ପ୍ରବାସୀ ଭାରତୀୟ ଦିବସକୁ ସ୍ମରଣୀୟ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ଆୟୋଜିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ମଙ୍ଗଳବାର ନୂଆଦିଲ୍ଲୀରେ ୱେବ୍‌ସାଇଟ୍‌ ଉନ୍ମୋଚନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପ୍ରବାସୀ ଭାରତୀୟ ଦିବସକୁ ସ୍ମରଣୀୟ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଆସନ୍ତା ବର୍ଷ ଜାନୁଆରୀ ୮ରୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ। ଜନତା ମୈଦାନରେ ୩ ଦିନ ଧରି ଚାଲିବ ଏହି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ।

ସମାରୋହ ଆୟୋଜନ ପାଇଁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ୱେବସାଇଟ ଲଞ୍ଚିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଭବନସ୍ଥିତ ସିବି ମୁଥାମା ହଲରେ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ଭାରତର ବିକାଶରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ସ୍ୱୀକୃତି ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୦୨୫ ପ୍ରବାସୀ ଭାରତୀୟ ଦିବସ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସାରା ବିଶ୍ୱରୁ ଓଡ଼ିଶାକୁ ଅତିଥିମାନଙ୍କର ଭବ୍ୟ ଆଗମନ ହେବ। ସେମାନେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ସହ ଯୋଡ଼ିହେବାର ସୁଯୋଗ ପାଇବେ। ସେହି ସମୟରେ ଆମେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ। ପୁଷ୍ପ ପ୍ରଦର୍ଶନୀ, ଫୁଡ ଫେଷ୍ଟିଭାଲ କରି ଅତିଥିଙ୍କୁ ଆପ୍ୟାୟିତ କରିବୁ। ଅତିଥିଙ୍କ ରହିବା, ଯାତାୟାତ, ସୁରକ୍ଷା ଆଦି ବିଷୟକୁ ଗୁରୁତ୍ୱ ଦେଉଛୁ। ପ୍ରବାସୀ ଭାରତୀୟ ଦିବସକୁ ସ୍ମରଣୀୟ କରିବା ଆମର ଲକ୍ଷ୍ୟ। ସାରା ବିଶ୍ୱରେ ଆମ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ପ୍ରମୁଖ ଭୂମିକା ନେବ।

ଉଲ୍ଲେଖଯୋଗ୍ୟ, ୧୯୧୫ ମସିହା ଜାନୁଆରୀ ୯ ତାରିଖରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିଲେ। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ‘ପ୍ରବାସୀ ଭାରତୀୟ ଦିବସ’ ୨୦୦୩ରୁ ପାଳନ କରାଯାଉଛି। ୨୦୧୫ରୁ ଏହା ପ୍ରତି ୨ବର୍ଷରେ ଥରେ ଅନୁଷ୍ଠିତ ହେଉଛି। ଅଦ୍ୟାବଧି ୧୭ଥର ଏହା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇସାରିଛି। ଗତବର୍ଷ ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ।