ପ୍ରଶ୍ନଘେରରେ ‘ବାଲ୍ବାଟିକା’ର ରୂପାୟନ
ଯେପରି ଆଜିର ଅଙ୍କୁର କାଲି ହୁଏ ବିଶାଳ ଦ୍ରୁମ, ସେହିପରି ଆଜିର ଅସହାୟ ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁର ବିକାଶ, ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ଜୀବନବ୍ୟାପୀ ଶିକ୍ଷା ନିମନ୍ତେ ଶୈଶବ ବର୍ଷ(ଜୀବନର ପ୍ରଥମ ୬ବର୍ଷ)ରେ ମଜଭୂତ ଭିତ୍ତିଭୂମି ନିର୍ମିତ ହୁଏ। ଜୀବନର ଅନ୍ୟ ପର୍ଯ୍ୟାୟଗୁଡ଼ିକ ଅପେକ୍ଷା ପ୍ରାରମ୍ଭିକ ଶୈଶବାସ୍ଥାରେ ବିକାଶର ହାର ତୁଳନାତ୍ମକ ଭାବେ ଦ୍ରୁତ ହୋଇଥିବାରୁ ଶିଶୁର ପ୍ରାରମ୍ଭିକ ବର୍ଷଗୁଡ଼ିକ ବେଶ୍ ଗୁରୁତ୍ୱ ବହନ କରିଥାଏ। ଏହି ପର୍ଯ୍ୟାୟରେ ଶିଶୁକୁ ଯଦି ଏକ ଉତ୍ସାହଜନକ ଓ […]

ଯେପରି ଆଜିର ଅଙ୍କୁର କାଲି ହୁଏ ବିଶାଳ ଦ୍ରୁମ, ସେହିପରି ଆଜିର ଅସହାୟ ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁର ବିକାଶ, ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ଜୀବନବ୍ୟାପୀ ଶିକ୍ଷା ନିମନ୍ତେ ଶୈଶବ ବର୍ଷ(ଜୀବନର ପ୍ରଥମ ୬ବର୍ଷ)ରେ ମଜଭୂତ ଭିତ୍ତିଭୂମି ନିର୍ମିତ ହୁଏ। ଜୀବନର ଅନ୍ୟ ପର୍ଯ୍ୟାୟଗୁଡ଼ିକ ଅପେକ୍ଷା ପ୍ରାରମ୍ଭିକ ଶୈଶବାସ୍ଥାରେ ବିକାଶର ହାର ତୁଳନାତ୍ମକ ଭାବେ ଦ୍ରୁତ ହୋଇଥିବାରୁ ଶିଶୁର ପ୍ରାରମ୍ଭିକ ବର୍ଷଗୁଡ଼ିକ ବେଶ୍ ଗୁରୁତ୍ୱ ବହନ କରିଥାଏ। ଏହି ପର୍ଯ୍ୟାୟରେ ଶିଶୁକୁ ଯଦି ଏକ ଉତ୍ସାହଜନକ ଓ ମନୋସାମାଜିକ ପରିବେଶ ନ ମିଳେ ତେବେ ମସ୍ତିଷ୍କର ସମ୍ପୂର୍ଣ୍ଣ କ୍ଷମତା ବିକଶିତ ନ ହେବାର ଯଥେଷ୍ଟ ଆଶଙ୍କା ଥାଏ। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପିଲାମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଉତ୍ତମ ମାନର ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା ସୁବିଧା ଯୋଗାଇ ଦେବା ପାଇଁ ପ୍ରଥମଥର ଲାଗି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷାନୀତି ୨୦୨୦ରେ ‘ବାଲ୍ବାଟିକା’ କାର୍ଯ୍ୟକ୍ରମ ଲାଗୁ ହୋଇଛି। ଏହାଦ୍ୱାରା ଯେ କେବଳ ପିଲାମାନଙ୍କର ବିଦ୍ୟାଳୟ ପ୍ରଦର୍ଶନ ଭଲ ହେବ ତାହା ନୁହେଁ, ବରଂ ଜୀବନବ୍ୟାପୀ ଶିକ୍ଷା ଏବଂ ବିକାଶ ଉପରେ ମଧ୍ୟ ଅନୁକୂଳ ପ୍ରଭାବ ପଡ଼ିବ।
ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ଅର୍ଥାତ୍ ୨୦୨୫ ମସିହା ଏପ୍ରିଲ ମାସ ୨ ତାରିଖରୁ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ୪୫, ୦୦୦ ପ୍ରାଥମିକ ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି, ଯାହାକୁ ‘ଶିଶୁ ବାଟିକା’ ବା ‘ବାଲ୍ ବାଟିକା’ ନାମରେ ନାମିତ କରାଯାଇଛି। ପ୍ରାକ୍ ବିଦ୍ୟାଳୟ ଶିକ୍ଷା ନିମନ୍ତେ ୩ ରୁ ୬ ବର୍ଷର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏଥିନିମନ୍ତେ ଆସନ୍ତା ମାସ ୨ ତାରିଖରେ ସମସ୍ତ ବିଦ୍ୟାଳୟରେ ‘ଖଡ଼ିଛୁଅାଁ’ ବା ‘ପ୍ରବେଶ ଉତ୍ସବ’ ଅଭିଯାନ ପାଳନ କରାଯିବ। ‘ବାଲ୍ ବାଟିକା’ ରେ ଯୋଗ ଦେଇଥିବା ପିଲାମାନଙ୍କର ଅଭିଭାବକମାନଙ୍କୁ ଏହି ଅଭିଯାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ପାଇଁ ମାର୍ଚ୍ଚ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏକ କାର୍ଯ୍ୟକ୍ରମ ପାଳନ କରାଯିବ। ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ଚିହ୍ନଟ କରାଯିବା ସହ ଉଚିତ୍ ବୟସରେ ସେମାନଙ୍କର ନାମଲେଖା ଉପରେ ଗୁରୁତ୍ୱାରୋପ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ମସ୍ତିଷ୍କର ପାଖାପାଖି ୮୦ ପ୍ରତିଶତ ବିକାଶ ୬ ବର୍ଷ ପୂର୍ବରୁ ହୋଇଥାଏ। ତେଣୁ ପ୍ରାକ୍ ଶୈଶବାବସ୍ଥାରେ ମସ୍ତିଷ୍କର ସୁସ୍ଥ ବିକାଶ ପାଇଁ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଶିଶୁର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ମସ୍ତିଷ୍କର ଉପଯୁକ୍ତ ଯତ୍ନ ନେବା ନିହାତି ଜରୁରୀ। ୩ ରୁ ୬ ବର୍ଷର ଶିଶୁମାନେ ଏହି ‘ବାଲ୍ ବାଟିକା’ ଶ୍ରେଣୀରେ ସକ୍ରିୟ ଅଂଶଗ୍ରହଣ କଲେ ସେମାନଙ୍କର ପ୍ରାକ୍ ବିଦ୍ୟାଳୟ ଭିତ୍ତିଭୂମି ସ୍ଥାପନ ହୋଇପାରିବ। ଏହି ଅଭିଯାନ ମାଧ୍ୟମରେ ଶିଶୁମାନଙ୍କୁ ମାଗଣା, ସୁରକ୍ଷିତ, ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଶିକ୍ଷାଦାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି। ‘ବାଲ୍ ବାଟିକା’ ଶ୍ରେଣୀରେ ଶିଶୁମାନଙ୍କୁ ଜ୍ଞାନଗତ ଦକ୍ଷତା, ଶାରୀରିକ ଦକ୍ଷତା, କୌଶଳ ବିକାଶ, ଜ୍ଞାନାତ୍ମକ ବିକାଶ, ଭାଷା, ସୃଜନଶୀଳତା, ସୌନ୍ଦର୍ଯ୍ୟବୋଧ, ସାମାଜିକ ଓ ଭାବନାତ୍ମକ ଦକ୍ଷତା ବିକାଶ ନିମନ୍ତେ ଶିକ୍ଷାଦାନ କରିବା ସହ ଶିଶୁର ଆଜୀବନ ଶିକ୍ଷଣ ପ୍ରବୃତ୍ତିକୁ ଆଗେଇ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମସ୍ତିଷ୍କ ବିକାଶ ନିମନ୍ତେ କ୍ରୀଡ଼ା ମାଧ୍ୟମରେ ଶିକ୍ଷା ଦାନ କରିବା, ସଂଖ୍ୟା ଓ ପ୍ରତୀକ ସହ ଅକ୍ଷର ଚିହ୍ନିବା, ଶିଶୁର ଶିକ୍ଷଣ ଅଭିଜ୍ଞତାରେ ପିତାମାତାଙ୍କ ସକ୍ରିୟ ଅଂଶଗ୍ରହଣ କରି ବିଦ୍ୟାଳୟରେ ଶ୍ରେଣୀ ୧ ରେ ନାମଲେଖା ନିମନ୍ତେ ଶିଶୁକୁ ପୂର୍ଣ୍ଣାଙ୍ଗ ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ।
ନୂତନ ଶିକ୍ଷାନୀତିରେ ‘ବାଲବାଟିକା’ ଅଭିଯାନ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ବାସ୍ତବତା ଦୃଷ୍ଟିରୁ ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅଧୁନା ସମସ୍ୟା ଘେରରେ ରହିଛି ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ ନାହାନ୍ତି। ଅନେକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଛନ୍ତି। ଏକାଧିକ ବିଦ୍ୟାଳୟରେ ଗୋଟିଏ ଘରେ ୧ ରୁ ୫ ଶ୍ରେଣୀ ଶିକ୍ଷାଦାନ ଚାଲିଛି। ୨୧, ୧୭୯ଟି ପ୍ରାଥମିକ ବିଦ୍ୟାଳୟ ଭଡ଼ା ଘରେ ଚାଲିଛି। ଅଧିକାଂଶ ବିଦ୍ୟାଳୟର ଆବଶ୍ୟକ ଶିକ୍ଷକ ନାହାନ୍ତି। ଯେଉଁଠି ଶିକ୍ଷକ ଅଛନ୍ତି ସେଠି ପିଲାଙ୍କ ପାଇଁ ବସିବାକୁ ଘର ନାହିଁ। ବହୁ ମେଧାବୀ ଶିକ୍ଷକତା ବୃତ୍ତିକୁ ନାପସନ୍ଦ କରୁଛନ୍ତି।
ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ମିଶିଲା; କିନ୍ତୁ ଆବଶ୍ୟକୀୟ ଶିକ୍ଷକ ପଦ ସୃଷ୍ଟି ହୋଇପାରିଲା ନାହିଁ। ଅତୀତରେ ବିଦ୍ୟାଳୟରେ କୋଠା ନ ଥିଲା କି କୌଣସି ରଙ୍ଗ ନଥିଲା। କିନ୍ତୁ ମେଧାବୀ ସୃଷ୍ଟି ହେଉଥିଲେ। ଏହିଭଳି ଅବସ୍ଥା ଯୋଗୁଁଁ ସରକାରୀ ବିଦ୍ୟାଳୟ ପ୍ରତି ଅଧିକାଂଶ ଅଭିଭାବକ ମୁହଁ ଫେରାଇ ନେଉଛନ୍ତି। ଘରୋଇ ବିଦ୍ୟାଳୟରେ ଚାହିଦା ବଢ଼଼ିଛି। ସରକାରୀ ଓ ବେସରକାରୀ ବିଦ୍ୟାଳୟ ମଧ୍ୟରେ ବିଭାଜନ ରେଖା ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିସାରିଲାଣି। ଅନ୍ୟ ପକ୍ଷରେ ଦେଖିଲେ ‘ବାଲ୍ବାଟିକା’ ମହିଳା ଓ ଶିଶୁ ବିକାଶ ବିଭାଗର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନ୍ତର୍ଭୁକ୍ତ। ତେଣୁ ଦୁଇଟି ପୃଥକ୍ ପୃଥକ ବିଭାଗ ମଧ୍ୟରେ ଯଦି ଉଚିତ ସମନ୍ୱୟ ନ ରହେ, ତେବେ ସବୁ ଯୋଜନା ଫସର ଫାଟିଯିବ। ଯଦିଓ ସରକାର ତରବରିଆ ଭାବେ ପର୍ଯ୍ୟାୟକ୍ରମେ ଶିକ୍ଷକମାନଙ୍କୁ ତାଲିମ ଦେବା ଆରମ୍ଭ କଲେଣି, ତଥାପି ‘ବାଲ୍ବାଟିକା’ ଶ୍ରେଣୀରେ ଶିକ୍ଷାଦାନର ସଫଳତା ପାଇଁ ଉଚ୍ଚମାନର ଇସିସିଇ ଶିକ୍ଷକମାନଙ୍କର ଆବଶ୍ୟକତା ରହିଛି। ସରକାରୀ ଛାଟକୁ ଭୟ କରି ନିଜର ଅନିଚ୍ଛା ସତ୍ତ୍ବେ ଶିକ୍ଷକମାନେ ଏହି ତାଲିମରେ ଯୋଗଦାନ କରୁଥିବା ଅଭିଯୋଗ ହେଉଛି। ତେଣୁ ତାଲିମ୍ ଓ କାର୍ଯ୍ୟକ୍ରମ କେତେଦୂର ଫଳପ୍ରଦ ହେବ ତାହା ଦେଖିବାର କଥା।
ଏହିଭଳି ପରିସ୍ଥିତିରେ ଛୋଟ ପିଲାଙ୍କର ଯତ୍ନ ନେବ କିଏ? ସେମାନଙ୍କୁ ପଢ଼଼ାଇବ କିଏ? ସେମାନେ କେଉଁଠି ପଢ଼଼ିବେ? ଅଣତାଲିମ ପ୍ରାପ୍ତ ଶିକ୍ଷକମାନଙ୍କୁ ନେଇ, ଆବଶ୍ୟକ ଭିତ୍ତିଭୂମି ନଥାଇ, ଶିକ୍ଷକମାନଙ୍କ ସହ ବିଚାରବିମର୍ଶ ନକରି ତରବରିଆ ଭାବେ ବିଦ୍ୟାଳୟରେ ‘ବାଲ୍ବାଟିକା’ ଶ୍ରେଣୀକୁ ଅନ୍ତର୍ଭୁକ୍ତ କରିବା ଆଦୌ ସମୀଚୀନ ନୁହେଁ। ପ୍ରଥମେ ସରକାର ଆବଶ୍ୟକ ଭିତ୍ତିଭୂମି ଯୋଗାଇଦିଅନ୍ତୁ। ବିଦ୍ୟାଳୟର ଶୈକ୍ଷିକ ପରିସରକୁ ରୁଦ୍ଧିମନ୍ତ କରନ୍ତୁ। ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରନ୍ତୁ। ଶିକ୍ଷକମାନଙ୍କ ସମସ୍ୟାକୁ ସମାଧାନ କରନ୍ତୁ। ଅନ୍ୟଥା ସରକାରଙ୍କ ଯେଉଁ ଉଦ୍ଦେଶ୍ୟ ରଖି ‘ବାଲ୍ ବାଟିକା’ ଅଭିଯାନ ଆରମ୍ଭ କରିଛନ୍ତି, ତାହା ଆଦୌ ଫଳପ୍ରଦ ହୋଇପାରିବ ନାହିଁ।
ଶ୍ରୀବତ୍ସ ନାୟକ (ଅଧ୍ୟାପକ, ବାଣିଜ୍ୟ ବିଭାଗ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ)
କଟକ, ମୋ:୯୪୩୮୦୭୦୮୪୯