ପ୍ରଦୂଷଣ: ଜଜ୍ ଜାଣି ନାହାନ୍ତି ସୁପ୍ରିମକୋର୍ଟରେ ଚାଲିଛି ନିର୍ମାଣ କାମ
ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ଅପଡେଟ୍ ମାଗୁଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଖୋଦ ସୁପ୍ରିମକୋର୍ଟ ଭିତରେ ନିର୍ମାଣ କାର୍ଯ୍ୟ ଚାଲିଥିବା କହିଲେ ଆଇନଜୀବୀ।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର 'ସିଭିୟର ପ୍ଲସ' ହେବା ପରେ ଆଜିଠାରୁ ଲାଗୁ ହୋଇଛି GRAP-4। ସ୍କୁଲ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ କ୍ଲାସ ବନ୍ଦ କରାଯିବା ସହ ବିଭିନ୍ନ ଯାନ ଚଳାଚଳ ଓ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲାଗିଛି ପ୍ରତିବନ୍ଧକ। ଜାତୀୟ ରାଜଧାନୀରେ ବାୟୁର ଏଭଳି ସାଂଘାତିକ ସ୍ଥିତି ପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଓ ଅଧିକାରୀମାନଙ୍କ ଉପରେ ବାରମ୍ବାର କ୍ଷୋଭ ପ୍ରକାଶ କରିଛନ୍ତି। ଯେତେବେଳେ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅପଡେଟ୍ ମାଗିଛନ୍ତି, ସେତେବେଳେ ଖୋଦ ସୁପ୍ରିମକୋର୍ଟ ଭିତରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି।
ସୁପ୍ରିମକୋର୍ଟରେ ବିଚାରପତି ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଦିଲ୍ଲୀ ବାୟୁ ପ୍ରଦୂଷଣ ଜନିତ ଏକ ମାମଲାର ଶୁଣାଣି କରୁଥିଲେ। ଏହି ସମୟରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଏବଂ ଦିଲ୍ଲୀ ସରକାରଙ୍କଠାରୁ ପ୍ରଦୂଷଣ ସମ୍ବନ୍ଧୀୟ ତଥ୍ୟ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଯେତେବେଳେ କୋର୍ଟ ପଚାରିଥିଲେ ଯେ, ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ଉପରେ ପ୍ରତିବନ୍ଧକ କେତେ ଦୂର ଲାଗିଛି? କିଏ ଏହାକୁ ଅନୁଧ୍ୟାନ କରୁଛନ୍ତି କି ନାହିଁ? ସେତେବେଳେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ କୋର୍ଟ ଭିତରେ ହିଁ ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଆଇନଜୀବୀ ଶଙ୍କରନାରାୟଣନ କହିଛନ୍ତି, ନିର୍ମାଣ କାର୍ଯ୍ୟ ଖୋଦ ସୁପ୍ରିମକୋର୍ଟ ଭିତରେ ଚାଲିଛି। ପଥର ଗୁଡ଼ିକୁ ଭଙ୍ଗା ଯାଉଛି। ଫଳରେ ପଥର ଗୁଣ୍ଡ ବାୟୁରେ ମିଶି ଏହାକୁ ଆହୁରି ପ୍ରଦୂଷିତ କରୁଛି। ଏହା ସହିତ କୋର୍ଟରେ ନୂଆକରି ଉଦଘାଟିତ ହୋଇଥିବା ବ୍ଲକ୍ ଏବେ ମଧ୍ୟ ନିର୍ମାଣାଧୀନ ରହିଥିବାରୁ ଏହା ପ୍ରଚୁର ମାତ୍ରାରେ ବାୟୁ ପ୍ରଦୂଷିତ କରୁଛି ବୋଲି ସେ କହିଥିଲେ। ଏହା ଶୁଣି ବିଚାରପତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁରନ୍ତ ସେକ୍ରେଟାରୀ ଜେନେରାଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରକାଶ ଥାଉ, ଦିଲ୍ଲୀରେ ରବିବାର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଥିଲା। ଏହି ଋତୁରେ ପ୍ରଥମ ଥର ପାଇଁ ଦିଲ୍ଲୀର AQI 'ସିଭିୟର ପ୍ଲସ୍' ସ୍ତରକୁ ଖସି ଆସିଥିଲା। ଏହି କାରଣରୁ, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଦିଲ୍ଲୀ ଏନସିଆରରେ ସୋମବାର ସକାଳ ୮ଟାରୁ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP)ର ଚତୁର୍ଥ ଚରଣ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା। ଏହା ଲାଗୁ କରିବାରେ ବିଳମ୍ବ ହୋଇଥିବା ଦର୍ଶାଇ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଓ ଦିଲ୍ଲୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ଆଜି (ସୋମବାର) ଦିଲ୍ଲୀରେ AQI ୪୯୩ ସ୍ତରରେ ପହଞ୍ଚିଛି। ଫଳରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।