ପ୍ରତି ଜିଲ୍ଲାରେ ପଡ଼ିରହିଛି ୧୦ ଲକ୍ଷ ଟଙ୍କା, ନିଶାମୁକ୍ତ ସମାଜ ଗଠନ ପାଇଁ ଆଗ୍ରହ ଦେଖାଉନାହାନ୍ତି ଅଧିକାରୀ

ଭୁବନେଶ୍ବର : ନିଶା ଏବେ ସାମାଜିକ ବ୍ୟଧି ଭାବେ କାୟା ବିସ୍ତାର କରିଚାଲିଛି। ମଦ, ପାନ, ବିଡି, ସିଗାରେଟ୍‍ ପରେ ବ୍ରାଉନସୁଗର, ଗଞ୍ଜେଇ, ଇ-ସିଗାରେଟ, ଡେନ୍‍ଡ୍ରାଇଟ୍‍ ଓ କୋକେନ୍‍ ଭଳି ମାରାତ୍ମକ ନିଶା ପ୍ରେମରେ ପଡ଼ିଛନ୍ତି ନିଶାଡ଼ି। ଆମ ରାଜ୍ୟ ଓଡ଼ିଶାରେ ଦିନକୁ ଦିନ ନିଶା କାରବାର ବଢ଼଼ିଗଲାଣି। ହାତ ପାହାନ୍ତାରେ ଏସବୁ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏଣୁ ନିଶା କାରବାର ସହ ସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି। ତେବେ ଏଭଳି […]

ପ୍ରତି ଜିଲ୍ଲାରେ ପଡ଼ିରହିଛି ୧୦ ଲକ୍ଷ ଟଙ୍କା, ନିଶାମୁକ୍ତ ସମାଜ ଗଠନ ପାଇଁ ଆଗ୍ରହ ଦେଖାଉନାହାନ୍ତି ଅଧିକାରୀ
The number of young victims of drug addiction is increasing

ଭୁବନେଶ୍ବର : ନିଶା ଏବେ ସାମାଜିକ ବ୍ୟଧି ଭାବେ କାୟା ବିସ୍ତାର କରିଚାଲିଛି। ମଦ, ପାନ, ବିଡି, ସିଗାରେଟ୍‍ ପରେ ବ୍ରାଉନସୁଗର, ଗଞ୍ଜେଇ, ଇ-ସିଗାରେଟ, ଡେନ୍‍ଡ୍ରାଇଟ୍‍ ଓ କୋକେନ୍‍ ଭଳି ମାରାତ୍ମକ ନିଶା ପ୍ରେମରେ ପଡ଼ିଛନ୍ତି ନିଶାଡ଼ି। ଆମ ରାଜ୍ୟ ଓଡ଼ିଶାରେ ଦିନକୁ ଦିନ ନିଶା କାରବାର ବଢ଼଼ିଗଲାଣି। ହାତ ପାହାନ୍ତାରେ ଏସବୁ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏଣୁ ନିଶା କାରବାର ସହ ସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି। ତେବେ ଏଭଳି ମାରାତ୍ମକ ନିଶାରେ ଅଧିକ ମତୁଆଲା ହେଉଛନ୍ତି ଯୁବପିଢ଼ି। ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ସ୍ଥିତି ବିଗିଡ଼ିଗଲାଣି ।

ନିଶା କାରବାର ହଟାଇବା ସହ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଗଢ଼ି ତୋଳିବାକୁ ଯୋଜନା କରାଯାଇଛି କିନ୍ତୁ ତାହା ଏବେ କୋମାକୁ ଚାଲିଗଲାଣି। କେବଳ ବିଶ୍ୱ ତମାଖୁ ବର୍ଜନ ଓ ନିଶା ନିବାରଣ ଦିବସ ଆସିଲେ ସଭା, ସମିତି, ରାଲି ଓ ଧାରଣା ଆଦି ଗୋଟିଏ ଦିନ ପାଳନ କରାଯାଇଥାଏ। ହେଲେ ପରେ ସବୁ ବନ୍ଦ ହୋଇଯାଇଥାଏ। ତେବେ ଯଥା ପୂର୍ବଂ ତଥାପରଂ ନାରାରେ ସେଭଳି ନିଶା କାରବାର ଜାରି ରହିଥାଏ।

ଏହାରି ଭିତରେ ସବୁଠୁ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ପାଇଁ ଦେଶବ୍ୟାପୀ ନିଶା ମୁକ୍ତ ଭାରତ ଅଭିଯାନ (ଏନ୍‌ଏମ୍‌ବିଏ) ନାମରେ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ଭାରତ ସରକାର ପ୍ରତି ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି। କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଜିଲ୍ଲା ସ୍ତରରେ ସାମାଜିକ ସୁରକ୍ଷା ଅଧିକାରୀମାନେ ଆଗ୍ରହ ଦେଖାଉ ନାହାନ୍ତି ଏବଂ ସେମାନଙ୍କ ଜିଲ୍ଲାପାଳମାନେ ମଧ୍ୟ ଏ ନେଇ କିଛି ଖୋଜ ଖବର ନେଉ ନାହାନ୍ତି। ଜିଲ୍ଲାକୁ ଦିଆଯାଇ ଥିବା ୧୦ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଡି ରହିଛି। ଯାହାକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସୂଚନା ଅନୁସାରେ ଲୋକଙ୍କ ମଧ୍ୟରେ ନିଶା ଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ସଚେନତା ସୃଷ୍ଟି ସହିତ ନିଶା ଦ୍ରବ୍ୟର ଆବଶ୍ୟକତା ଓ ସେବନ ହ୍ରାସ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ଏଥିସହ ନିଶା ନିବାରଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାର ଥିଲା। ଛୋଟ ପିଲା, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଏଥିରେ ସାମିଲ କରି ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ପ୍ରବର୍ତ୍ତାଯିବ। ଏହି କାମରେ ଏସ୍‌ଏସ୍‌ଇପିଡି ବିଭାଗ, ଅବକାରୀ ବିଭାଗ ସହିତ ବିଭିନ୍ନ ସାମାଜିକ, ବେସରକାରୀ ଏବଂ ଅଧ୍ୟାତ୍ମିକ ଅନୁଷ୍ଠାନଙ୍କୁ ସାମିଲ ପାଇଁ କୁହାଯାଇଥିଲା। ସମସ୍ତ ଭାଗିଦାରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜନ ଲାଗି ବ୍ୟବସ୍ଥା ଅଛି। ପୂରା ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାର ମାର୍ଗଦର୍ଶୀକା ଜାରି କରିଥିବା ବେଳେ ସେହି ଅନୁସାରେ ପଦକ୍ଷେପ ନେବା ଲାଗି ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କାମ ଠିକ୍‌ ଭାବେ ଚାଲିଛି କି ନାହିଁ ତାହା ତଦାରଖ କରିବା ଲାଗି ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି।

ସେହିପରି ବିଷୟବସ୍ତୁକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନୀ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଯୋଜନା ଏବଂ ପାଣ୍ଠି ସମ୍ପର୍କରେ ବିଭାଗ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଗତ ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଲାଣି। କିନ୍ତୁ ବିଡ଼ମ୍ବନା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି। ୧୦ ଲକ୍ଷ ଟଙ୍କା ଦିଆଯିବା ସତ୍ତେ ଏହାକୁ ବ୍ୟାଙ୍କରୁ ଉଠାଇ କାମରେ ଲଗାଇବା ପାଇଁ ଅଧିକାରୀମାନେ ପଛଘୁଞ୍ଚା ଦେଉଛନ୍ତି। ଏନେଇ ଶୁକ୍ରବାର ଏସ୍‌ଏସ୍‌ଇପିଡି ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି କ୍ଷୋଭ ପ୍ରକାଶ କରିବା ସହ ଯଥାଶୀଘ୍ର ୧୦ ଲକ୍ଷ ଟଙ୍କା କାମରେ ଲଗାଇବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି। ନଭେମ୍ବର ୨୫ ତାରିଖ ସୁଦ୍ଧା ଅନୁମୋଦିତ ପାଣ୍ଠି ବ୍ୟୟ କରି ବିନିଯୋଗ ପ୍ରମାଣପତ୍ର ବିଭାଗକୁ ପ୍ରଦାନ କରିବା ଲାଗି କୁହାଯାଇଛି।