାଜସଜା ସହ ମନରେ ଅସରନ୍ତି ଉତ୍ସାହ ନେଇ ରଜ ପାଳୁଛନ୍ତି କୁମାରୀ ଝିଅ। ପାଦରେ ଅଳତା, ମଥାରେ କୁଙ୍କୁମ ଆଉ ହାତରେ ରଙ୍ଗୀନ ମେହେନ୍ଦିର କାରୁକାର୍ଯ୍ୟ। ସାହି ସାହି ଓ ଗଳି ଗଳି, ଆମ୍ବ ତୋଟା ଆଉ ଖୋଲା ପଡ଼ିଆରେ ଲାଗିଥିବା ଦୋଳି ପାଖରେ ଏକାଠି ହୋଇଥିଲେ ଝିଅ ବୋହୁ। ଆଉ ତା ପରେ ଆରମ୍ଭ ହୋଇଥିଲା ରଜ ଗୀତ ସାଙ୍ଗକୁ ରଜ ଦୋଳିର ମଜା...।

କୃଷି ଭିତ୍ତିର ପର୍ବ ରଜରେ ଆଜି ଉଚ୍ଛୁଳୁ ଉଠିଥିଲା ପଲ୍ଲୀପ୍ରାଣ । ଖାଲି ଝିଅ ବୋହୁ ନୁହଁନ୍ତି, ରଜ ପର୍ବକୁ ନେଇ ପିଲାଠୁ ବୟସ୍କଙ୍କ ଯାଏଁ ସମସ୍ତଙ୍କ ମନରେ ଥିଲା ଆଗ୍ରହ। ବିଶେଷକରି ଆଜି ପାଗ ଅନୁକୂଳ ଥିବାରୁ ଉଭୟ ଗାଁ ଓ ସହରୀ ପରିବେଶରେ ବେଶ୍ ଜମିଥିଲା ରଜ ମଉଜ। ଏହି ଅବସରେ କେଉଁଠି ପଶାପାଲି, ତାସ୍, ଲୁଡୁ ଖେଳ...ତ ଆଉ କେଉଁଠି ବାଗୁଡ଼ି, ପୁଚି ଓ ଭଳିକି ଭଳି ଦୋଳିର ମଜା ନେଉଥିଲେ ସମସ୍ତେ।

ରଜ ପର୍ବର ଅନ୍ୟତମ ଆକର୍ଷଣ ପିଠା, ପିଠା ଓ ପାନ। ଏସବୁ ବିନା ରଜର କିଛି ବି ମାନେ ନଥାଏ। ଆଜି ପହଲି ରଜରେ ଘରେ ଘରେ ଦେଖିବାକୁ ମିଳିଥିଲା ଭଳିକି ଭଳି ସୁଆଦିଆ ପିଠା ଓ ମିଠାର ସମ୍ଭାର। ତା ସାଙ୍ଗକୁ ଛକ ବଜାରରେ ଛୁଟୁଥିଲା ସୁବାସିତ ପାନର ମହକ। ରଜ ବଜାରରେ ସାଦା, ବିଡ଼ିଆ ଓ ଦାମୀ ପାନ ଖାଇ ଅନେକ ପାଟିକୁ ଲାଲ କରିଥିବା ଦେଖିବାକୁ ମିଳିଥିଲା।

ଏପଟେ ରଜ ୩ ଦିନ ଧରି ଚାଲିବାକୁ ଥିବାରୁ ଉଭୟ ଗାଁ ଓ ସହରରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଛି ଭଳିକି ଭଳି ପ୍ରତିଯୋଗିତା । ତା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ବି ରଜ ମାହୋଲକୁ ଆହୁରି ରଙ୍ଗୀନ କରିଛି।