ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି ଅସୁଲିରେ ହୋଇଥିବା ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବୁକ୍‌କୁ ଟାମ୍ପରିଂ କରି ବ୍ୟାପକ ଅନିୟମିତତା କରିଥିବା ଜଣାପଡ଼ିଛି। ଅସୁଲି ହୋଇଥିବା ୟୁଜର୍ସ ଫି’ର ସମୁଦାୟ ଟଙ୍କାରୁ ୯୦ପ୍ରତିଶତ ଆତ୍ମସାତ୍‌ କରି ବାକି ୧୦ପ୍ରତିଶତ ପୌର ପରିଷଦରେ ଜମା କରିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କେବଳ ସେତିକି ନୁହେଁ, ସମ୍ପୃକ୍ତ କର୍ମଚାରୀମାନେ ଅନେକ […] The post ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ appeared first on Dharitri Odia News.

ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି ଅସୁଲିରେ ହୋଇଥିବା ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବୁକ୍‌କୁ ଟାମ୍ପରିଂ କରି ବ୍ୟାପକ ଅନିୟମିତତା କରିଥିବା ଜଣାପଡ଼ିଛି। ଅସୁଲି ହୋଇଥିବା ୟୁଜର୍ସ ଫି’ର ସମୁଦାୟ ଟଙ୍କାରୁ ୯୦ପ୍ରତିଶତ ଆତ୍ମସାତ୍‌ କରି ବାକି ୧୦ପ୍ରତିଶତ ପୌର ପରିଷଦରେ ଜମା କରିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କେବଳ ସେତିକି ନୁହେଁ, ସମ୍ପୃକ୍ତ କର୍ମଚାରୀମାନେ ଅନେକ ରସିଦ୍‌ ବୁକ୍‌ ପୌର ପରିଷଦରେ ଜମା ମଧ୍ୟ ଦେଇ ନାହାନ୍ତି। ପୌରାଧ୍ୟକ୍ଷା କଳ୍ପନା ମାଝି ଏହା ଜାଣିବା ପରେ ୫ଜଣିଆ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ରିପୋର୍ଟ ମିଳିବା ପରେ ପୌରାଧ୍ୟକ୍ଷା ମାଝି ଏହି କେଳେଙ୍କାରୀ ବିରୋଧରେ ବିହିତ କାର୍ଯାନୁଷ୍ଠାନ ନେବା ପାଇଁ ବୁଧବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ସେହିପରି ଅନିୟମିତତାରେ ସମ୍ପୃକ୍ତ କର୍ମଚାରୀ ଏକ୍ସପର୍ଟ ଇନ୍ସପେକ୍ଟରଙ୍କ ଚ୍ୟାମ୍ବରରେ ପୌରାଧ୍ୟକ୍ଷା ମାଝି ଏବଂ ଅନ୍ୟ କାଉନସିଲରମାନେ ବୁଧବାର ତାଲା ମାରି ଦେଇଛନ୍ତି। ତାଲା ମାରିବା ପରେ ଚାବିକୁ ପୌର ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇଙ୍କୁ ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ପୌର ପରିଷଦ ଅଞ୍ଚଳରେ ରହିଥିବା ଘର, ଦୋକାନ, ମଲ୍‌ ଆଦିରୁ ପ୍ରତିମାସ ୟୁଜର୍ସ ଫି ସଂଗ୍ରହ କରାଯାଇଥାଏ। ଏଥିପାଇଁ ପୌର ପରିଷଦ ପକ୍ଷରୁ କେତେଜଣ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କେତେକ କର୍ମଚାରୀ ତାହା ସଂଗ୍ରହ କରୁଥିବାବେଳେ ସଂଗୃହୀତ ରାଶି ଏବଂ ୟୁଜର୍ସ ଫି ପାଇଁ ଉଦ୍ଦିଷ୍ଟ ରସିଦ ବୁକ୍‌ ଅନ୍ୟ କେତେକ କର୍ମଚାରୀଙ୍କ ପାଖରେ ରହିଥାଏ। ତେବେ ୟୁଜର୍ସ ଫି ଦେଉଥିବା ଦୋକାନୀ ତଥା ଲୋକେ ଠିକ୍‌ ଭାବେ ପ୍ରଦାନ କରୁଥିବାବେଳେ ସମ୍ପୃକ୍ତ କେତେଜଣ କର୍ମଚାରୀ ଉଦ୍ଦିଷ୍ଟ ରସିଦକୁ ଚତୁରତାର ସହିତ ଟାମ୍ପରିଂ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍‌ କରିବା ଭଳି ତଥ୍ୟ ପଦାକୁ ଆସିଛି। ଦୃଷ୍ଟାନ୍ତ ସ୍ବରୂପ ୟୁଜର୍ସ ଫି ରସିଦ ବୁକ୍‌-୨୩, ରସିଦ କ୍ରମାଙ୍କ-୧୭ରେ ଗତ ୨୦୨୩ ଜୁନ ୯ତାରିଖ ୨ହଜାର ଟଙ୍କା ୟୁଜର୍ସ ଫି ଅସୁଲି ହୋଇଛି। ୟୁଜର୍ସ ଫି ଦେଇଥିବା ଲୋକଙ୍କୁ ସେହି ପରିମାଣର ଠିକ୍‌ ରସିଦ ମଧ୍ୟ ଦିଆଯାଇଛି। କିନ୍ତୁ ପୌର ପରିଷଦରେ ଜମା ହୋଇଥିବା ୟୁଜର୍ସ ଫି ଖାତାର ସେହି ରସିଦ୍‌ କପିରେ ତାକୁ ୨ଶହ ଟଙ୍କା ଭାବେ ଉଲ୍ଳେଖ କରାଯାଇଛି। ଅର୍ଥାତ୍‌ ୨୦୦୦ ଟଙ୍କାରୁ ଗୋଟିଏ ଶୂନକୁ ଚତୁରତାର ସହିତ ନିଭାଇ ଦିଆଯାଇଛି।
କେବଳ ସେହି ଗୋଟିଏ ରସିଦ୍‌ ନୁହେଁ। ତଦନ୍ତ ପରେ ଅନେକ ରସିଦରେ ଏଭଳି ହୋଇଥିବା ଏବଂ ବହୁତ ରସିଦ ବୁକ୍‌ର ଥଳକୁଳ ମିଳୁ ନ ଥିବା ଜଣାପଡ଼ିଛି। ତଦନ୍ତ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ୭୮ ରସିଦ ବୁକ୍‌ ମଧ୍ୟରୁ ସମ୍ପୃକ୍ତ କର୍ମଚାରୀମାନେ ଏପର୍ଯ୍ୟନ୍ତ ୧୦ଟି ରସିଦ୍‌ ବୁକ୍‌ ତଦନ୍ତ କମିଟି ପାଖରେ ଜମା କରିନାହାନ୍ତି। ଅନ୍ୟପଟେ ୧୮ଟି ରସିଦ୍‌ ବୁକ୍‌ ଠିକ୍‌ଥିବାବେଳେ ବାକି ୫୦ଟି ରସିଦ୍‌ ବୁକ୍‌ରେ ଟାମ୍ପରିଂ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରୁ ୟୁଜର୍ସ ଫି ଅସୁଲିରେ ସମ୍ପୃକ୍ତ କର୍ମଚାରୀମାନେ କେତେ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବେ, ତାହା ସହଜରେ ଅନୁମେୟ। ତେବେ ଏ ଦିଗରେ ପ୍ରଶାସନ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କିଭଳି କାର୍ଯାନୁଷ୍ଠାନ ନେଉଛି, ତାହା ଆଗାମୀ ଦିନ ଜଣାପଡ଼ିବ।

The post ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ appeared first on Dharitri Odia News.