ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ବର୍ଦ୍ଧିତ ହେବେ ପଦ୍ମଶ୍ରୀ, ଜ୍ଞାନପୀଠ ଓ ସାହିତ୍ୟ ଏକାଡେମୀ ବିଜେତା

ଭୁବନେଶ୍ବର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତାମାସ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ । ଏଥିରେ ଦେଶ ବିଦେଶର ଐତିହାସିକ, ଭାଷାବିତ, ଗବେଷକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଆ ଭାଷାର ମହନୀୟ ଅତୀତ ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରିବେ । ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭାଷା, […]

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ବର୍ଦ୍ଧିତ ହେବେ ପଦ୍ମଶ୍ରୀ, ଜ୍ଞାନପୀଠ ଓ ସାହିତ୍ୟ ଏକାଡେମୀ ବିଜେତା
Padma Shri, Jnanpith, Kendriya Sahitya Akademi Award Winners will Be Felicitated at First World Odia Language Conference

ଭୁବନେଶ୍ବର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତାମାସ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ । ଏଥିରେ ଦେଶ ବିଦେଶର ଐତିହାସିକ, ଭାଷାବିତ, ଗବେଷକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଆ ଭାଷାର ମହନୀୟ ଅତୀତ ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରିବେ । ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ମହାନ ଐତିହାସିକ ପଦ୍ମଶୀ ହରମାନ କୁଲକେଙ୍କ ସମେତ ୫୮ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିଭଳି ଜ୍ଞାନପୀଠ ପୁରସ୍କାର ପାଇଥିବା ଏବଂ ଜୀବନବ୍ୟାପୀ ସାଧନା ନିମନ୍ତେ ମଧ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କୃତ କରାଯିବ । ଏତଦବ୍ୟତୀତ କେନ୍ଦ୍ର ସାହିତ୍ୟ ଏକାଡେମୀ, ସରସ୍ବତୀ ସମ୍ମାନ ଓ ମୂର୍ତ୍ତିଦେବୀ ପୁରସ୍କାରପ୍ରାପ୍ତ ବିଜେତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଅନ୍ୟପକ୍ଷରେ ଜୟଦେବ, ଧର୍ମପଦ, ଅତିବଡ଼ି ଜଗନ୍ନାଥ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।

ସମ୍ମିଳନୀକୁ ଆହୁରି ବ୍ୟାପକ କରିବା ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସ୍ୱରୂପ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର, ପ୍ରଥମ ପ୍ରିଣ୍ଟିଂ ପ୍ରେସ ଓ ବିଭିନ୍ନ କଳାକୃତି ଆଦି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ କଳାକୃତିକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି । ଏଥିରେ ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ। ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ ଏଥିନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।