ପ୍ରଥମ ରାଉଣ୍ଡରୁ ବିଦାୟ ନେଲା ଭାରତୀୟ ଟିଟି ଟିମ

ଭାରତର ପୁରୁଷ ଟେବୁଲ ଟେନିସ ଟିମ ବିଦାୟ ନେଇଥିଲେ ହେଁ ମହିଳା ଦଳ କ୍ୱାର୍ଟର ଫାଇନାଲରେ ଲଢ଼େଇ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ପ୍ରଥମ ରାଉଣ୍ଡରୁ ବିଦାୟ ନେଲା ଭାରତୀୟ ଟିଟି ଟିମ

ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ଟେବୁଲ ଟେନିସର ପୁରୁଷ ଟିମ ଇଭେଣ୍ଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଭାରତକୁ ଝଟକା ଲାଗିଛି। ପ୍ରଥମ ରାଉଣ୍ଡରେ ହିଁ ଭାରତୀୟ ଦଳକୁ ଅଲିମ୍ପିକ୍ସରେ ବିଦାୟ ନେବାକୁ ପଡ଼ିଛି। ଆଜି ଦଳ ରାଉଣ୍ଡ ୧୬ରେ ଚାଇନାକୁ ଭେଟିଥିଲା। ହେଲେ ଚାଇନା ଦମଦାର ପ୍ରଦର୍ଶନ କରି ଭାରତୀୟ ଟିମକୁ ୩-୦ରେ ହରାଇ ଦେଇଛି।

ଟିମ ଇଭେଣ୍ଟର ପ୍ରଥମ ମ୍ୟାଚ୍‌ ଡବଲ୍ସ ହୋଇଥିଲା। ଏଥିରେ ଭାରତର ହରମୀତ ଦେଶାଇ ଓ ମାନବ ଠାକରଙ୍କ ମୁକାବିଲା ଚାଇନାର ମା ଲଙ୍ଗ ଓ ୱାଙ୍ଗ ଚୁକ୍ୱିନଙ୍କ ମଧ୍ୟରେ ହୋଇଥିଲା। ଚାଇନିଜ ଯୋଡ଼ି ଆରମ୍ଭରୁ ନିଜର ଦବଦବା ଦେଖାଇ ହରମୀତ ଓ ମାନବଙ୍କୁ ସିଧାସଳଖ ୧୧-୨, ୧୧-୩ ଓ ୧୧-୭ରେ ହରାଇ ଦେଇଥିଲେ। ଏଥିସହ ମ୍ୟାଚ୍‌ରେ ୧-୦ରେ ଆଗୁଆ ହୋଇଯାଇଥିଲେ।

ଦ୍ୱିତୀୟ ଲଢ଼େଇରେ ଭେଟରାନ ଶରତ କମଲ ମୈଦାନକୁ ଓହ୍ଲାଇଥିଲେ। ସିଙ୍ଗଲ୍ସରେ ତାଙ୍କର ମୁକାବିଲା ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଏକକ ଟେବୁଲ ଟେନିସ ବର୍ଗରେ ସ୍ୱର୍ଣ୍ଣ ଜିତିଥିବା ଫାନ ଝେନଡଙ୍ଗଙ୍କ ସହ ହୋଇଥିଲା। ଶରତ କମଲ ଗେମ ୨ରୁ ପ୍ରଥମ ସେଟକୁ ଅପ୍ରତ୍ୟାଶିତ ଭାବେ ୧୧-୯ରେ ଜିତି ନେଇଥିଲେ। କିନ୍ତୁ ଫାନ ନିଜର ଯାଦୁ ଦେଖାଇ ପରବର୍ତ୍ତୀ ୩ଟି ଯାକ ସେଟକୁ ଯଥାକ୍ରମେ ୧୧-୭, ୧୧-୭ ଓ ୧୧-୫ରେ ଜିତି ଶରତଙ୍କୁ ପରାସ୍ତ କରି ଦେଇଥିଲେ। ଚାଇନା ୨-୦ ଆଗୁଆ ହୋଇଯାଇଥିଲା।

ମ୍ୟାଚରେ କମବ୍ୟାକ ପାଇଁ ଭାରତକୁ ଗେମ ୩ ଜିତିବା ଜରୁରୀ ହୋଇପଡ଼ିଥିଲା। ମାନବ ମଧ୍ୟ ସିଙ୍ଗଲ୍ସ ଲଢ଼େଇରେ କିଛି ମାତ୍ରାରେ ଟକ୍କର ଦେଇଥିଲେ। ହେଲେ ତାଙ୍କୁ ଚାଇନାର ୱାଙ୍ଗ ୧୧-୯, ୧୧-୬ ଓ ୧୧-୯ରେ ହରାଇ ଦେଇଥିଲେ। ଏଥିସହ ଚାଇନା ୩-୦ରେ ମ୍ୟାଚ୍‌ ଜିତି ଭାରତକୁ ଅଲିମ୍ପିକ୍ସରୁ ବିଦା କରିଥିଲା।

ଭାରତର ପୁରୁଷ ଟେବୁଲ ଟେନିସ ଟିମ ବିଦାୟ ନେଇଥିଲେ ହେଁ ମହିଳା ଦଳ କ୍ୱାର୍ଟର ଫାଇନାଲରେ ଲଢ଼େଇ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗତକାଲି ଭାରତୀୟ ମହିଳା ଟିଟି ଟିମ ରୋମାନିଆକୁ ପରାସ୍ତ କରିଥିଲା।